
ଭଦ୍ରକ, ୧୩ ଜାନୁଆରୀ (ହି.ସ.)- ପୁଣି ଅଲୋଡ଼ା ହୋଇଛି ଶିଶୁକନ୍ୟା । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ବୟାବନାପୁର ଗାଁରେ ଏକ ମାସକର ଶିଶୁକନ୍ୟାକୁ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି । ମାସକର ଶିଶୁକନ୍ୟାକୁ ତା’ର ଜନ୍ମକଲା ବାପା-ମାଆ ୨୦ ହଜାର ଟଙ୍କାରେ ବିକି ଦେଇଥିବା ଅଭିଯୋଗ ହୋଇଛି । ଏନେଇ ଶିଶୁକନ୍ୟାର ଜେଜେମାଆ ଭଣ୍ଡାରିପୋଖରୀ ଥାନାରେ ଏତଲା କରିଛନ୍ତି । ପୁଅ-ବୋହୂ ମିଶି ନାତୁଣୀକୁ ୨୦ ହଜାର ଟଙ୍କାରେ ବିକି ଦେଇଥିବା ବୃଦ୍ଧା ଜଣକ ଏତଲାରେ ଦର୍ଶାଇଛନ୍ତି । ଏତଲାକୁ ଭିତି କରି ତଦନ୍ତ ଆରମ୍ଭ କରିଛି ପୋଲିସ । ଘଟଣାରେ ୩ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା ଚଳାଇଛି ।
ସୂଚନା ଅନୁଯାୟୀ, ଗତକାଲି ବାପାମାଆ ଶିଶୁକନ୍ୟାକୁ ନେଇ ଭଣ୍ଡାରିପୋଖରୀ ହସ୍ପିଟାଲ ଆସିଥିଲେ । କିନ୍ତୁ, ଶିଶୁକନ୍ୟାକୁ ନିଜ ସହ ନ ଆଣି ଖାଲି ହାତରେ ଘରକୁ ଫେରିଥିଲେ । ଜେଜେମାଆ ନାତୁଣୀ ବାବଦରେ ପଚାରିବାରୁ ଉଭୟ କିଛି ନ କହି ଓଲଟି ଗାଳିଗୁଲଜ କରିଥିଲେ । ଜେଜେମାଆର ଅଭିଯୋଗ ଆଧାରରେ ୩ ଜଣଙ୍କୁ ଥାନାକୁ ଆଣି ପୋଲିସ ପଚରାଉଚରା କରୁଛି । ଘଟଣାରେ ସମ୍ପୃକ୍ତ ଆଈ ଓ ଅଭିଯୁକ୍ତ ବାପା-ମାଆଙ୍କୁ ଥାନାକୁ ଉଠାଇ ନେଇଛି ପୋଲିସ । ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରି ରହିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ