
- ‘ଓଡ଼ିଆ ଭାଷା, ସଂସ୍କୃତିର ସମୃଦ୍ଧି, ବିଚ୍ଛିନ୍ନାଞ୍ଚଳ ଏକତ୍ରୀକରଣ ଓ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ରେ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ଅବଦାନ ଅବିସ୍ମରଣୀୟ’
ଭୁବନେଶ୍ୱର, 13 ଜାନୁଆରୀ (ହି.ସ.)ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ପୂଜ୍ୟପୂଜା ସାହିତ୍ୟ ସଂସଦ, ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ଆଜି ଜୟଦେବ ଭବନରେ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଅନ୍ୟତମ ପୁରୋଧା, ଓଡ଼ିଶାର ସୁଯୋଗ୍ୟ ବରପୁତ୍ର ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାଣିଜ୍ୟ ଓ ପରିବହନ, ଖଣି ଓ ଇସ୍ପାତ ବିଭାଗର ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନା ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ଅବଦାନ, ରାଜନୈତିକ ଦୃଷ୍ଟିକୋଣ ଓ ଜନସାଧାରଣଙ୍କ ସହ ତାଙ୍କ ଗଭୀର ସମ୍ପର୍କ ଉପରେ ଆଲୋକପାତ କରିଥିଲେ। ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ ଗଞ୍ଜାମ ଜିଲ୍ଲାକୁ ସଶକ୍ତ କରିବା ସହ ସମଗ୍ର ଓଡ଼ିଶା ପାଇଁ ଗର୍ବ ଓ ଗୌରବର ପ୍ରତୀକ ବୋଲି ସେ କହିଥିଲେ। ମାଟି ପ୍ରତି ଅଗାଧ ଭଲପାଇବା, ଓଡ଼ିଆ ଭାଷା ପ୍ରତି ତାଙ୍କର ଆତ୍ମିକ ସମର୍ପଣ ଓ ଓଡ଼ିଶାର ଇତିହାସ ସମ୍ପର୍କରେ ସଚେତନତା ସୃଷ୍ଟିର ଆବଶ୍ୟକତା ଉପରେ ମଧ୍ୟ ସେ ଗୁରୁତ୍ୱ ଦେଇଥିଲେ।
ସମ୍ମାନନୀୟ ଅତିଥି ଭାବେ ଯୋଗଦେଇ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ, ଏମ.ଏସ.ଏମ.ଇ ବିଭାଗର ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଉତ୍କଳ ପ୍ରଦେଶ ଗଠନରେ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ଅବଦାନକୁ ସ୍ମରଣ କରିଥିଲେ। ମାତୃଭାଷା ଓ ଆତ୍ମୀୟତା ଓଡ଼ିଆ ଜାତିକୁ ଏକ ସୂତ୍ରରେ ବାନ୍ଧି ରଖିଛି ଏବଂ ଭାଷା ଓ ସଂସ୍କୃତିର ମହତ୍ତ୍ୱ ଓଡ଼ିଆ ଅସ୍ମିତାର ମୂଳ ଆଧାର ବୋଲି ସେ ମତପ୍ରକାଶ କରିଥିଲେ।
ଦିଗପହଣ୍ଡି ବିଧାୟକ ଶ୍ରୀ ସିଦ୍ଧାନ୍ତ ମହାପାତ୍ର ଓଡ଼ିଶାର ଗରିମାମୟ ଇତିହାସ ତଥା ଓଡିଶାର କଳା, ବିଜ୍ଞାନ, ଶିକ୍ଷା ଓ ସଂସ୍କୃତିର ସମୃଦ୍ଧି ନିମନ୍ତେ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କର ଅବଦାନ ଉପରେ ଆଲୋକପାତ କରି ଓଡ଼ିଆ ବରପୁତ୍ରମାନଙ୍କ ବୀରଗାଥାକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ।
ଖଲ୍ଲିକୋଟ ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଖଣ୍ଡବିଖଣ୍ଡିତ ଉତ୍କଳ ପ୍ରଦେଶର ଏକତ୍ରୀକରଣ ତଥା ସ୍ଵତନ୍ତ୍ର ଓଡ଼ିଶା ଗଠନରେ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ଭୂମିକା ଉପରେ ଆଲୋଚନା କରି ଜଣେ ପ୍ରଜାବତ୍ସଳ ନେତା ଭାବେ ସେ ସାଧାରଣ ଲୋକଙ୍କ ପାଇଁ ଅନେକ ଜନହିତକର କାର୍ଯ୍ୟ କରିଥିବା କଥା କହିଥିଲେ। ଓଡ଼ିଆକୁ ସ୍ୱତନ୍ତ୍ର ଭାଷା ଭାବେ ପ୍ରତିଷ୍ଠା କରିବାରେ ତାଙ୍କର ଭୂମିକା ଅନସ୍ୱୀକାର୍ଯ୍ୟ ବୋଲି କହିଥିଲେ l
ଓଡ଼ିଶା ସାହିତ୍ୟ ଏକାଡେମୀର ସମ୍ପାଦକ ଶ୍ରୀ ଚନ୍ଦ୍ରଶେଖର ହୋତା ତାଙ୍କ ବକ୍ତବ୍ୟରେ ଓଡ଼ିଶାର ଗୌରବମୟ ଐତିହାସିକ ପରିଚାଳନା, ସ୍ୱତନ୍ତ୍ର ଭାଷାଭିତ୍ତିକ ପ୍ରଦେଶ ଗଠନ ଓ ଓଡ଼ିଆ ଭାଷା–ସାହିତ୍ୟର ମୂଲ୍ୟବୋଧ ଉପରେ ଆଲୋକପାତ କରିଥିଲେ। ଖଲ୍ଲିକୋଟ ରାଜପରିବାରର ସଦସ୍ୟ ଡ଼ା. ସାକେତ ରାମରାଓ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
ସୂଚନା ଓ ଲୋକସମ୍ପର୍କ ବିଭାଗର ଉପନିର୍ଦ୍ଦେଶକ ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ପ୍ରାରମ୍ଭରେ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ଅତିଥିମାନେ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ଫୋଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ପୂଜ୍ୟପୂଜା ସାହିତ୍ୟ ସଂସଦର ସମ୍ପାଦକ ଶ୍ରୀ ମହେଶ୍ୱର ବରାଡ଼ ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ପରିଶେଷରେ କଳାକାରମାନଙ୍କ ଦ୍ଵାରା ଗଞ୍ଜାମର ପ୍ରାଚୀନ ଲୋକନୃତ୍ୟ 'ଭାରତ ଲୀଳା' ପରିବେଷିତ ହୋଇଥିଲା l
ସକାଳେ ଭୁବନେଶ୍ୱରସ୍ଥିତ ଏଜି ଛକରେ ଥିବା ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ପ୍ରତିମୂର୍ତ୍ତିରେ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ମାଲ୍ୟାର୍ପଣ କରଯାଇଥିଲା । ବିଭାଗୀୟ ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ଗୁରବୀର ସିଂ, ଉପନିର୍ଦ୍ଦେଶକ ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ, ଉପନିର୍ଦ୍ଦେଶକ ଶ୍ରୀ ଅଶ୍ୱିନୀ ଭୋଇ, ବିଭାଗର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ ଓ ସଂଗଠନର ପ୍ରତିନିଧି ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
-----------
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ