
ଝାରସୁଗୁଡ଼ା, ୧୯ ଜାନୁଆରୀ (ହି.ସ.)- ମାନବିକତା ଓ କର୍ତ୍ତବ୍ୟନିଷ୍ଠାର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛି ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ମାର୍ଗଦର୍ଶନରେ ପରିଚାଳିତ ‘ସ୍ନେହ ସେତୁ’ ପଦକ୍ଷେପ ମାଧ୍ୟମରେ ଆଜି ପୁଣି ଏକ ବିଚ୍ଛିନ୍ନ ପରିବାର ଏକାଠି ହୋଇଛି। ଦୀର୍ଘ ୨ ବର୍ଷ ୯ ମାସର ପ୍ରତୀକ୍ଷା ପରେ ଝାଡ଼ଖଣ୍ଡର ଅନାମିକା ମୁଣ୍ଡା ନିଜ ପରିବାରକୁ ଫେରିଛନ୍ତି ।
୨୦୨୩ରେ ‘ପରିଚୟ’ ଏନଜିଓ ମାଧ୍ୟମରେ ଅନାମିକାଙ୍କୁ ଯେତେବେଳେ ‘ମିଶନ ଆଶ୍ରା-୨’ କେନ୍ଦ୍ରକୁ ଅଣାଯାଇଥିଲା, ସେତେବେଳେ ତାଙ୍କ ମାନସିକ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିଲା । ସେ ନିଜର ପରିଚୟ ଦେବାକୁ ଅସମର୍ଥ ଥିବାବେଳେ କାହାରି ସହ କଥା ହେଉନଥିଲେ । ଜିଲ୍ଲା ପ୍ରଶାସନର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତାଙ୍କୁ ଉପଯୁକ୍ତ ଚିକିତ୍ସା, କାଉନସେଲିଂ ଏବଂ ଯତ୍ନ ପ୍ରଦାନ କରାଯାଇଥିଲା । ଧୀରେ ଧୀରେ ସେ ସୁସ୍ଥ ହେବା ସହ ନିଜ ଗ୍ରାମର ନାମ କହିପାରିଥିଲେ ।
ଅନାମିକାଙ୍କ ଦ୍ୱାରା ପ୍ରଦତ୍ତ ସୀମିତ ତଥ୍ୟକୁ ଆଧାର କରି ମିଶନ ଆଶ୍ରା ଟିମ୍ ଗୁଗଲ୍ ସାହାଯ୍ୟରେ ତାଙ୍କର ଠିକଣା ଝାଡ଼ଖଣ୍ଡର ପିଥୋରିଆ ଥାନା ଅଧୀନରେ ଥିବା ଜାଣିବାକୁ ପାଇଥିଲେ । ଭିଡିଓ କଲ୍ ମାଧ୍ୟମରେ ଅନାମିକାଙ୍କୁ ତାଙ୍କ ପରିବାର ଦେଖିବା ପରେ ସେ ତାଙ୍କ ପରିଜନ ବୋଲି ପରିଚୟ ପ୍ରଦାନ କରିବା ସହ ସ୍ପଷ୍ଟ କରିଥିଲେ।
ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଉପସ୍ଥିତିରେ ଅନାମିକା ତାଙ୍କ ପୁଅକୁ ଭେଟିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଜିଲ୍ଲା ପ୍ରଶାସନର ଏହି ଅଭିନବ ପ୍ରୟାସ ସ୍ନେହ ସେତୁ ଦ୍ୱାରା ଏପର୍ଯ୍ୟନ୍ତ ଅନେକ ବିଚ୍ଛିନ୍ନ ପରିବାର ଏକାଠି ହୋଇପାରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ