


ସମ୍ବଲପୁର, ୧୫, ଜାନୁଆରୀ (ହି.ସ.) ଆସନ୍ତା ‘ସୁଭଦ୍ରା ଶକ୍ତି ମେଳା–୨୦୨୬’ର ସୁଚାରୁ ଆୟୋଜନ ନିମନ୍ତେ ଆଜି ସମ୍ବଲପୁର ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ରାଜାସ୍ୱ ସୁଧାଂଶୁ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମେଳାର ତାରିଖ, ସ୍ଥାନ, ଆୟୋଜନ ପ୍ରକ୍ରିୟା ଓ ବିଭିନ୍ନ ବ୍ୟବସ୍ଥା ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରାଯାଇଛି। ସୂଚନା ଅନୁଯାୟୀ ଜିଲ୍ଲା ସ୍ତରୀୟ ‘ସୁଭଦ୍ରା ଶକ୍ତି ମେଳା–୨୦୨୬’ ଆଗାମୀ ଫେବୃଆରୀ ମାସ ୧୧ ରୁ ୧୭, ପର୍ଯ୍ୟନ୍ତ ସମ୍ବଲପୁର ଅଇଁଠାପାଲି ସ୍ଥିତ ପିଏଚ୍ଇଡି ପଡିଆ ଠାରେ ଆୟୋଜିତ ହେବ।ଏହା ସହିତ ଫେବୃଆରୀ ମାସ ୧୧ରୁ ୧୩ ପର୍ଯ୍ୟନ୍ତ ଜିଲ୍ଲା କୃଷି ମେଳା, ଉଦ୍ୟାନ କୃଷି ମେଳା ତଥା ମତ୍ସ୍ୟ ସମ୍ପଦ ମେଳା ମଧ୍ୟ ଅନୁଷ୍ଠିତ ହେବା। ପ୍ରତିଦିନ ସନ୍ଧ୍ୟା ୬ଟାରୁ ୯ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ, ଯେଉଁଥିରେ ଲୋକନୃତ୍ୟ, ଯୁବ ପ୍ରଦର୍ଶନ ଓ ଜିଲ୍ଲା ଭିତ୍ତିକ ସାଂସ୍କୃତିକ କାର୍ଯ୍ୟକ୍ରମ ର ବ୍ୟବସ୍ଥା କରାଯାଇଛି। ଭିନ୍ନ-ଭିନ୍ନ ବ୍ଲକରୁ ମହିଳାମାନଙ୍କ ଅଂଶଗ୍ରହଣ ନିମନ୍ତେ ଏକ୍ସପୋଜର ଭିଜିଟ୍ ବ୍ୟବସ୍ଥା କରାଯିବ। ସୁରକ୍ଷା ଦୃଷ୍ଟିରୁ ପୁଲିସ୍ ନିଯୁକ୍ତି, ଅଗ୍ନି ସୁରକ୍ଷା, ପ୍ରଥମିକ ଚିକିତ୍ସା ଓ ମେଡିକାଲ ଚେକ୍ଅପ୍ ବ୍ୟବସ୍ଥା ନିଶ୍ଚିତ କରାଯିବ। ମେଳା ପରିସରରେ ଅବିଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ, ଅଂଶଗ୍ରହଣକାରୀଙ୍କ ପାଇଁ ରହଣୀ ବ୍ୟବସ୍ଥା ଓ ଯାତାୟାତ ବ୍ୟବସ୍ଥା, ପାନୀୟ ଜଳ, ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟବିଧି ଉପରେ ବିଶେଷ ଗୁରୁତ୍ୱ ଦିଆଯିବ। ବୈଠକରେ ଉପସ୍ଥିତ ଅଧିକାରୀମାନେ ନିଜର ଦାୟିତ୍ଵ ସୁଚାରୁ ରୂପେ ବହନ କରି ମେଳାକୁ ସଫଳ କରିବା ଉପରେ ଗୁରୁତ୍ବ ଦିଆଯାଇଥିଲା। ମେଳା ପରିସରରେ ପ୍ରାୟ ୧୫୦ ରୁ ଉର୍ଦ୍ଧ ଷ୍ଟଲ୍ ସ୍ଥାପନ କରାଯିବ, ଯେଉଁଥିରେ ଖାଇବା ଷ୍ଟଲ୍ ସହ ବିଭିନ୍ନ ବିଭାଗୀୟ ଷ୍ଟଲ୍ ମାଧ୍ୟମରେ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମର ପ୍ରଚାର-ପ୍ରସାର କରାଯିବ। ଜିଲ୍ଲାଗୁଡ଼ିକୁ ଷ୍ଟଲ୍ ସମ୍ବନ୍ଧୀୟ ସୂଚନା ପ୍ରଦାନ କରାଯିବା ସହ ମଞ୍ଚ, ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର ବ୍ୟବସ୍ଥା ଉପରେ ମଧ୍ୟ ଆଲୋଚନା ହୋଇଛି।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ