
ନୂଆପଡ଼ା,୧୩ ଜାନୁଆରୀ (ହି.ସ.)- ନୂଆପଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣର ନୂତନ ଭାବେ ନିଯୁକ୍ତ ଅଧିକାର ମିତ୍ରଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ନୂଆପଡ଼ା ବିଜ୍ଞାପିତ ଅଂଚଳ ପରିଷଦ କାର୍ଯ୍ୟାଳୟ, ସମ୍ପଦ କେନ୍ଦ୍ର, ଗଡ଼ତୋର, ମଳ ଉପଚାର କେନ୍ଦ୍ର, ଶାଖାତୋରାକୁ କ୍ଷେତ୍ର ପରିଦର୍ଶନ ଆଜି ଆୟୋଜିତ ହୋଇଯାଇଛି । ଉକ୍ତ ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶଙ୍କ ନେତୃତ୍ୱରେ ଅଧିକାର ମିତ୍ରଗଣ ପ୍ରଥମେ ନୂଆପଡ଼ା ବିଜ୍ଞାପିତ ଅଂଚଳ ପରିଷଦ କାର୍ଯ୍ୟାଳୟକୁ ପରିଦର୍ଶନ ନିମନ୍ତେ ଯାଇଥିଲେ । ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀନିବାସ ମିର୍ଦ୍ଧା ଶୁଷ୍କ ଓ ଓଦା ଆବର୍ଜନାର ପ୍ରକାର, ପୃଥକୀକରଣ ବିଷୟରେ ତାଲିମ ଦେଇଥିଲେ । ସେ ମଧ୍ୟ ଏକକ-ବ୍ୟବହାର ପ୍ଲାଷ୍ଟିକ ନିଷେଧ ପାଇଁ କରାଯାଉଥିବା ସଚେତନତା ଓ ଖିଲାପ କଲେ ଆଦାୟ କରାଯାଉଥିବା ଜରିମାନା ବିଷୟରେ ଧାରଣା ଦେଇଥିଲେ । ତାପରେ ପରିଷଦର ବର୍ଯ୍ୟବସ୍ତୁ ପରିଚାଳନା ବିଶେଷଜ୍ଞ ଅଧିକାର ମିତ୍ରଗଣଙ୍କୁ ସମ୍ପଦ କେନ୍ଦ୍ର, ଗଡତୋର, ମଳ ଉପଚାର କେନ୍ଦ୍ର, ଶାଖାତୋରାକୁ କ୍ଷେତ୍ର ପରିଦର୍ଶନ ପାଇଁ ନେଇଯାଇଥିଲେ । ସେଠାରେ ସେ ଏକକ-ବ୍ୟବହାର ପ୍ଲାଷ୍ଟିକ ପୃଥକୀକରଣ, ଖତ ପ୍ରସ୍ତୁତି ପ୍ରଣାଳୀ, ଆବର୍ଜନାର ପୁନଃବ୍ୟବହାର ଇତ୍ୟାଦି ବିଷୟରେ ବିସ୍ତୃତ ଧାରଣା ଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ