
ନୂଆଦିଲ୍ଲୀ, 15 ଜାନୁଆରି (ହି.ସ.)
- ସେନା ଦିବସ
ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ସେନାର ଅଦମ୍ୟ ସାହସ, ପରାକ୍ରମ ଓ କର୍ତ୍ତବ୍ୟନିଷ୍ଠାକୁ ନମନ କରିଛନ୍ତି। ପ୍ରଧାନମନ୍ତ୍ରୀ
କହିଛନ୍ତି ଯେ ଭାରତୀୟ ସେନାର ଜବାନମାନେ ନିଃସ୍ୱାର୍ଥ ସେବା ଓ ଅଟୁଟ ସଂକଳ୍ପର ପ୍ରତୀକ, ଯେଉଁମାନେ ପ୍ରତ୍ୟେକ ପରିସ୍ଥିତିରେ ଦେଶର ସୁରକ୍ଷା ସୁନିଶ୍ଚିତ
କରନ୍ତି। ସେମାନଙ୍କର କର୍ତ୍ତବ୍ୟବୋଧ ସମଗ୍ର ଦେଶରେ ବିଶ୍ୱାସ ଓ କୃତଜ୍ଞତାର ଭାବ ସୃଷ୍ଟି କରେ।
କର୍ତ୍ତବ୍ୟ ପଥରେ ନିଜ ପ୍ରାଣ ନ୍ୟୋଛାବର କରିଥିବା ବୀର ସେନାନୀମାନଙ୍କୁ ସେ ଗଭୀର ଶ୍ରଦ୍ଧା ସହ
ସ୍ମରଣ କରିଛନ୍ତି।
ପ୍ରଧାନମନ୍ତ୍ରୀ ସୋସିଆଲ୍
ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଭିନ୍ନ ଭିନ୍ନ ବାର୍ତ୍ତା ସେୟାର କରି କହିଛନ୍ତି ଯେ, ଦୁର୍ଗମ ଅଞ୍ଚଳରୁ ଆରମ୍ଭ କରି ବରଫ଼ ଆଚ୍ଛାଦିତ ଶିଖର ପର୍ଯ୍ୟନ୍ତ
ଭାରତୀୟ ସେନାର ଶୌର୍ଯ୍ୟ ଓ ପରାକ୍ରମ ପ୍ରତ୍ୟେକ ଦେଶବାସୀଙ୍କୁ ଗର୍ବିତ କରେ। ସୀମାରେ ମୁତୟନ
ସେନାନୀମାନଙ୍କୁ ଦେଶ ହୃଦୟରୁ ଅଭିନନ୍ଦନ କରୁଛି।
ଏହି ଅବସରରେ
ପ୍ରଧାନମନ୍ତ୍ରୀ ଏକ ସଂସ୍କୃତ ସୁଭାଷିତ ମଧ୍ୟ ସେୟାର କରିଛନ୍ତି, ଯାହାରେ ସେ ସଶସ୍ତ୍ରବାହିନୀର ସାହସ, ଆତ୍ମବିଶ୍ୱାସ ଓ କର୍ତ୍ତବ୍ୟର ଶାଶ୍ୱତ ଭାବକୁ ପ୍ରଶଂସା କରିଛନ୍ତି।
ସେ କହିଛନ୍ତି—
“ଅସ୍ମାକମିନ୍ଦ୍ରଃ
ସମୃତେଷୁ ଧ୍ୱଜେଷ୍ୱସ୍ମାକଂ ଯା ଇଷବସ୍ତା ଜୟନ୍ତୁ।
ଅସ୍ମାକଂ ବୀରା ଉତ୍ତରେ
ଭବନ୍ତ୍ୱସ୍ମାଁ ଉ ଦେବା ଅବତା ହବେଷୁ॥”
(ଅର୍ଥ— ଯୁଦ୍ଧରେ ଯେତେବେଳେ ଆମର ଧ୍ୱଜ ଉତ୍ତୋଳିତ ହୁଏ, ସେତେବେଳେ ଆମ ଶସ୍ତ୍ରଗୁଡ଼ିକ ବିଜୟୀ ହେଉନ୍ତୁ। ଆମ ବୀରମାନେ ସଦା
ସର୍ବଶ୍ରେଷ୍ଠ ଓ ଅଗ୍ରଣୀ ରହୁନ୍ତୁ। ହେ ଦେବତାମାନେ, ଯୁଦ୍ଧ ଓ ସଙ୍କଟର ସମୟରେ ଆମକୁ ସୁରକ୍ଷା କରନ୍ତୁ।)
ଏହି ଶ୍ଲୋକ ରାଷ୍ଟ୍ର ଓ
ସେନା ପାଇଁ ବିଜୟ, ବୀରତା
ଓ ଈଶ୍ୱରଙ୍କ କୃପାର କାମନା କରେ। ଏଥିରେ ଯବାନମାନଙ୍କର ଶୌର୍ଯ୍ୟ, ପରାକ୍ରମ ଓ ଦେଶର ସୁରକ୍ଷା ପାଇଁ ସେମାନଙ୍କର ଅଦମ୍ୟ ସଂକଳ୍ପ
ପ୍ରତିଫଳିତ ହୋଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା