ଲଇକେରା ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର : ୧୬ ଗୋଟି ଅଭିଯୋଗର ଶୁଣାଣି
Grievance at laikera
ଲଇକେରା ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର : ୧୬ ଗୋଟି ଅଭିଯୋଗର ଶୁଣାଣି


ଝାରସୁଗୁଡ଼ା, ୧୯ ଜାନୁଆରୀ (ହି.ସ.)- ଜିଲ୍ଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କ ସମସ୍ୟାର ସମାଧାନ ନିମନ୍ତେ ଲଇକେରା ଠାରେ ଏକ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ମୋଟ ୧୬ ଗୋଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ସେଥିମଧ୍ୟରୁ ୮ ଗୋଟି ବ୍ୟକ୍ତିଗତ ଏବଂ ୮ ଗୋଟି ସାମୂହିକ ଅଭିଯୋଗ ରହିଥିଲା। ଏହି ଅବସରରେ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ଜଣେ ହିତାଧିକାରୀଙ୍କୁ ୨୦,୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଶିବିରରେ ଲଇକେରା ବ୍ଲକର ବିଭିନ୍ନ ଅଞ୍ଚଳରୁ ଆସିଥିବା ଜନସାଧାରଣ ନିଜ ନିଜର ସମସ୍ୟା ଉପସ୍ଥାପନ କରିଥିଲେ। ବିଶେଷ କରି ସନ୍ଧ୍ୟା ସମୟରେ ଲଇକେରାରୁ ଝାରସୁଗୁଡ଼ାକୁ ସରକାରୀ ବସ୍ ସେବା ଯୋଗାଇବା, ଖଇରଡ଼ିହି ଓ କୁଲେମୁରାରେ ସରକାରୀ ଜମିରେ ବେଆଇନ ବନ୍ଧ ଖୋଳାଯିବା ଏବଂ ଯୋଗିଆଡ଼ିହି ଓ କିର୍ମିରା ଅଞ୍ଚଳରେ ସରକାରୀ ରାସ୍ତା ତଥା ଜମିକୁ ଜବରଦଖଲ ମୁକ୍ତ କରିବା ପାଇଁ ଦାବି ହୋଇଥିଲା।

ଏଥିସହିତ ପାନପାଳି ଗ୍ରାମ ଦେଇ ଯାଇଥିବା ଆର.ଡି ରାସ୍ତା ଓ ତେଲେନ ନଦୀ ଉପରେ ବ୍ରିଜ ନିର୍ମାଣ, ମୁରାଦିପାଲି ଅଞ୍ଚଳରେ ଅଚଳ ଉଠା ଜଳସେଚନ ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ଏବଂ ବୃନ୍ଦାମାଲ ମୁଖ୍ୟ ରାସ୍ତାରେ ଥିବା ମଦ ଦୋକାନକୁ ସ୍ଥାନାନ୍ତରଣ କରିବା ସମ୍ବନ୍ଧରେ ଅଞ୍ଚଳବାସୀ ଅଭିଯୋଗ କରିଥିଲେ। ଜିଲ୍ଲାପାଳ ସମସ୍ତ ଅଭିଯୋଗର ଶୁଣାଣି କରିବା ପରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହାର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande