
କନ୍ଧମାଳ ,୧୩ ଜାନୁଆରି (ହି.ସ.) - ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ବିଚାରପତି, ରାଜେଶ ଦାଶ ଆଜି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ତହସିଲ ଅନ୍ତର୍ଗତ ବାଲନ୍ଦାପଡା ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ର ପୂର୍ବତନ ଆର ଆଇ ଅଜୟ କୁମାର ମଲ୍ଲିକଙ୍କୁ ୮ ହଜାର ଟଙ୍କା ଲାଂଚ ନେବା ଅଭିଯୋଗରେ, ସାକ୍ଷ ପ୍ରମାଣ ଆଧାରରେ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ଜେଲ ଓ ୨୦ ହଜାର ଟଙ୍କା ଜୋରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ସୂଚନାନୁସାରେ ଗତ ୨୦୨୩ ମସିହାରେ ଅଜୟ ବାଲନ୍ଦାପଡା ଅଂଚଳର ଜଣେ ଚାଷୀଙ୍କ ଜମିର ଡିମାର୍କେସନ କରିବା ସହ ତାଙ୍କର ଏବଂ ତାଙ୍କର ପରିବାର ର ଅନ୍ୟ ଉତରାଧିକାରୀ ମାନଙ୍କ ନାମରେ ଜମି ପଟ୍ଟା କରାଇବା ପାଇଁ ୮ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ। ଏହି ସଂକ୍ରାନ୍ତରେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ଏକ ମାମଲାର ୧୫/୨୦୨୩ ରୁଜୁ କରି ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଆଜି ବିଚାରପତି ଉକ୍ତ ମାମଲାର ବିଚାର କରି ଉପରୋକ୍ତ ରାୟ ଦେଇଛନ୍ତି। ଏଥି ସହିତ ଅଜୟ କୁମାର ମଲ୍ଲିକ ଫିରିଙ୍ଗିଆ ତହସିଲରେ କାର୍ଯ୍ୟରତ ଅଛନ୍ତି। ସେଠାରେ ତାଙ୍କର ଚାକିରିରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଚାରପତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ