
ସମ୍ବଲପୁର, ୧୬ ଜାନୁଆରୀ (ହି.ସ.)- ଇଂରାଜୀ ନବ ବର୍ଷ ୨୦୨୬ ଆଗମନର ଶୁଭ ଅବସରରେ ଆଜି ସମ୍ବଲପୁର ବିଜେପି ଗଣମାଧ୍ୟମ ପ୍ରକୋଷ୍ଠ ପକ୍ଷରୁ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସମ୍ବଲପୁର ଜେଲ ଛକ ନିକଟସ୍ଥ ଗୁରୁଶ୍ରୀ ସତ୍ୟନାରାୟଣ ସମ୍ବଲପୁରୀ ଡେରାରେ ହୋଇଥିବା ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ସମ୍ବଲପୁରରେ କାର୍ଯ୍ୟରତ ଉଭୟ ଛାପା ଗଣମାଧ୍ୟମ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ମାନେ ସମିଲ ହୋଇଥିଲେ । ବନ୍ଧୁ ମିଳନରେ ଉପସ୍ଥିତ ସାମ୍ବାଦିକ ବନ୍ଧୁ ଓ ବିଜେପି କାର୍ଯ୍ୟକାର୍ତ୍ତାଙ୍କ ମଧ୍ୟରେ ରାଜନୈତିକ, ସାମାଜିକ, ସାଂସ୍କୃତିକ ପ୍ରସଙ୍ଗ ସମେତ ସମ୍ବଲପୁରର ସର୍ବାଙ୍ଗୀନ ବିକାଶକୁ ନେଇ ଅନେକ ସକାରାତ୍ମକ ଓ ଗଠନମୂଳକ ଚର୍ଚ୍ଚା ଆଲୋଚନା ହୋଇଥିଲା ।
କାର୍ଯ୍ୟକ୍ରମର ଆୟୋଜକ ବିଜେପି ପ୍ରବକ୍ତା ମାନସ ରଞ୍ଜନ ବକ୍ସି କହିଥିଲେ ଯେ, ମୋର ରାଜନୈତିକ ଓ ସାମାଜିକ ଜୀବନର ସଫଳତା ପଛରେ ସମ୍ବଲପୁର ଗଣମାଧ୍ୟମର ନିସର୍ତ୍ତ ଓ ଆକୁଷ୍ଠ ସହଯୋଗ ରହିଛି । ମୁଁ ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତିରୁ ଆରମ୍ଭ କରି ଜିଲ୍ଲା ଗଣମାଧ୍ୟମ ସଂଯୋଜକ ଓ ପ୍ରବକ୍ତା ପରେ କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ଓ ପ୍ରବକ୍ତା ଏବଂ ଆଜି ରାଜ୍ୟ ପ୍ରବକ୍ତା ଭାବେ କାର୍ଯ୍ୟ ସମ୍ପାଦନ କରିବା ସମୟରେ ହେଉ କି ଆଇ.ଆଇ.ଏମ ଆନ୍ଦୋଳନ ହେଉ, କି ଇଲେକ୍ଟ୍ରି ପ୍ରିପେଡ ସ୍ମାର୍ଟ ମିଟର ବିରୋଧ ପ୍ରସଙ୍ଗ ହେଉ କି ଟାଟା ପାୱାର ର ମନୋମୁଖୀ କାର୍ଯ୍ୟକଳାପ ବିରୋଧରେ ଆନ୍ଦୋଳନ ହେଉ କି ପଶ୍ଚିମାଞ୍ଚଳ ଏକତା ମଞ୍ଚ ର ମୁଖ୍ୟ ସଂଯୋଜକ ଦାୟିତ୍ୱ ତୁଲେଇବା ହେଉ ସବୁଥିରେ ସମ୍ବଲପୁର ଗଣମାଧ୍ୟମ ର ଭୂମିକା ମୋ ପାଇଁ ଚିରସ୍ମରଣୀୟ ଓ ସେଥି ପାଇଁ ମୁଁ ସଦା ସର୍ବଦା କୃତଜ୍ଞ ।
ବିଜେପି କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସିଙ୍କ ଦ୍ଵାରା ଆୟୋଜିତ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଦଳର ଜିଲ୍ଲା ସଭାପତି ରାମ ଚନ୍ଦ୍ର ମେହେର, ଦେବେନ୍ଦ୍ର ମହାପାତ୍ର, ଡ଼. ପ୍ରମୋଦ କୁମାର ରଥ, ଦାମୋଦର କର, ଅନିଲ ବେହେରା, ସୁଶାନ୍ତ କୁମାର ପୁରୋହିତ, ସମୀର ରଞ୍ଜନ ବାବୁ, ସଞ୍ଜୟ କୁମାର ଷଡଙ୍ଗୀ, ସୂର୍ଯ୍ୟ ପାଣିଗ୍ରାହୀ, ଶ୍ରୀକାନ୍ତ ପାଣିଗ୍ରାହୀ, ଦେଓ କିରଣ ପଟ୍ଟନାୟକ, ମୁକେଶ ଜରିୱାଲ, ରିକି ବେହେରା, ଅରୁଣ କୁମାର ଦାସ, ସନ୍ତୋଷ ଡାଲୁଆ, ସୌମିତ୍ର ଜତି, ରଞ୍ଜିତ ରଥ, ସୌମିକ ବାବୁ, ଅଜିତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ