
ଧର୍ମଶାଳା, ୧୩ ଜାନୁଆରୀ (ହି.ସ.)- ଜଳସମ୍ପଦ ବିଭାଗ ପକ୍ଷରୁ ଯାଜପୁର ଜିଲା ବ୍ୟାସନଗରସ୍ଥିତ ଟାଉନ ହଲଠାରେ ଜିଲା ସ୍ତରୀୟ ପାଣି ପଂଚାୟତ ପକ୍ଷ ୨୦୨୬ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯାଜପୁର ସାଂସଦ ଡ. ରିବନ୍ଦ୍ର ନାରାୟଣ ବେହେରା, ସମ୍ମାନୀତ ଅତିଥିଭାବେ କୋରାଇ ବିଧାୟକ ଆକାଶଦାସ ନାୟକ, ଜିଲା ପରିଷଦ ଅଧ୍ୟକ୍ଷା ନଳିନୀ ପ୍ରଭା ଜେନା, ଜିଲାପାଳ ଅମ୍ବର କୁମାର କର, ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ପ୍ରଣବ କୁମାର ନାୟକ, ଜିଲା ମୁଖ୍ୟ କୃଷି ଅଧିକାରୀ ତପନ ମହାପାତ୍ର, ଯାଜପୁର ଅଧିକ୍ଷଣ ଯନ୍ତ୍ରୀ ରତ୍ନାକର ଦଳାଇ ଓ ଜାରକା ଅଧିକ୍ଷଣ ଯନ୍ତ୍ରୀ ଶିଶିର କୁମାର ଦାସ ପ୍ରମୁଖ ଯୋଗ ଦେଇଥିଲେ । କୃଷିର ବିକାଶରେ ପାଣି ପଂଚାୟତର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ମଧ୍ୟ ନଦୀ ସଂଯୋଗୀକରଣ ଉପରେ ଯୋଜନା କରିଥିଲେ । ଯାଜପୁର ନଦୀ ଗୁଡିକରେ ବ୍ୟାରେଜ ନିର୍ମାଣ ସହ ଜାତୀୟ ରାଜପଥକୁ ସଂଯୋଗ କରିବା ପାଇଁ ସରକାର ଯୋଜନା କରୁଛନ୍ତି ଏବଂ ଏହା ଆଗାମୀ ଦିନରେ କାର୍ଯ୍ୟକାରୀ ହେବ । ଏହା ସହ ବ୍ରିଟିଶ ଅମଳର କେନାଲଗୁଡିକୁ ପୁନଃରୁଦ୍ଧାର କରି ଜନସେଚନ ଏବଂ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟବହାର କରାଯିବ ବୋଲି ସାଂସଦ ଶ୍ରୀ ବେହେରା ତାଙ୍କ ବକ୍ତବ୍ୟରେ କହିଥିଲେ । ଆଣ୍ଡାମାନ ନିକୋବରରେ ଜଳର ସୁପରିଚାଳନାର ଉଦାହରଣ ଦେଇ ପ୍ରଯୁକ୍ତି ବିଦ୍ୟାର ଉପଯୋଗ ଉପରେ ସାଂସଦ ଗୁରୁତ୍ୱ ଦେଇଥିଲେ । କୋରାଇ ବିଧାୟକ ଶ୍ରୀ ନାୟକ ପାଣି ପଂଚାୟତର ଆବଶ୍ୟତା ସମ୍ପର୍କରେ ବୁଝାଇବା ସହ ରେଙ୍ଗାଲି କେନାଲ କାର୍ଯ୍ୟକାରୀ ହେବା ପରେ କୋରେଇର ଏକ ବୃହତ ଅଂଚଳ ଲାଭବାନ ହେବ ବୋଲି କହିଥିଲେ । ଏହା ସହ ଆଗକୁ ପ୍ରାୟ ୩ଶହ କୋଟି ଟଙ୍କାର ଟେଣ୍ଡର ହେବା ପାଇଁ ଯାଉଛି । ଯାହା ଦ୍ୱାରା କୋରେଇ ଓ ଘଷିପୁରା ଅଂଚଳବାସୀ ଜନସେଚନ ସୁବିଧା ପାଇବେ । ବାର ମାସ ଅର୍ଥକାରୀ ଫସଲ ଉତ୍ପାଦନ କରି ଚାଷୀମାନେ କିଭଳି ବ୍ୟବସାୟୀ ଏବଂ କୃଷି ଉଦ୍ୟୋଗୀ ହୋଇପାରିବେ,ସେ ଉପରେ ବିଧାୟକ ଗୁରୁତ୍ୱ ଦେବା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପାଣି ପଂଚାୟତର ସଚେତନତା ବୃଦ୍ଧି କରିବାକୁ ପରାମର୍ଶ ଦେଇଥିଲେ । ଜିଲାପାଳ ଶ୍ରୀ କର ମୃତିକା ଭଳି ପ୍ରାକୃତିକ ସମ୍ପଦର ସଂରକ୍ଷଣ ଓ ସୁପରିଚାଳନା ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ମତ୍ସ୍ୟ ସମ୍ପଦ, ଆଗ୍ରୋ ଇଣ୍ଡଷ୍ଟ୍ରୀ, କୃଷି ବିଭାଗ, ଉଦ୍ୟାନ ବିଭାଗ, ଉଠା ଜଳସେଚନ ବିଭାଗ, ବୃହତ ଉଠା ଜଳସେଚନ ସମ୍ବଦ୍ଧୀୟ ଛାତ୍ରଛାତ୍ରମାନଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୃତି ପ୍ରତିଯୋଗୀମାନଙ୍କ ଅତିଥିମାନେ ପୁରସ୍କୃତ କରିଥିଲେ । ଶେଷରେ ପାଣି ପଂଚାୟତ ସମ୍ପାଦକ ନଳିନୀକାନ୍ତ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ