
ଖୋର୍ଦ୍ଧା, ୧୫ ଜାନୁଆରୀ (ହି.ସ.)- ଜିଲ୍ଲା ପ୍ରଶାସନ ଓର୍ମାସ ପକ୍ଷରୁ ଚଳିତ ମାସ ୧୭ରୁ ୨୩ ତାରିଖ ପର୍ଯ୍ୟନ୍ତ ୨୦୨୫-୨୬ ବର୍ଷର ସପ୍ତ ଦିବସୀୟ ପଲ୍ଲୀଶ୍ରୀ ମେଳା ଜିଲ୍ଲା ସଦର ମହକୁମାସ୍ଥ ଟିଏଲସି ରୋଡ଼ ବିଡିଏ ପଡ଼ିଆରେ ଅନୁଷ୍ଠିତ ହେବ l ଓଡ଼ିଶା ସରକାର ଓ ଭାରତ ସରକାରଙ୍କ ଭିଜନ, ବିକଶିତ ଓଡ଼ିଶା @୨୦୩୬ ଏବଂ ଏହା ବିକଶିତ ଭାରତ @୨୦୪୭ କୁ ସାକାର କରିବା ନିମନ୍ତେ ସ୍ୱଦେଶୀ ଜ୍ଞାନ କୌଶଳ ଓ ଆତ୍ମ ନିର୍ଭର ଭାରତ ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଏବଂ ମହିଳା ସଶକ୍ତିକରଣକୁ ପ୍ରୋତ୍ସାହନ ଦେବା ନିମନ୍ତେ ସୁଭଦ୍ରା ଶକ୍ତି ମେଳା ମଧ୍ୟ ଅନୁଷ୍ଠିତ ହେବ l ସରକାରଙ୍କ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ପକ୍ଷରୁ ଆସିଥିବା ସ୍ଵଦେଶୀ ଜ୍ଞାନ କୌଶଳ ଏବଂ ଆତ୍ମ ନିର୍ଭର ଭାରତ ଅଭିଯାନକୁ ସଫଳ କରିବା ଦିଗରେ ଆଞ୍ଚଳିକ ଜ୍ଞାନ କୌଶଳକୁ ବିଶ୍ବସ୍ତରୀୟ କରିବା ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ଅଟେ l ମେଳାରେ ୧୦୦ ବର୍ଗ ଫୁଟ ପ୍ରତ୍ୟେକ ଷ୍ଟଲର ପରିଧିରେ ୨୧୦ ଗୋଟି ଷ୍ଟଲ ନିର୍ମାଣ ହେବାପାଇଁ ସ୍ଥିର କରାଯାଇଛି l ସେହିପରି ମେଳାର ନିରାପତ୍ତା ସୁରକ୍ଷା ବ୍ୟବସ୍ଥା, ବିଜୁଳି ଆଲୋକ ଯୋଗାଣ, ପାନୀୟ ଜଳ ଯୋଗାଣ, ଅଗ୍ନିଶମ ସେବା, କ୍ଲୋଜ ସର୍କିଟ କ୍ୟାମେରା ଲଗାଇବା, ପରିଷ୍କାର ପରିଚ୍ଛନ୍ନ ଓ ପରିମଳ ବ୍ୟବସ୍ଥା, ଭ୍ରାମ୍ୟମାଣ ଏଟିଏମ ବ୍ୟବସ୍ଥା, ପ୍ରାଥମିକ ଚିକିତ୍ସା ଓ ଆମ୍ବୁଲାନ୍ସ ସେବା, ଷ୍ଟଲ ଗୁଡ଼ିକୁ ବୀମାଭୁକ୍ତ କରିବା ଏବଂ ପ୍ରତ୍ୟେକ ସନ୍ଧ୍ୟାରେ ଆକର୍ଷଣୀୟ ଚିତ୍ତାକର୍ଶକ ପାରମ୍ପାରିକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ଏଣୁ ସହରର ସମସ୍ତ ଜନସାଧାରଣ ତଥା ଜିଲ୍ଲାର ସମସ୍ତ ଜନସାଧାରଣ ଏହି ସପ୍ତ ଦିବସୀୟ ପଲ୍ଲୀଶ୍ରୀ ମେଳାରେ ବିଭିନ୍ନ ଘର କରଣା ଜିନିଷ କିଣିବା ସହ ନିଜର ଅଭିଜ୍ଞତା ହାସଲ କରି ପଲ୍ଲୀଶ୍ରୀ ମେଳାକୁ ସାଫଲ୍ୟ ମଣ୍ଡିତ କରାନ୍ତୁ l
ପଲିଶ୍ରୀ ମେଳାରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ନିମନ୍ତେ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି l
ହିନ୍ଦୁସ୍ଥାନ ସମାଚାର / ରାକେଶ