
ନୂଆପଡା, ୧୬ ଜାନୁଆରୀ (ହି.ସ.)- ନୂଆପଡ଼ା ଜିଲ୍ଲା ସଦର ମହକୁମାରେ ଥିବା ସଦଭାବନା ସଭା ଗୃହରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଆଜି ମିଶନ ଶକ୍ତି ଏବଂ ଓଡିଶା ଜୀବିକା ମିଶନ କାର୍ଯ୍ୟାବଳୀର ଏକ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରୋଫାଇଲ ଅପଡେଟେସନ, ବ୍ଲକ ଭିତ୍ତିକ ଆର୍ଥିକ ସମାବେସନ, ବ୍ୟକ୍ତିଗତ ଉଦ୍ୟୋଗ ଫର୍ମ ସ୍ଥିତି, ବ୍ୟାଙ୍କ ଲିଙ୍କେଜ ସ୍ଥିତି ଏବଂ ପ୍ରବାସୀ ଶ୍ରମିକଙ୍କ ପ୍ରତ୍ୟାବର୍ତ୍ତନ ସ୍ଥିତିର ସମୀକ୍ଷା କରାଯାଇଛି।
ଜିଲ୍ଲାପାଳ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ ନିଜ ନିଜ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ ସମସ୍ତ ବିଡିଓ ପ୍ରତି ପନ୍ଦର ଦିନରେ ଗୋଟିଏ ଥର ଓଡ଼ିଶା ଜୀବିକା ମିଶନ କାର୍ଯ୍ୟକ୍ରମର ସମୀକ୍ଷା କରିବେ ଏବଂ ମାସ ଶେଷରେ ଆଭାସି ବୈଠକ କରିବେ। ସମୀକ୍ଷା ସଭାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ବିଭିନ୍ନ ସଫଳତା କାହାଣୀ ପ୍ରଦର୍ଶନ କରାଯାଇଥିଲା । ଯୋଉଥିରେ କୁକୁଡ଼ା ଚାଷ, ଛତୁ ଚାଷ, ଦୁଗ୍ଧ କ୍ଲସ୍ଟର, ଟେରାକୋଟା ସାମଗ୍ରୀ ନିର୍ମାଣ ଏବଂ ଡାଲି ଯୁନିଟ ସ୍ଥାପନ ଇତ୍ୟାଦି ଅନ୍ତର୍ଭୁକ୍ତ ଥିଲା।ଏହି ସଭାରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଏଲଡିଏମ ହରିଶଙ୍କର ନିଆଲ, ଆର୍ ସେଟି ଡାଇରେକ୍ଟର ଜଗନ୍ନାଥ ସାହୁ, ପୂର୍ବତନ ଏଲଡିଏମ ସୀତାରାମ ମେହେର ପ୍ରମୁଖ ଉପସ୍ଥିତ ଥିଲେ। ମିଶନ ଶକ୍ତିର ଜିଲ୍ଲା ପ୍ରକଳ୍ପ ସଂଯୋଜକ ତଥା ଡିପିଏମ ସୁନିଲ କୁମାର ମଲ୍ଲିକ ସମୀକ୍ଷା ସଭାର ପରିଚାଳନା କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ହେମନ୍ତ