
ମାଲକାନଗିରି, ୧୯ ଜାନୁଆରୀ(ହି.ସ.) – ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ପୁସୁଗୁଡା ପଞ୍ଚାୟତ ଅନ୍ତର୍ଗତ ଉରୁବେଲି ସରକାରୀ ଉନ୍ନତ ଉଚ୍ଚ ବିଦ୍ୟାଳୟକୁ ବସ୍ ଯାତାୟତ ସୁବିଧା ନଥିବାରୁ ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସ୍କୁଲ ୩୨୬ ନମ୍ବର ଜାତୀୟ ରାଜପଥରୁ ପ୍ରାୟ ୩ ରୁ ୪ କିମି ଦୂରରେ ଅବସ୍ଥିତ ଥିବାରୁ ଦୈନିକ ଯାତାୟତ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇ ଉଠିଛି। ସୂଚନା ଅନୁଯାୟୀ, ମାଲକାନଗିରିକୁ ପଡ଼ୋଶୀ ଆନ୍ଧ୍ର ପ୍ରଦେଶ ସହ ଯୋଡ଼ୁଥିବା ୩୨୬ ନମ୍ବର ଜାତୀୟ ରାଜପଥର ପୁଷୁଗୁଡ଼ା ଗ୍ରାମଛକରୁ ସ୍କୁଲ ପର୍ଯ୍ୟନ୍ତ ପ୍ରାୟ ୪ ରୁ ୫ କିମି ଦୂର ଯାତ୍ରା କରିବାକୁ ପଡ଼ୁଛି। ଏହି ରାସ୍ତାରେ କୌଣସି ଚାରିଚକିଆ ଯାନ ଚଳାଚଳ କରୁନଥିବାରୁ ଲୋକେ କେବଳ ମୋଟରସାଇକେଲ କିମ୍ବା ଚାଲି ଚାଲି ଯାତାୟତ କରୁଛନ୍ତି। ସ୍କୁଲରେ ପଢ଼ୁଥିବା ପ୍ରାୟ ୨୮୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରାୟ ୧୫୦ ଜଣ ଆଖପାଖ ଗ୍ରାମରୁ ପ୍ରତିଦିନ ଚାଲି ଚାଲି ସ୍କୁଲକୁ ଆସୁଥିବାବେଳେ ଅନ୍ୟ ୧୦୦ରୁ ଅଧିକ ଛାତ୍ରଛାତ୍ରୀ ବସ୍ କିମ୍ବା ଅଟୋ ଯୋଗେ ପୁଷୁଗୁଡ଼ା ଛକ ପର୍ଯ୍ୟନ୍ତ ଆସି ସେଠାରୁ ପୁଣି ଚାଲି ସ୍କୁଲକୁ ଯାଉଛନ୍ତି। ଏଭଳି ପରିସ୍ଥିତିରେ ଦୈନିକ ୪ କିମିରୁ ଅଧିକ ଦୂର ଚାଲିବା ପରେ ସ୍କୁଲ ପହଂଚିବାରୁ ପାଠପଢ଼ାରେ ମନୋଯୋଗ ଦେବା କଷ୍ଟକର ହୋଇପଡ଼ୁଥିବା ବେଳେ ବିଭିନ୍ନ ସମୟରେ ଛାତ୍ର ଛାତ୍ରୀଙ୍କ ଦେହ ଅବସ୍ଥା ବିଗିଡ଼ି ଯାଉଥିବା ଅଭିଯୋଗ ହୋଇଛି। ଅନ୍ୟପଟେ, ସରକାରଙ୍କ ମୁଖ୍ୟମନ୍ତ୍ରୀ ବସ୍ ସେବା ଅଧୀନରେ କାଲିମେଳାରୁ ପୁଷୁଗୁଡ଼ା ହୋଇ ମୋଟୁ ଯାଉଥିବା ଗୋଟିଏ ବସ୍ ଚଳାଚଳ କରୁଛି। ପ୍ରାୟ ସମସ୍ତ ଛାତ୍ରଛାତ୍ରୀ ଏହି ବସ୍ ଯୋଗେ ପୁଷୁଗୁଡ଼ା ଛକ ପର୍ଯ୍ୟନ୍ତ ଆସୁଥିବାବେଳେ, ବସ୍ଟି ଯଦି ମୁଖ୍ୟ ରାସ୍ତାରୁ ସ୍କୁଲ ପର୍ଯ୍ୟନ୍ତ ଅତିରିକ୍ତ ଭାବେ ଯାତାୟତ କରେ, ତେବେ ଛାତ୍ରଛାତ୍ରୀଙ୍କ ସହିତ ସ୍ଥାନୀୟ ଗ୍ରାମବାସୀମାନେ ମଧ୍ୟ ଉପକୃତ ହେବେ ବୋଲି ଦାବି ହେଉଛି। ଏହି ସମସ୍ୟା ନେଇ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ସ୍ଥାୟୀ ସମାଧାନ ମିଳିନଥିବା ବେଳେ ଏ ସମ୍ପର୍କରେ ସୋମବାର ଦିନ ସ୍କୁଲ ଛାତ୍ରଛାତ୍ରୀ କାଲିମେଳା ବିଡିଓ ପ୍ରଦୀପ କୁମାର କରଙ୍କୁ ଏକ ଲିଖିତ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଶ୍ରୀ କରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ବସ୍ ସେବାର ରୁଟ୍ ଏହି ରାସ୍ତା ଦେଇ ନଥିବାରୁ ବସ୍ ଚଳାଚଳ କରୁନାହିଁ। ତଥାପି ଛାତ୍ରଛାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଉଚ୍ଚାଧିକାରୀଙ୍କ ସହ ଆଲୋଚନା କରି ବସ୍ ଚଳାଚଳ ବ୍ୟବସ୍ଥା କରାଯିବ ବୋଲି ସେ ଆଶ୍ୱାସନ ଦେଇଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ