
ନୂଆପଡା, ୧୯ ଜାନୁଆରୀ (ହି.ସ.)- ନୂଆପଡା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟରେ ଏନଏସି ସ୍ତରୀୟ ବନ୍ଦେ ମାତରଂ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି । ଏନଏସି ଅଧ୍ୟକ୍ଷ ମହମ୍ମଦ ଆଦମଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନୂଆପଡା ବିଧାୟକ ଜୟ ଢୋଲକିଆ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ ମହରା, ଜିଲ୍ଲା କ୍ରୀଡା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢ଼େଇ, ସାମ୍ବାଦିକ ଘନଶ୍ୟାମ ଭୋଇ ଯୋଗ ଦେଇଥିଲେ । ସମାରୋହରେ ସମସ୍ତ ଏନଏସି କାଉନସିଲର ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ଢୋଲକିଆ ଭାରତୀୟ ସଂସ୍କୃତି ଓ ପରମ୍ପରା ମହାନ ବୋଲି ମତବ୍ୟକ୍ତ କରିଥିଲେ । ଜାତୀୟ ସଙ୍ଗୀତ ବନ୍ଦେ ମାତରଂ କେବଳ ଏକ ସଙ୍ଗୀତ ନୁହେଁ ଏହା ଏକ ପ୍ରତୀକାତ୍ମକ ରାଷ୍ଟ୍ରବାଦର ଚିହ୍ନ ଅଟେ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ।
ଏହି ଅବସରରେ ନୂଆପଡା ଏନଏସି ଅଞ୍ଚଳର ୧୭ ଗୋଟି ସରକାରୀ, ବେସରକାରୀ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ହୋଇଥିଲା । କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରତିଯୋଗିତା ଗୁଡିକୁ ସିଇଓ ସୁରଭି ପାଣିଗ୍ରାହୀ, ଯାଜ୍ଞସେନୀ ପାଣିଗ୍ରାହୀ ପ୍ରମୁଖ ପରିଚାଳନା କରିଥିଲେ ।ଅତିଥିଗଣ ସମସ୍ତ ଏନଏସି କାଉନସିଲର, ଏନଏସିର କାର୍ଯ୍ୟକର୍ତ୍ତା, ବିଦ୍ୟାଳୟର ଛାତ୍ରଛାତ୍ରୀ ସାମୁହିକ ବନ୍ଦେ ମାତରଂ ଗାନ କରିଥିଲେ । ଏହାକୁ ଶିକ୍ଷକ ରାମେଶ୍ୱର ଦାଶ ପରିଚାଳନା କରିଥିଲେ ।
କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ ସଂକର୍ଷଣ ପୁରୋହିତ ମଞ୍ଚ ପରିଚାଳନା କରିଥିଲେ । ଶେଷରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀନିବାସ ମିର୍ଦ୍ଧା ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ