
ସମ୍ବଲପୁର, ୧୩, ଜାନୁଆରୀ (ହି.ସ.) - ପଶ୍ଚିମାଂଚଳ ଏକତା ମଂଚ ପକ୍ଷରୁ କୁରେଟୁଲା ଠାରେ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଅବସରରେ ଆଜି ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବସ୍ତୀ ଅଂଚଳରେ ରହୁଥିବା ଲୋକଙ୍କ ଅଭାବ ଅସୁବିଧା ବିଷୟରେ ମଂଚର ସଦସ୍ୟ ମାନେ ପଚାରି ବୁଝିଥିଲେ । ଲୋକେ ସଚେତନ ହୋଇପାରିଲେ ପ୍ରତ୍ୟେକ ସମସ୍ୟାର ସମାଧାନ ହୋଇ ପାରିବ ବୋଲି ବସ୍ତୀ ବାସିନ୍ଦାଙ୍କୁ ବୁଝାଇଥିଲେ । ବିଭିନ୍ନ ସରକାରୀ ଯୋଜନା ସତ୍ୱେ କୁରେଟୁଲା ଭଲି ସହରର ମଝିରେ ରହିଥିବା ଲୋକେ ମଧ୍ୟ ପ୍ରକୃତ ଲାଭ ପାଇପାରୁ ନାହାନ୍ତି । ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଦିନକୁ ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଉଥିବା ବେଲେ ପଶ୍ଚିମାଂଚଳ ଏକତା ମଂଚ ପକ୍ଷରୁ ଯୁବ ସଦସ୍ୟ ମାନଙ୍କୁ ସମାଜର ଅବହେଲିତ ଲୋକଙ୍କ ବିଷୟରେ ଅବଗତ ହେବାକୁ ସୁଯୋଗ ଦେବାକୁ କୁରେଟୁଲା ବସ୍ତୀରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବସ୍ତୀର ଅବହେଳିତ ଲୋକଙ୍କୁ ଶୀତବସ୍ତ୍ର ଆଦି ପ୍ରଦାନ କରାଯାଇଥିଲା । ମଂଚର ବରିଷ୍ଟ ସଦସ୍ୟା କାନ୍ତୀ ମେହେରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଥମ ନାରାୟଣ ପଣ୍ଡା, କଲିତା ଭୋଇ, ଭୂମିସୂତା ମେହେର, ଲକ୍ଷ୍ମୀପ୍ରୀୟା ପ୍ରଧାନ, ଅଭିଲାଷ ରାଉତ, ମୀନା ନାଏକ, ସୁନିତି ମିଶ୍ର ପ୍ରମୁଖ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ