
ଖୋର୍ଦ୍ଧା, ୧୩ ଜାନୁଆରୀ (ହି.ସ.)- ଜଳ ହିଁ ଜୀବନ l ଜଳ ସମ୍ପଦର ସୁବିନିଯୋଗ ଏବଂ ଜଳର ସୁରକ୍ଷା ଆମ ସମସ୍ତଙ୍କ କର୍ତ୍ତବ୍ୟ ଓ ଦାୟିତ୍ବ l ପାନୀୟ ଜଳ ହେଉ କି ଚାଷ ଉପଯୋଗୀ ଜଳ ହେଉ, ପ୍ରାଣୀ ହେଉ କି ଉଦ୍ଭିଦ ହେଉ, ପ୍ରତ୍ୟେକ କ୍ଷେତ୍ରରେ ଜୀବନ ଧାରଣ ଓ ବଞ୍ଚିବା ପାଇଁ ଯେଉଁ ଉତ୍ସ ଗୁଡ଼ିକ ଅଛି ତନ୍ମଧ୍ୟରୁ ଜଳ ଏକ ମୁଖ୍ୟ ସମ୍ବଳ ଅଟେ l ଏଣୁ ଜଳର ସର୍ବୋତ୍ତମ ବ୍ୟବହାର ଚାଷୀ ଭାଇମାନେ ଓ ପ୍ରତ୍ୟେକ ଜନସାଧାରଣ ନିଜ ନିଜ କ୍ଷେତ୍ରରେ କରିପାରିଲେ ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଠନ ସମୃଦ୍ଧ ହୋଇପାରିବ ବୋଲି ଆଜି ଜଳ ସମ୍ପଦ ବିଭାଗ ଆନୁକୂଲ୍ୟରେ ଜିଲ୍ଲା ସଂସ୍କୃତି ବିଭାଗ ପରିସରରେ ଜିଲ୍ଲା ସ୍ତରୀୟ ପାଣିପଞ୍ଚାୟତ ପକ୍ଷ ପାଳନରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ପ୍ରତାପ ଚନ୍ଦ୍ର ବେଉରା ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦ୍ଘାଟନ କରି ଉପରୋକ୍ତ ବିଷୟ ପ୍ରକାଶ କରିଛନ୍ତି l ମୁଖ୍ୟବକ୍ତା ଭାବେ ଜିଲ୍ଲା ପରିଷଦ ସଭାପତି ରୂପଶ୍ରୀ ରାଣୀ ଗୁମାନ ସିଂହ ଯୋଗଦେଇ କହିଲେ, ଖୋର୍ଦ୍ଧା ଜିଲ୍ଲାର ଅଧିକାଂଶ ଲୋକେ କୃଷି ଉପରେ ନିର୍ଭର କରି ସେମାନଙ୍କ ପରିବାର ଭରଣ ପୋଷଣ କରନ୍ତି l ଏଣୁ ବର୍ଷା ଜଳର ସୁରକ୍ଷା, ପୋଖରୀ ଜଳର ସୁରକ୍ଷା, ଖରିଫ ଓ ରବି ଚାଷ ସମୟରେ ଜଳର ଆବଶ୍ୟକତା ପୂର୍ଣ୍ଣ ହୋଇପାରିଲେ ସମଗ୍ର ଖୋର୍ଦ୍ଧା ଜିଲ୍ଲା ଆହୁରି ଶସ୍ୟ ଶ୍ୟାମଳା ହୋଇ ଚାଷୀ ଓ କୃଷକ ମାନଙ୍କ ମେରୁଦଣ୍ଡ ମଜବୁତ୍ ସହ ଆର୍ଥିକ ପ୍ରଗତି ହେବ ବୋଲି ପ୍ରକାଶ କରିଥିଲେ l ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଉପସଭାପତି ଗୋପୀନାଥ ମହାରଣା ଯୋଗଦେଇ କହିଲେ, ଜଳସେଚନ ପ୍ରକଳ୍ପ ଗୁଡ଼ିକ କେତେକାଂଶରେ ସଠିକ୍ ସମୟରେ ବିଭିନ୍ନ ଚାଷ କାର୍ଯ୍ୟରେ ପାଣିର ଅଭାବ ଯୋଗୁଁ ଚାଷୀକୁଳ କୃଷି କାର୍ଯ୍ୟରେ ଆଶାନୁରୂପ ଉତ୍ପାଦ ପାଇ ପାରୁ ନାହାଁନ୍ତି l ଏଣୁ ଜଳ ସମ୍ପଦ ବିଭାଗ, କ୍ଷୁଦ୍ର ଜଳ ସେଚନ ବିଭାଗ, ଉଠା ଜଳସେଚନ ବିଭାଗ ସମସ୍ତେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ l ଅତିରିକ୍ତ ମୁଖ୍ୟଯନ୍ତ୍ରୀ, କେନ୍ଦ୍ରୀୟ ଜଳ ସମ୍ପଦ ଖଣ୍ଡ ରାଜେଶ ପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାଧାରଣ ସଭାରେ ସହକାରୀ ନିର୍ବାହୀ ଯନ୍ତ୍ରୀ, ଶାଳିଆ ଜଳ ସମ୍ପଦ ବିଭାଗ ସୁରେନ୍ଦ୍ର କୁମାର ସାହୁ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ରବି ନାରାୟଣ ସେନାପତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ପାଣି ପଂଚାୟତକୁ ସୁଦୃଢ କରିବା ଉପରେ ଉଭୟ ସରକାରୀ ଅଧିକାରୀ ଓ କର୍ମଚାରୀ ଏବଂ ସମସ୍ତ ପାଣି ପଂଚାୟତ ଅଂଶୀଦାର ମାନେ ସମନ୍ୱୟ ରକ୍ଷା କରି କୃଷି କ୍ଷେତକୁ ବାରମାସୀ ସବୁଜିମା ଉପରେ ବକ୍ତବ୍ୟ ରଖିଥିଲେ l
ପ୍ରକାଶ ଥାଉକି, ଜଳ ସମ୍ପଦ ବିଭାଗ ଅଧୀନ ୨୨ଟି ପାଣି ପଂଚାୟତ, କ୍ଷୁଦ୍ର ଜଳସେଚନ ବିଭାଗ ଅଧୀନ ୯୩ଟି ପାଣି ପଂଚାୟତ, ଉଠା ଜଳସେଚନ ବିଭାଗ ଅଧୀନ ୪୬୧ଟି ପାଣି ପଂଚାୟତ ଅଛି l କୃଷି କ୍ଷେତ୍ରରେ ସଫଳତା ଆଣିଥିବା ଚାଷୀ ଅଭିମନ୍ୟୁ ବେହେରା ତାଙ୍କର ଅଭିଜ୍ଞତା ମାଧ୍ୟମରେ ଉପସ୍ଥିତ ଚାଷୀ ଓ କୃଷକ ଭାଇ ମାନଙ୍କୁ ଅନୁଭୂତି ବଖାଣି ଥିଲେ l ସଭା କାର୍ଯ୍ୟରେ ସହକାରୀ ନିର୍ବାହୀ ଯନ୍ତ୍ରୀ, ଖୋର୍ଦ୍ଧା, ଜଳ ସମ୍ପଦ, ପାକିଯା ହୁସେନ ସ୍ୱାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ l
ଦିବସ ପାଳନରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା,କେନାଲ ଡିଭିଜନ, ପ୍ରାଚୀ ଜଳ ସମ୍ପଦ ଖଣ୍ଡ, ଅଧିକାରୀ, କର୍ମଚାରୀ, ଚାଷୀ, କୃଷକ ଓ ଗଣ ମାଧ୍ୟମ ପ୍ରତିନିଧି ଯୋଗଦେଇଥିଲେ l ଦିବସ ଉପଲକ୍ଷେ ପାଣି ପଂଚାୟତ ଶପଥ ପାଠ ଅନୁଷ୍ଠିତ ହୋଇଥିଲା l
ହିନ୍ଦୁସ୍ଥାନ ସମାଚାର / ରାକେଶ