ମାନବାଧିକାର ଓ ପ୍ରତିବାଦର ଅଧିକାରକୁ ରାଜ୍ୟ ସରକାର ସୁନିଶ୍ଚିତ କରିବା ଉଚିତ ଜନ ଆନ୍ଦୋଳନର କର୍ମୀମାନଙ୍କର ମାନବାଧିକାର ଓ ସାମ୍ବିଧାନିକ ଅଧିକାର ଉଲଂଘନ ସଂପର୍କରେ  ଜନଶୁଣାଣୀର ବିଚାରକମାନଙ୍କ ମତ
Bhubaneswar, 15 ଜାନୁଆରି (ହି.ସ.) ଗତ ବିଶ୍ୱ ମାନବାଧିକାର ଦିବସ ଅବସରରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ଚାଲିଥିବା ଗଣତାନ୍ତ୍ରିକ ଆନ୍ଦୋଳନ ସମୟରେ ହେଉଥିବା ମାନବାଧିକାର ଓ ସାମ୍ବିଧାନିକ ଆଇନର ଉଲ୍ଲଙ୍ଘନ ସମ୍ପର୍କରେ ଲୋକଶକ୍ତି ଅଭିଯାନ ଏବଂ ସିଭିଲ୍ ସୋସାଇଟି ଫ
ମାନବାଧିକାର ଓ ପ୍ରତିବାଦର ଅଧିକାରକୁ ରାଜ୍ୟ ସରକାର ସୁନିଶ୍ଚିତ କରିବା ଉଚିତ ଜନ ଆନ୍ଦୋଳନର କର୍ମୀମାନଙ୍କର ମାନବାଧିକାର ଓ ସାମ୍ବିଧାନିକ ଅଧିକାର ଉଲଂଘନ ସଂପର୍କରେ  ଜନଶୁଣାଣୀର ବିଚାରକମାନଙ୍କ ମତ


Bhubaneswar, 15 ଜାନୁଆରି (ହି.ସ.)

ଗତ ବିଶ୍ୱ ମାନବାଧିକାର ଦିବସ ଅବସରରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ଚାଲିଥିବା ଗଣତାନ୍ତ୍ରିକ ଆନ୍ଦୋଳନ ସମୟରେ ହେଉଥିବା ମାନବାଧିକାର ଓ ସାମ୍ବିଧାନିକ ଆଇନର ଉଲ୍ଲଙ୍ଘନ ସମ୍ପର୍କରେ ଲୋକଶକ୍ତି ଅଭିଯାନ ଏବଂ ସିଭିଲ୍ ସୋସାଇଟି ଫୋରମ୍ ଫର୍ ହ୍ୟୁମ୍ୟାନ୍ ରାଇଟ୍ସ (CSFHR) ପକ୍ଷରୁ ହୋଇଥିବା ଜନ ଶୁଣାଣିର ରିପୋର୍ଟ ଆଜି ଲୋହିଆ ଏକାଡ଼େମୀ ପରିସରରେ ଉନ୍ମୋଚିତ ହୋଇଯାଇଛି। ସେହି ଜନଶୁଣାଣୀରେ ବିଚାରକ ମଣ୍ଡଳୀ ଭାବେ ଯୋଗଦେଇଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରୁ ଜନଶୁଣାଣୀର ଅଧ୍ୟକ୍ଷ ​ପ୍ରଫେସର ମନୋରଞ୍ଜନ ମହାନ୍ତି, ପ୍ରଫେସର ସୁମିତ୍ରା ପଟେଲ, ବରିଷ୍ଠ ସାମ୍ବାଦିକ ସୁଧୀର ପଟ୍ଟନାୟକ, ଜଷ୍ଟିସ୍ ମନୋରଞ୍ଜନ ମହାନ୍ତି ଏବଂ ଆୟୋଜକମାନଙ୍କ ପକ୍ଷରୁ ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା ଏବଂ ସାମାଜିକ କର୍ମୀ ଗୌରାଙ୍ଗ ମହାପାତ୍ର ଏହି ରିପୋର୍ଟକୁ ଉନ୍ମୋଚନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟ ଶାସନ ସଚିବ ଡଃ ଅରବିନ୍ଦ ବେହେରା, ଗାନ୍ଧୀବାଦୀ ନେତ୍ରୀ ଶ୍ରୀମତୀ କ୍ରିଷ୍ଣା ମହାନ୍ତି, ପ୍ରଫେସର ଗୋଲକ ବିହାରୀ ନାଥ, ଆଇନଜୀବୀ ଭଗବାନ ସାହୁ ଏବଂ ଲୋହିଆ ଏକାଡ଼େମୀର ସମ୍ପାଦକ ଦେବପ୍ରସାଦ ରାୟ ମହାପାତ୍ର ଏହି ପୂର୍ଣ୍ଣାଙ୍ଗ ବିଚାରକ ମଣ୍ଡଳୀର ସଦସ୍ୟଭାବେ ରିପୋର୍ଟ ଉନ୍ମୋଚନରେ ସେମାନଙ୍କ ସହମତି ପ୍ରକାଶ କରିଥିଲେ।

​ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରାକୃତିକ ସମ୍ପଦକୁ ସୁରକ୍ଷା ପାଇଁ କର୍ପୋରେଟ୍ ସଂସ୍ଥାଗୁଡ଼ିକୁ ଜମି ଓ ଜଙ୍ଗଲ ହସ୍ତାନ୍ତର ବିରୋଧରେ ଗଣତାନ୍ତ୍ରିକ ଭାବେ ପ୍ରତିରୋଧ କରୁଥିବା ଲୋକଙ୍କୁ ଜିଲ୍ଲା ପ୍ରଶାସନ ପୋଲିସ ବାହିନୀ ଜରିଆରେ ଟାର୍ଗେଟ କରୁଛି ବୋଲି ଏ‌ହି ରିପୋର୍ଟ ମାଧ୍ୟମରେ ସେମାନେ ଉଦବେଗ ପ୍ରକାଶ କରିଛନ୍ତି। ସେମାନେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ପ୍ରକାଶ କରିଛନ୍ତି ଯେ ​ଜଙ୍ଗଲ ଅଧିକାର ଆଇନ (FRA) ୨୦୦୬, ପେସା (PESA) ଆଇନ ୧୯୯୬, ଜମି ଅଧିଗ୍ରହଣ ଆଇନ ୨୦୧୩ ପରି ସାମ୍ବିଧାନିକ ଆଇନଗୁଡ଼ିକୁ କ୍ରମାଗତ ଭାବେ ଉଲ୍ଲଙ୍ଘନ କରାଯାଉଛି। ପ୍ରଶାସନ ଲୋକଙ୍କ ପୂର୍ବ ସହମତିକୁ ଅଣଦେଖା କରି ଜମି ଅଧିଗ୍ରହଣ ଓ ଜଙ୍ଗଲ ଜମି ପରିବର୍ତ୍ତନ ପ୍ରକ୍ରିୟା ଜାରିରଖିଛି। ବିକାଶ ନାମରେ ଅନେକ ସ୍ଥାନରେ ଲୋକଙ୍କୁ ବଳପୂର୍ବକ ବେଦଖଲ କରାଯାଉଛି। ସେମାନଙ୍କ ବିରୋଧରେ ମିଥ୍ୟା ମାମଲା ରୁଜୁ କରାଯାଉଛି ଏବଂ ସେମାନଙ୍କର ବିରୋଧ କରିବାର ଅଧିକାରକୁ ଛଡ଼ାଇ ନିଆଯାଉଛି। ସମ୍ବିଧାନର ଧାରା ୨୧ ଅନୁଯାୟୀ ପ୍ରତ୍ୟେକ ନାଗରିକଙ୍କ ଜୀବନ ରକ୍ଷାର ଅଧିକାର ଥିବା ସତ୍ତ୍ୱେ ଅନେକ ନିରୀହ ଗ୍ରାମବାସୀଙ୍କୁ ଜେଲରେ ରଖାଯାଉଛି। ​ସିଜିମାଳି ଏବଂ ଲାଞ୍ଜିବେର୍ଣା ପରି ଅଞ୍ଚଳରେ, ଯେଉଁଠାରେ ଗ୍ରାମସଭା ଖଣି ଖନନକୁ ପ୍ରତ୍ୟାଖ୍ୟାନ କରିଛି, ସେଠାରେ ଲୋକଙ୍କୁ ବଳପୂର୍ବକ ବିସ୍ଥାପିତ କରିବା ପାଇଁ ପୋଲିସର ଅତ୍ୟାଚାର ଏକ ରଣନୀତି ଭାବେ ବ୍ୟବହୃତ ହେଉଛି।

ଏହି ଅବସରରେ ଜନଶୁଣାଣୀର ସଦସ୍ୟମାନେ ହାଇକୋର୍ଟ ବା ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଏକ କମିଶନ ପୋଲିସ ଓ କର୍ପୋରେଟ୍ ଦମନର ନ୍ୟାୟିକ ତଦନ୍ତ କରିବା ଏବଂ ଦୋଷୀ ଅଧିକାରୀଙ୍କୁ ଦଣ୍ଡ ବିଧାନ କରିବାକୁ ସୁପାରିଶ କରିଛନ୍ତି। ସେହିପରି ପରିବେଶ ଏବଂ ସାମାଜିକ ପ୍ରଭାବ ଆକଳନ (EIA/SIA)ର ଯାଞ୍ଚ ପାଇଁ ଏକ ସ୍ୱାଧୀନ କମିଟି ଗଠନ କରିବା, ଜଙ୍ଗଲ ଅଧିକାର ଆଇନ ​ଏବଂ ପେସାର ଉପଯୁକ୍ତ କାର୍ଯ୍ୟକାରିତା ପାଇଁ ସେମାନେ ପ୍ରସ୍ତାବ ଦେବା ସହ ଗ୍ରାମସଭାର ପ୍ରକୃତ ସହମତି ବିନା ଆରମ୍ଭ ହୋଇଥିବା ଯେକୌଣସି ପ୍ରକଳ୍ପକୁ ତୁରନ୍ତ ବନ୍ଦ କରାଯାଉ ବୋଲି ସେମାନେ ସୁପାରିଶ କରିଛନ୍ତି। ପ୍ରକାଶ ଥାଉ କି, ​ଏହି ରିପୋର୍ଟ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଜଳ, ଜମି, ଜଙ୍ଗଲ ଅଧିକାର ପାଇଁ ଚାଲିଥିବା ଜନ ଆନ୍ଦୋଳନ ଉପରେ ସରକାରୀ ବ୍ୟବସ୍ଥା ତଥା ପୋଲିସ ଦମନ ଉପରେ ବିଭିନ୍ନ ମାନବାଧିକାର ଓ ଜନ ଆନ୍ଦୋଳନର କର୍ମୀମାନଙ୍କ ଦ୍ଵାରା ଉପସ୍ଥାପନ କରାଯାଇଥିବା ତଥ୍ୟ ତଥା ଉଭୟ ରାଜ୍ୟ ଓ ସ୍ଥାନୀୟ ସ୍ତରରେ ହୋଇଥିବା ଜନଶୁଣାଣୀ ଉପରେ ଆଧାରିତ। ଏହି ରିପୋର୍ଟ ମାଧ୍ୟମରେ ଆଦିବାସୀ, ଦଳିତ ଏବଂ ଅବହେଳିତ ସମ୍ପ୍ରଦାୟ ତଥା ସେମାନଙ୍କ ଜୀବନ ଜୀବିକା ଓ ପ୍ରାକୃତିକ ପରିବେଶ ଉପରେ ବୃହତ ପ୍ରକଳ୍ପ ଗୁଡ଼ିକର ପ୍ରଭାବକୁ ଦର୍ଶାଯାଇଛି।

ଏହି ରିପୋର୍ଟ ଦର୍ଶାଇଛି ଯେ, ସମ୍ବିଧାନର ଧାରା ୩୭୧(୧) ଅଧୀନରେ ପଞ୍ଚମ ଅନୁସୂଚୀ ଓ ପେସା (PESA) ଆଇନକୁ ବାରମ୍ବାର ଅଣଦେଖା କରି ସାମ୍ବିଧାନିକ ସୁରକ୍ଷା କବଚର ଉଲ୍ଲଙ୍ଘନ କରାଯାଉଛି। ସିଜିମାଳି ଓ ଲାଞ୍ଜିବେର୍ଣ୍ଣାରେ ଖଣି ଖନନ ପାଇଁ ଜମି ଓ ଜଙ୍ଗଲ କମ୍ପାନୀକୁ ହସ୍ତାନ୍ତର ପାଇଁ ଗ୍ରାମସଭାର ଆବଶ୍ୟକ ସମ୍ମତି ନିଆଯାଇ ନାହିଁ। ପରିବେଶ ଓ ସାମାଜିକ ପ୍ରଭାବ ଆକଳନ ସମୟରେ ଜନ ଶୁଣାଣିକୁ ବାଦ୍ ଦିଆଯାଇଛି, ଯାହାର ଉଦାହରଣ ଭାବେ ଏସାର-ମିନମେଟ୍ ପାଇପଲାଇନ ଓ ଜିନ୍ଦଲ-ପୋସ୍କୋ ଖଣି ପ୍ରକଳ୍ପକୁ ନିଆଯାଇପାରେ। କଳିଙ୍ଗନଗର, କେନ୍ଦୁଝର, କୋରାପୁଟ ଓ ରାୟଗଡ଼ାରେ ଜଳ ପ୍ରଦୂଷଣ ଓ ଚାଷଜମି ନଷ୍ଟ ଯୋଗୁଁ ସ୍ଥାନୀୟ ଲୋକଙ୍କ ଜୀବନ ଜୀବିକା ବିପନ୍ନ ହୋଇଛି। ଶାନ୍ତିପୂର୍ଣ୍ଣ ଆନ୍ଦୋଳନକାରୀଙ୍କୁ ହତ୍ୟା ଓ ହତ୍ୟା ଉଦ୍ୟମ ପରି ସଙ୍ଗୀନ ଦଫା ଲଗାଇ ଗିରଫ କରାଯାଉଛି। ରାତି ଅଧରେ ଲାଞ୍ଜିବର୍ଣ୍ଣାରେ ଜେସିବି (JCB) ଲଗାଇ ଚାଷ ଜମିରେ ଜବରଦସ୍ତ ଖନନ କରିବା ଆତଙ୍କର ବାତାବରଣ ସୃଷ୍ଟି କରୁଛି। ଶିମିଳିପାଳର ଲୋଧା ପରି ଆଦିମ ଜନଜାତି (PVTGs) ତଥା ଅବହେଳିତ ସମ୍ପ୍ରଦାୟମାନେ ନିର୍ଯାତନା ଓ ବେଦଖଲର ସମ୍ମୁଖୀନ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ଗ୍ରାମସଭା ସହିତ ପ୍ରକୃତ ପରାମର୍ଶ, ବିସ୍ଥାପିତଙ୍କ ଥଇଥାନ, ପ୍ରଶାସନିକ ଅନିୟମିତତା ତଥା ପୋଲିସ ଦମନର ତଦନ୍ତ ପାଇଁ ଜନଶୁଣାଣୀର ବିଚାରକ ମାନେ ଆହ୍ବାନ କରିଛନ୍ତି।

ଏହି ଅବସରରେ ଜନଶୁଣାଣୀର ପୂର୍ଣ୍ଣାଙ୍ଗ ରିପୋର୍ଟ ତଥା ବିଚାରକ ମଣ୍ଡଳୀର ସୁପାରିସ୍ ଓଡ଼ିଶାର ରାଜ୍ୟପାଳ, ରାଷ୍ଟ୍ରପତି, ଜାତୀୟ ମାନବାଧିକାର କମିଶନ ଏବଂ ଜାତୀୟ ଅନୁସୂଚିତ ଜନଜାତି କମିଶନଙ୍କୁ ପ୍ରଦାନ କରାଯିବ ବୋଲି ଆୟୋଜକମାନଙ୍କ ପକ୍ଷରୁ ଘୋଷଣା କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande