
ନୂଆଦିଲ୍ଲୀ, 16 ଜାନୁଆରି (ହି.ସ.)- ସାଂଖ୍ୟିକୀ ଏବଂ କାର୍ଯ୍ୟକ୍ରମ
କାର୍ଯ୍ୟାନ୍ବୟନ ମନ୍ତ୍ରଣାଳୟ ପକ୍ଷରୁ ସାଂଖ୍ୟିକୀ କ୍ଷେତ୍ରରେ ‘ସୁଖାତ୍ମେ ଜାତୀୟ
ପୁରସ୍କାର–୨୦୨୬’ ପାଇଁ ଅନଲାଇନ୍ ନାମାଙ୍କନ ପ୍ରକ୍ରିୟା ଆରମ୍ଭ
କରାଯାଇଛି। ଏହାର ପ୍ରମୁଖ ଉଦ୍ଦେଶ୍ୟ ସାଂଖ୍ୟିକୀ କ୍ଷେତ୍ରରେ ନବୀନତାକୁ ପ୍ରୋତ୍ସାହନ ଦେବା ଏବଂ
ବିଶେଷଜ୍ଞମାନଙ୍କ ଅବଦାନକୁ ଜାତୀୟ ସ୍ତରରେ ସ୍ୱୀକୃତି ଦେବା ଅଟେ।
ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ଜାରି କରାଯାଇଥିବା ଏକ ବିଜ୍ଞପ୍ତି ଅନୁସାରେ,
ଏହି
ପୁରସ୍କାର ଆଗାମୀ ୨୯ ଜୁନ୍ ୨୦୨୬ ତାରିଖରେ ‘ସାଂଖ୍ୟିକୀ ଦିବସ’
ଉତ୍ସବ
ସମୟରେ ପ୍ରଦାନ କରାଯିବ। ସମ୍ମାନ ସମାରୋହ ସମୟରେ ପୁରସ୍କାର ବିଜେତାଙ୍କୁ ଏକ ବିଶେଷ ସତ୍ରକୁ
ସମ୍ବୋଧନ କରିବା ପାଇଁ ମଧ୍ୟ ଆମନ୍ତ୍ରଣ କରାଯିବ, ଯେଉଁଠାରେ ସେମାନେ ନିଜ
ଗବେଷଣା କାର୍ଯ୍ୟର ଗୁରୁତ୍ୱ ଏବଂ ଉପଲବ୍ଧି ବିଷୟରେ ଆଲୋକପାତ କରିବେ।
ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ସ୍ୱୟଂ ନାମାଙ୍କନ କରିପାରିବେ କିମ୍ବା ବିଭିନ୍ନ
ସଂସ୍ଥାମାନଙ୍କ ଦ୍ୱାରା ସେମାନଙ୍କ ନାମ ପ୍ରସ୍ତାବିତ କରାଯାଇପାରିବ। ଏଥିପାଇଁ ୩୧ ଜାନୁଆରୀ
୨୦୨୬ ମଧ୍ୟରେ ନାମାଙ୍କନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବା ଆବଶ୍ୟକ। ଆବେଦନଗୁଡ଼ିକ କେବଳ ଜାତୀୟ
ପୁରସ୍କାର ପୋର୍ଟାଲ ମାଧ୍ୟମରେ ଅନଲାଇନ୍ ଗ୍ରହଣ କରାଯିବ।
ଏହି ପୁରସ୍କାର ପାଇଁ ୪୫ ବର୍ଷ ଓ ତାହାଠାରୁ ଅଧିକ ବୟସର ଭାରତୀୟ ସାଂଖ୍ୟିକୀବିଦ୍ମାନେ
ଆବେଦନ କରିପାରିବେ। ପ୍ରକ୍ରିୟା ସମାପ୍ତ ହେବା ପରେ ସାଂଖ୍ୟିକୀ କ୍ଷେତ୍ରରେ ଉଚ୍ଚ ଗୁଣମାନର
ଗବେଷଣା ଏବଂ ସାଂଖ୍ୟିକୀ ପ୍ରଣାଳୀକୁ ଶକ୍ତିଶାଳୀ କରିବାରେ ବିଶେଷ ଉପଲବ୍ଧି ଆଧାରରେ ବିଜେତାଙ୍କ
ଚୟନ କରାଯିବ। ଚୟନିତ ବିଜେତାଙ୍କୁ ଏକ ପ୍ରଶଂସା ପତ୍ର, ଶାଲ୍ ଏବଂ ସ୍ମୃତିଚିହ୍ନ
ପ୍ରଦାନ କରାଯିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା