
ସିମଲା, ୧୫ ଜାନୁଆରୀ (ହି.ସ.)- ହିମାଚଳ ପ୍ରଦେଶର ସୋଲାନ ଜିଲ୍ଲାର ଆର୍କି ବଜାରରେ ଘଟିଥିବା ଏହି ଦୁଃଖଦ ଦୁର୍ଘଟଣାର ଦୁଇ ଦିନ ପରେ, ସିରମୌର ଜିଲ୍ଲାରେ ଆଉ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ସିରମୌର ଜିଲ୍ଲାର ନୌହରାଧାର ଅଂଚଳରେ ଗତକାଲି ରାତିରେ ଘଟିଥିବା ଏକ ଭୟଙ୍କର ଅଗ୍ନିକାଣ୍ଡରେ ଗୋଟିଏ ପରିବାରର ଛଅ ଜଣ ସଦସ୍ୟ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ମୃତକଙ୍କ ମଧ୍ୟରେ ତିନି ଜଣ ନିର୍ଦ୍ଦୋଷ ଶିଶୁ ମଧ୍ୟ ଅଛନ୍ତି । ଏହି ହୃଦୟବିଦାରକ ଘଟଣାକୁ ନେଇ ସମଗ୍ର ଅଂଚଳ ସ୍ତବ୍ଧ ହୋଇଯାଇଛି ।
ରେଣୁକା ବିଧାନସଭା ନିର୍ବାଚନମଣ୍ଡଳୀ ସଂଗଡ଼ାହ ଉପଖଣ୍ଡର ନୌହରାଧାର ତହସିଲ ଅନ୍ତର୍ଗତ ଘଣ୍ଡୁରୀ ଗ୍ରାମପଂଚାୟତର ତଲାଗନା ଗ୍ରାମରେ ଏହି ଦୁଃଖଦ ଘଟଣା ଘଟିଛି । ବୁଧବାର ରାତିରେ, ତହସିଲ ନୌହରାଧାରର ପଟୱାର ସର୍କଲ ଘଣ୍ଡୁରୀ ଅନ୍ତର୍ଗତ ରାମଦୟାଲଙ୍କ ପୁଅ ମୋହନ ସିଂହଙ୍କ ଆବାସିକ ଘରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଘଟଣା ସମୟରେ ଘର ଭିତରେ ମୋଟ୍ ସାତ ଜଣ ଲୋକ ଥିଲେ । ନିଆଁ ଏତେ ଦ୍ରୁତ ଗତିରେ ବ୍ୟାପିଗଲା ଯେ ଭିତରେ ଶୋଇଥିବା ଲୋକମାନଙ୍କୁ ଘରୁ ପଦାକୁ ବାହାରିବାକୁ ସମୟ ମିଳିନଥିଲା ।
ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଘଟଣାସ୍ଥଳରେ ହିଁ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗ୍ରାମବାସୀଙ୍କ ସହାୟତାରେ ଜଣଙ୍କୁ ଉଦ୍ଧାର କରାଯାଇଛି । ଗୁରୁତର ଆହତ ବ୍ୟକ୍ତିଙ୍କୁ ୪୨ ବର୍ଷୀୟ ଲୋକେନ୍ଦ୍ର ବୋଲି ଚିହ୍ନଟ କରାଯାଇଛି, ସେ ତହସିଲ ଚୌପାଳ (ସିମଲା ଜିଲ୍ଲା)ର ଖୁମରା ଗ୍ରାମର ବାସିନ୍ଦା । ପ୍ରାଥମିକ ଚିକିତ୍ସା ପରେ ଲୋକେନ୍ଦ୍ରଙ୍କୁ ନୌହରାଧରରୁ ସୋଲାନ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା, ତାଙ୍କ ଅବସ୍ଥା ଗୁରୁତର ରହିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ