
ରାଇରଙ୍ଗପୁର, ୧୩ ଜାନୁଆରୀ (ହି.ସ.)- ଓଡ଼ିଆ ଘରର ଝିଅ ତଥା ଜଣେ ନିଷ୍ଠାପର ଯୋଗ ଶିକ୍ଷୟିତ୍ରୀ ଜୟଶ୍ରୀ ପଟ୍ଟନାୟକ ଯୋଗ ବିଜ୍ଞାନ କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରଦର୍ଶନ କରି ସମ୍ମାନଜନକ ପିଏଚ୍.ଡି (PHD) ଉପାଧି ଲାଭ କରିଛନ୍ତି। ବେଙ୍ଗାଲୁରୁ ସ୍ଥିତ ପ୍ରତିଷ୍ଠିତ ସ୍ୱାମୀ ବିବେକାନନ୍ଦ ଯୋଗ ଅନୁସନ୍ଧାନ ସଂସ୍ଥାନ (S-VYASA) ପକ୍ଷରୁ ତାଙ୍କୁ ଏହି ଡିଗ୍ରୀ ପ୍ରଦାନ କରାଯାଇଛି।
'ଓଁକାର' ଉଚ୍ଚାରଣ ଉପରେ ଗବେଷଣା:
ଜୟଶ୍ରୀଙ୍କ ଗବେଷଣାର ମୁଖ୍ୟ ବିଷୟବସ୍ତୁ ଥିଲା 'ଯୋଗ ଏବଂ ଓଁ (OM) ଉଚ୍ଚାରଣ'। ଆଧ୍ୟାତ୍ମିକତା ଏବଂ ଆଧୁନିକ ବିଜ୍ଞାନର ସମନ୍ୱୟରେ ଓଁକାର ଉଚ୍ଚାରଣ ମାନବ ଶରୀର ଉପରେ କିଭଳି ସକାରାତ୍ମକ ପ୍ରଭାବ ପକାଏ, ସେ ସମ୍ପର୍କରେ ସେ ଗଭୀର ଅନୁସନ୍ଧାନ କରିଥିଲେ। ତାଙ୍କର ଏହି ଗବେଷଣା ଯୋଗ ବିଜ୍ଞାନ କ୍ଷେତ୍ରରେ ଏକ ନୂତନ ଦିଗ ଉନ୍ମୋଚନ କରିଛି।
ରେଳବାଇ ସ୍କୁଲରୁ ପିଏଚଡି ଯାଏଁ ଯାତ୍ରା :
ଓଡ଼ିଶାର ଗର୍ବ ଜୟଶ୍ରୀ ଭୁବନେଶ୍ୱର ସ୍ଥିତ ରେଳବାଇ କଲୋନୀ ହାଇସ୍କୁଲର ଜଣେ କୃତୀ ଓ ମେଧାବୀ ଛାତ୍ରୀ ଥିଲେ। ପିଲାଦିନରୁ ଯୋଗ ପ୍ରତି ବିଶେଷ ଆଗ୍ରହ ରଖିଥିବା ଜୟଶ୍ରୀ ଜଣେ ନିଷ୍ଠାପର ସାଧିକା ଭାବେ ଅନେକ ରାଜ୍ୟ ଓ ଜାତୀୟ ସ୍ତରର ଯୋଗ ପ୍ରତିଯୋଗିତାରେ ବିଜୟୀ ହୋଇ ବହୁ ସଂଖ୍ୟକ ଟ୍ରଫି ହାସଲ କରିଛନ୍ତି। ସେ ଭୁବନେଶ୍ୱର ନିବାସୀ କୃଷ୍ଣଚନ୍ଦ୍ର ପଟ୍ଟନାୟକଙ୍କ କନ୍ୟା ଏବଂ ରାଇରଙ୍ଗପୁରର ପ୍ରତିଷ୍ଠିତ ପଟ୍ଟନାୟକ ପରିବାରର ବୋହୂ (ପ୍ରିତୋଷ ପଟ୍ଟନାୟକଙ୍କ ଧର୍ମପତ୍ନୀ)। ତାଙ୍କର ଏହି ବିରଳ କୃତିତ୍ୱ ପାଇଁ ତାଙ୍କ ପରିବାର ପକ୍ଷରୁ ତାଙ୍କ ଦାଦାଶଶୁର, ବରିଷ୍ଠ ସାମ୍ବାଦିକ ତଥା ଶ୍ରମିକ ନେତା ନିଗମାନନ୍ଦ ପଟ୍ଟନାୟକ ତାଙ୍କର ସର୍ବାଙ୍ଗିନ ଉନ୍ନତି ଓ କୃତଜ୍ଞତା ଜଣାଇଛନ୍ତି l ରାଇରଙ୍ଗପୁର ଓ ଭୁବନେଶ୍ୱର ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ