
ମାଲକାନଗିରି, ୧୯ ଜାନୁଆରୀ (ହି.ସ.)-
ମାଲକାନଗିରି ବନଖଣ୍ଡ ପକ୍ଷରୁ ଜିଲ୍ଲାର ବିଭିନ୍ନ ରେଞ୍ଜ ପକ୍ଷରୁ ଆଜି ପକ୍ଷୀ ଗଣନା ହୋଇଛି । ସତିଗୁଡା, ଚିତ୍ରକୋଣ୍ଡା, ବାଲିମେଳା ଜଳଭଣ୍ଡାର ସହ ସିଲେରୁ, ସାବେରୀ, ସପ୍ତଧାରା, ପାଙ୍ଗମ, ତମସା ଆଦି ନଦୀ ଓ ଜଳପ୍ରପାତ ଗୁଡ଼ିକରେ ରବିବାର ଭୋରୁ ଅପରାହ୍ନ ପର୍ଯ୍ୟନ୍ତ ପକ୍ଷୀ ଗଣନା କରାଯାଇ ୬୦ ପ୍ରଜାତିର ଦେଶୀ ଓ ୧୦ ପ୍ରଜାତିର ବିଦେଶୀ ପକ୍ଷୀଙ୍କୁ ପ୍ରଥମ ପର୍ଯ୍ୟlୟରେ ଚିହ୍ନଟ କରାଯାଇଥିବା ଡିଏଫଓ ସାଇକିରନ ଡି. ଏନ ଓ ସହକାରୀ ବନ ସଂରକ୍ଷକ ମୁନୁସୁନ ଖେମୁଣ୍ଡୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ପ୍ରଥମ ଥର, ଚଳିତ ବର୍ଷ ହାଇସ୍କୁଲ, କଲେଜର ଛାତ୍ରଛାତ୍ରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଅଂଶଗ୍ରହଣ କରି ପକ୍ଷୀ ଗଣନା ସମ୍ପର୍କରେ ଅଭିଜ୍ଞତା ଅର୍ଜନ କରିଥିଲେ । ମାଲକାନଗିରି ବନଖଣ୍ଡରେ ଜଳପକ୍ଷୀ ଗଣନା-୨୦୨୬ କରାଯାଇଥିଲା। ମାଲକାନଗିରି ଜିଲ୍ଲାର ୯ଟି ସ୍ଥାନରେ ୨୪ଟି ଦଳ ଦ୍ୱାରା ଗଣନା କରାଯାଇଥିଲା, ଯେଉଁଥିରେ ସ୍କୁଲ ଏବଂ କଲେଜ ଛାତ୍ରଛାତ୍ରୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ସକ୍ରିୟ ଅଂଶ ଗ୍ରହଣଥିଲା ଏବଂ ଏହି ଋତୁରେ ଜିଲ୍ଲାକୁ ଆସୁଥିବା ବିଭିନ୍ନ ପ୍ରବାସୀ ପକ୍ଷୀମାନଙ୍କ ବିଷୟରେ ସଚେତନତା ସୃଷ୍ଟି କରାଯାଇଥିଲା।
ଗଣନା ସମୟରେ ୬୦ରୁ ଅଧିକ ପ୍ରଜାତିର ଦେଶୀ ଓ ୧୦ରୁ ଊର୍ଦ୍ଧ୍ବ ବିଦେଶୀ ପ୍ରଜାତିର ପକ୍ଷୀ ଚିହ୍ନଟ କରାଯାଇଛି । ଯେଉଁଥିରେ ଟଫ୍ଟେଡ୍ ଡକ୍, ନର୍ଦର୍ଣ୍ଣ ପିଣ୍ଟେଲ୍, ରେଡ୍-କ୍ରେଷ୍ଟେଡ୍ ପୋଚାର୍ଡ ଇତ୍ୟାଦି ପ୍ରବାସୀ ପ୍ରଜାତି ଅନ୍ତର୍ଭୁକ୍ତ ଥିବାର ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଏହି ପକ୍ଷୀ ଗଣନା କାର୍ଯ୍ୟରେ ମାଲକାନଗିରି ବନଖଣ୍ଡ ଅଧିକାରୀ ସାଇ କିରନ ଡି.ଏନ, ସହକାରୀ ବନ ସଂରକ୍ଷକ ମୁନ ସୁନ ଖେମୁଣ୍ଡୁଙ୍କ ସହ ମାଲକାନଗିରି, କାଲିମେଳା, ବାଲିମେଳା, ମୋଟୁ, ଚିତ୍ରକୋଣ୍ଡା, ମାଥିଲି, ରେଞ୍ଜର ଓ ବନ କର୍ମଚାରୀମାନେ ସାମିଲ ଥିଲେ। ବିଶେଷ କରି ମାଲକାନଗିରି ରେଞ୍ଜ ଅଧୀନ ସତିଗୁଡା ଜଳଭଣ୍ଡାର ମଧ୍ୟରୁ ଆଜି ବିଭିନ୍ନ ପ୍ରଜାତିର ମୋଟ ୩୨୦୩ଟି ପକ୍ଷୀ ଗଣନା କରାଯାଇଥିବା ମାଲକାନଗିରି ରେଞ୍ଜର ରମେଶ ଚନ୍ଦ୍ର ରାଉତ ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ