
ଝାରସୁଗୁଡା, ୧୬ ଜାନୁଆରୀ (ହି.ସ.)- ଶ୍ରୀପୁରାରୁ ଠେଲକୋଲୋଇ ମଧ୍ୟରେ ଥିବା ଇଷ୍ଟକୋଷ୍ଟ ରେଲୱେ ଜମିକୁ କିଛି କମ୍ପାନୀ ବେଆଇନ ଭାବରେ ଜବରଦଖଲ କରି ବ୍ୟବହାର କରୁଛନ୍ତି। ଉକ୍ତ ଜମିକୁ ମୁକ୍ତ କରିବା ପାଇଁ ଶ୍ରୀପୁରା ଗ୍ରାମବାସୀ ସମ୍ବଲପୁର ଡିଆରଏମଙ୍କ ଉଦ୍ଦେଶ୍ୟରେ ଇଷ୍ଟକୋଷ୍ଟ ରେଲୱେର ବୃନ୍ଦାମାଲ କାର୍ଯ୍ୟାଳୟରେ ବିଭାଗୀୟ ଅଧିକାରୀ ଗୁଞ୍ଜନଙ୍କୁ ଗୁରୁବାର ପୂର୍ବାହ୍ନରେ ଦାବିପତ୍ର ପ୍ରଦାନ କରିଛନ୍ତି। ଶ୍ରୀପୁରା ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଝାରସୁଗୁଡା ଏବଂ ସମ୍ବଲପୁର ଜିଲାରେ ଥିବା କିଛି ଶିଳ୍ପ କମ୍ପାନୀ ତାଙ୍କର ଭାରି ଯାନବାହାନ ଚଳାଚଳ ପାଇଁ ରେଳବାଇ ଜମି ଉପରେ ଅସ୍ଥାୟୀ ରାସ୍ତା ନିର୍ମାଣ କରିଛନ୍ତି। ଏହା ଫଳରେ ରେଳବାଇ ସମ୍ପତ୍ତି ସହିତ ନିକଟସ୍ଥ ଜଙ୍ଗଲ ଜମି ମଧ୍ଯ ଅବୈଧ ଭାବରେ ଦଖଲ ହୋଇଛି। ଧୀରେ ଧୀରେ ଏହି କମ୍ପାନୀ ଗୁଡିକ ରେଲୱେ ବିଭାଗର ଜମି ଏବଂ ଜଙ୍ଗଲ ଜମି ଉପରେ ନିଜର ସ୍ଥିତି ଜାହିର କରି ବସିଲେଣି। ଗ୍ରାମବାସୀଙ୍କ କହିବା ଅନୁସାରେ, ଏହି ବେଆଇନ ଦଖଲ ଯୋଗୁ ଅସାମାଜିକ ବ୍ୟକ୍ତି ଏବଂ ଗୋଷ୍ଠୀ ମଧ୍ୟ ସକ୍ରିୟ ହୋଇ ଅବୈଧ ଲଘୁ ଖଣିଜ ପଦାର୍ଥ ଯୋଗାଣ, କୋଇଲା ଚୋରି ଭଳି କାର୍ଯ୍ୟକଳାପକୁ ଆଗକୁ ବଢ଼ାଉଛନ୍ତି, ଯାହାକି ଅଞ୍ଚଳର ସୁରକ୍ଷା ଓ ପରିବେଶ ପାଇଁ ଗଭୀର ବିପଦ ସୃଷ୍ଟି କରୁଛି। ଏହାସହିତ ଶିଳ୍ପ ସଂସ୍ଥାଗୁଡ଼ିକ ଅସ୍ଥାୟୀ ରାସ୍ତା ନିର୍ମାଣ ପାଇଁ ରେଳବାଇ ଜମିରେ ଥିବା ଗଛଗୁଡ଼ିକୁ କ୍ଷତି ପହଞ୍ଚାଇଥିବା ଅଭିଯୋଗ ମଧ୍ୟ ଆସିଛି। କେତେକ ସ୍ଥାନରେ ପ୍ରାକୃତିକ ନାଳ ଓ ଜଳଉତ୍ସକୁ ମଧ୍ୟ ଜବରଦଖଲ କରାଯାଇଛି। ଗ୍ରାମବାସୀମାନେ ସମ୍ବଲପୁର ଡିଆରଏମଙ୍କୁ ଦେଇଥିବା ଦାବିପତ୍ରରେ ଦର୍ଶାଇଛନ୍ତି ଯେ, ରେଲୱେ ଏବଂ ପ୍ରଶାସନ ଏହି ମାମଲାରେ ତୁରନ୍ତ ହସ୍ତକ୍ଷେପ କରି ରେଳବାଇ ଜମିକୁ ଜବରଦଖଲ ମୁକ୍ତ କରୁ ଏବଂ ପରିବେଶ ସୁରକ୍ଷା ପାଇଁ ଏହି ଜମିରେ ଚାରା ରୋପଣ ଓ ଜଙ୍ଗଲ ସୃଷ୍ଟି କରିବାକୁ ଅନୁମତି ପ୍ରଦାନ କରୁ। ଏହି ଦାବିପତ୍ର ଦେବା ସମୟରେ ଶ୍ରୀପୁରା ସରପଞ୍ଚ ଯଶୋବନ୍ତୀ ପାଣ୍ଡେଙ୍କ ସହିତ ଗ୍ରାମବାସୀ ଉପସ୍ଥିତ ଥିଲେ। ଏ ନେଇ ସମ୍ବଲପୁର ଡିଭିଜନାଲ ରେଲୱେ ମ୍ୟାନେଜର ଭିନୀତ ସିଂଙ୍କୁ ପଚାରିବାରୁ କମ୍ପାନୀଗୁଡିକ ଯଦି ରେଲୱେ ଜମିକୁ ବେଆଇନ ଭାବେ ଦଖଲ କରୁଛନ୍ତି, ତେବେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ