


ସୁବର୍ଣ୍ଣପୁର, ୧୯ ଜାନୁଆରୀ (ହି.ସ.)- ସୁବର୍ଣ୍ଣପୁର ଜିଲ୍ଲା କ୍ରିକେଟ ସଂଘ ପକ୍ଷରୁ ଆଜି ସୋନପୁର ଗାନ୍ଧି ଷ୍ଟାଡିୟମ୍ ଠାରେ ୩୭ ତମ ସର୍ବଭାରତୀୟ ଲାଲମନି କ୍ରିକଫେଷ୍ଟ୍ ୨୦୨୬ ମହାସମାରୋହରେ ଶୁଭ ଉଦ୍ଘାଟନ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଇଞ୍ଜିନିୟର ରଘୁନାଥ ଜଗ ଦଲା ଯୋଗଦେଇ ଲାଲ୍ ମନି କ୍ରିକେଟ୍ ର ଭିତ୍ତି ପ୍ରସ୍ତରର ଉନ୍ନତି ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ପ୍ରକାର ସହଯୋଗ ଯୋଗାଇ ଦେବା ସହ ଏକ ସ୍ପୋର୍ଟସ ହଷ୍ଟେଲ ଶୀଘ୍ର ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ l ସୁବର୍ଣ୍ଣପୁର ଜିଲ୍ଲାପାଳ ଡଃ. ନୃପରାଜ ସାହୁ ଓ ଏସପି ନାରାୟଣ ନାଏକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜିଲ୍ଲା କ୍ରିକେଟ୍ ସଂଘକୁ ଓ ସି ଏ ର ପୂର୍ଣ୍ଣ ସହଯୋଗ ଜିଲ୍ଲାବାସୀ ଓ ରାଜ୍ୟ ସରକାରଙ୍କ ସହଯୋଗରେ ଆଜି ସର୍ବ ଭାରତୀୟ ସ୍ତରରେ ଏହି କ୍ରିକେଟ ଖ୍ୟାତି ଅର୍ଜନ କରିଛି ବୋଲି ଭୂୟସୀ ପ୍ରଶଂସା କରିଥିଲେ l ଏ ଅୟୋଜନର ଆହୁରି ଆଡମ୍ବର ଓ ସଫଳତା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗକୁ ସମସ୍ତ ସହାୟତା ଯୋଗାଇ ଦେବାକୁ କହି ଆଗାମୀ ଦିନରେ ଓସିଏ ସଭାପତି ତଥା ଶିଳ୍ପପତି ଶ୍ରୀ ମହାନ୍ତିଙ୍କ କ୍ରିକେଟ୍ ଓ ଶିଳ୍ପ କ୍ଷେତ୍ରରେ ଆମ ଜିଲ୍ଲା ସହିତ ଉଭୟ ସଂପର୍କ ଯୋଡ଼ି ରହିଲେ କ୍ରିକେଟ୍ ର ବିକାଶ ସହ ଜିଲ୍ଲାର ମଧ୍ୟ ବିକାଶ ହେବ ବୋଲି ପ୍ରକାଶ କରିଥିଲେ l
ସଭାରେ ସ୍ବତନ୍ତ୍ର ଅତିଥି ଓଡ଼ିଶା ଓ କଲିକତା ର ପ୍ରାକ୍ତନ ବିଚାରପତି ତଥା ଲାଲ୍ ମନି କ୍ରିକେଟ ସଂଘର ମୂଖ୍ୟ ଉପଦେଷ୍ଟା ଜଷ୍ଟିସ ଚିତ୍ତ ରଞ୍ଜନ ଦାଶଙ୍କ ଏକ ଶୁଭେଛା ବାର୍ତ୍ତା ପଠନ କରା ଯାଇଥିଲା l ଓଡ଼ିଶା କ୍ରିକେଟ ସଂଘ ର ସଭାପତି ପଙ୍କଜ ଲୋଚନ ପଧାନ ଓ କୋଷାଧ୍ୟକ୍ଷ ଶ୍ରୀ ବିକାଶ ପଧାନ ଯୋଗଦେଇ ଏହାର ଅୟୋଜନକୁ ପ୍ରଶଂସା କରିଥିଲେ l କ୍ରିକେଟ ସଂଘ ସଭାପତି ରାମ ଶଙ୍କର ସାହୁ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ସଂପାଦକ ପ୍ରଦୀପ କୁମାର ସେଠୀ ମଞ୍ଚlସିନ ଥିଲେ l ବି. ସତ୍ୟ ନାରାୟଣ ରାଓ ଧନ୍ୟବାଦ୍ ଅର୍ପଣ କରିଥିଲେ। ପରେ ପରେ ଅତିଥି ମାନଙ୍କ ଦ୍ୱାରା ଲାଲ୍ ମନି କ୍ରିକେଟର ପତାକା ଉତ୍ତୋଳନ ଓ ଟ୍ରଫି ଉନ୍ମୋଚନ ହୋଇଥିବା ବେଳେ ଉଭୟ ଦଳର ଖେଳାଳୀ ମାନଙ୍କ ସହ ଅତିଥି ପରିଚୟ ପ୍ରଦାନ କରାଯାଇଥିଲା l ପରେ ପରେ ପଡ଼ିଆରେ ଜାତୀୟ ସଙ୍ଗୀତ ଗାନ କରାଯାଇ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯାଇଥିଲା। ଦର୍ଶକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଖେଳ ପଡିଆର ଶୃଙ୍ଖଳା ଖେଳାଳୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଥିବା ଜଣାପଡିଛି।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ