

ବଲାଙ୍ଗିର, 13 ଜାନୁଆରି (ହି.ସ.)
ଜିଲ୍ଲା ଲେଖକ ପରିଷଦକୁ ପୁନର୍ଜୀବିତ ତଥା ପୁନର୍ଗଠନ ପାଇଁ ସ୍ଥାନୀୟ
କଲ୍ୟାଣ ମଣ୍ଡପ, ସୁଦ ପଡ଼ା, ବଲାଙ୍ଗିର ଠାରେ ଜିଲ୍ଲା ଲେଖକ ମହାସଭାର ବୈଠକ ଅନୁଷ୍ଠିତ ହୋଇଯାଇଛି। କବି ସୁଶାନ୍ତ ବାଗ ଓ ମଧୁସୂଦନ ଦାସ ଙ୍କ ଆବାହକତ୍ୱରେ ଅନୁଷ୍ଠିତ ମହାସଭାରେ ଓ ଶିକ୍ଷାବିତ ସନାତନ ଠାକୁରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ବହୁ ସଂଖ୍ୟକ ଲେଖକ, କବି, ଗବେଷକ, ବୁଦ୍ଧିଜୀବି ଯୋଗ ଦେଇ ନିଜ ନିଜର ସୁଚିନ୍ତିତ ମତାମତ ଦେଇଥିଲେ। କବି ସୁଶାନ୍ତ ବାଗ, ବର୍ତ୍ତମାନର ସଭାପତି ମଳୟ ମିଶ୍ର ଙ୍କ ବିରୁଦ୍ଧରେ ଏକ ନିନ୍ଦା ପ୍ରସ୍ତାବ ଓ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ ଯାହାକି ଅନେଶ୍ବତ ପ୍ରତିଶତ ସହମତି ରେ ଗୃହିତ ହୋଇଥିଲା। ସମସ୍ତେ ଏକଜୁଟ ହେଇ କିପରି ଜିଲ୍ଲା ଲେଖକ ପରିଷଦକୁ ବଞ୍ଚେଇ ରଖି ଆଗକୁ ନେବାସହ ନୂତନ କବି ଓ ଲେଖକଙ୍କୁ ଜନ୍ମ ଦେବା ସେ ବିଷୟରେ ଆଲୋଚନା ହୋଇଯାଇଛି। ଦ୍ୱିତୀୟ ଅଧିବେଶନରେ ରସରାଜ ଅଚ୍ୟୁତ ପୁରୋହିତ ଙ୍କ ସଭାପତିତ୍ବରେ ଏକ ବର୍ଣ୍ଣାଢ଼୍ୟ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ଏହି କବିତା ଆସରକୁ କବୟିତ୍ରୀ ନିର୍ମାଲ୍ୟ ସ୍ବାଇଁ ଓ କବି ମୃଗେଶ ବୈଷ୍ଣବ ପାଣିଗ୍ରାହୀ ସଂଯୋଜନା କରିଥିଲେ। ଉକ୍ତ ମହାସଭାରେ ଜିଲ୍ଲାର ସବୁ ଅଞ୍ଚଳରୁ ଓ ସବୁ ବର୍ଗର ପ୍ରତିନିଧି ସାମିଲ ହୋଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ