
ଭଦ୍ରକ, ୧୩ ଜାନୁଆରୀ (ହି.ସ.) - ଜୀବନ୍ତଙ୍କୁ ମୃତ ଦର୍ଶାଇ ଭତାପ୍ରଦାନ କରାଯାଇନଥିବା ବେଳେ ଜଣେ ମୃତ ବ୍ୟକ୍ତିଙ୍କୁ ମରିବାର ବର୍ଷେ ପରେ ବି ଭତା ପ୍ରଦାନ କରାଯାଇଛି ବୋଲି ଅଭିଯୋଗ ହୋଇଛି।ଏହି ଅଭିଯୋଗ ପରେ ଦାୟିତ୍ୱରେ ଥିବା ଅଧିକାରୀଙ୍କ କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠିଛି। ବିବରଣୀରୁ ପ୍ରକାଶ ଯେ, ଭଣ୍ଡାରିପୋଖରୀ ବ୍ଲକ ତେସିଙ୍ଗା ପଂଚାୟତର ବଡ଼ବନସ୍ତା ଗ୍ରାମର ୯୪ ବର୍ଷୀୟ ଗୌରାଙ୍ଗ ସାହୁ ଜୀବିତ ଥିବା ବେଳେ ତାଙ୍କୁ ମୃତ ଦର୍ଶାଇ ଗତ ୩ମାସ ହେବ ଭତା ପ୍ରଦାନ କରାଯାଇନାହିଁ।ଭତା ନମିଳିବା କାରଣରୁ ଅନୁଧ୍ୟାନ ପରେ ତାଙ୍କ ପୁଅ ରାଧାକାନ୍ତ ବ୍ଲକ କାର୍ଯ୍ୟାଳୟ ଯାଇ ଏହା ଜାଣିବାକୁ ପାଇଥିଲେ।ଏହାକୁ ନେଇ ଅଭିଯୋଗ ହୋଇଥିଲା ବେଳେ ସେହି ତେସିଙ୍ଗା ପଂଚାୟତ ବଡ଼ ବନସ୍ତା ଗ୍ରାମର ୮୦ ବର୍ଷ ବୟସରେ ଗତ୨୦୨୪ ମସିହା ନଭେମ୍ବର ୧୪ ତାରିଖରେ ମୃତ୍ୟୁ ହୋଇଥିବା ବଂଶୀଧର ନାୟକଙ୍କୁ ୨୦୨୫ ମସିହା ଅକ୍ଟୋବର ମାସ ପର୍ଯ୍ୟନ୍ତ ଭତା ପ୍ରଦାନ କରାଯାଇଛି ବୋଲି ଅଭିଯୋଗ ହୋଇଛି।ମାସିକ ୩୫୦୦ ଟଙ୍କା ଲେଖାଏଁ ଭତାରାଶି ବ୍ୟାଙ୍କ ଅଫ ଇଣ୍ଡିଆର ଜମା ଖାତା ମାଧ୍ୟମରେ ପ୍ରଦାନ କରାଯାଇଥିବା ତଥ୍ୟ ଜଣାଯାଇଛି।ଏହା ନଜରକୁ ଆସିଥିବା ଗୋଟିଏ ଗୋଟିଏ ଉଦାହରଣ ହୋଇଥିଲାବେଳେ ଏପରି ଅନେକ ତ୍ରୁଟି ଥାଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।ଏପରି ଘଟଣା ଉପରେ ଉଚ୍ଚସ୍ତରୀୟ ତଦନ୍ତ ସହ ଦାୟିତ୍ୱହୀନ ଅଧିକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ସୂଚନା ଅଧିକାର କର୍ମୀ ଶ୍ୟାମସୁନ୍ଦର ସେନାପତି ଦାବି କରିଛନ୍ତି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ