
ଭୁବନେଶ୍ୱର, ୧୯ ଜାନୁୟାରୀ (ହି.ସ)- ଓଡିଶାକୁ ୫ ଦିନିଆ ଗସ୍ତରେ ଆସିଥିବା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ୫ ଜଣିଆ ପ୍ରତିନିଧି ଦଳ ପଂଚସଖା ଶିକ୍ଷା ସେତୁ ସଂଗଠନ କାର୍ଯ୍ୟାଳୟକୁ ପରିଦର୍ଶନ କରିଛନ୍ତି । ପୁରାତନ ଛାତ୍ରଛାତ୍ରୀ ସମେତ ବିଭିନ୍ନ ଗୋଷ୍ଠୀ ସମ୍ପ୍ରଦାୟର ସହଯୋଗରେ ବିଦ୍ୟାଳୟରେ ସର୍ବାଙ୍ଗୀନ ବିକାଶ କରାଯାଉଥିବା କାର୍ଯ୍ୟକ୍ରମକୁ ପ୍ରତିନିଧିମାନେ ବେଶ୍ ପ୍ରଶଂସା କରିଛନ୍ତି। ଏଭଳି କାର୍ଯ୍ୟକ୍ରମ ଅନନ୍ୟ ଏବଂ ବିଦ୍ୟାଳୟର ବିକାଶ ସହ ଶିକ୍ଷାର ଉନ୍ନତି ଦିଗରେ ଏହା ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ପ୍ରକାଶ କରିଛନ୍ତି ।
ମହରାଷ୍ଟ୍ରରୁ ଆସିଥିବା ପ୍ରତିନିଧି ଦଳଙ୍କ ମଧ୍ୟରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ ପ୍ରିୟା ଖାନ୍, ପ୍ରଶାସନିକ ଅଧିକାରୀ (ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ) ସୁଶ୍ରୀ ରାହୁଲ ମାତ୍ରେଙ୍କ ସମତେ ଆଉ ୩ ଜଣ ପ୍ରଥମେ ପଂଚସଖା ଶିକ୍ଷା ସେତୁର କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ ।
କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଏକ ବୈଠକ ଆୟୋଜିତ ହୋଇଥିଲା । ପିଏସ୍ଏସ୍ ର ସଦସ୍ୟ ସଚିବ ତଥା ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀମତୀ ଅନନ୍ୟା ଦାସ ଅଭାସୀ ଜରିଆରେ ଯୋଗ ଦେଇଥିଲେ । ପ୍ରତିନିଧିଙ୍କୁ ସ୍ୱାଗତ କରିବା ସହ ପୁରାତନ ଛାତ୍ରଛାତ୍ରୀ ସଂଯୋଗ ସମ୍ପର୍କରେ ପ୍ରକାଶ କରିଥିଲେ। ସେହିପରି କାର୍ଯ୍ୟାଳୟର ମୁଖ୍ୟ ପରିଚାଳନା ଅଧିକାରୀ ଶ୍ରୀମତୀ ରାଜଲକ୍ଷ୍ମୀ ଦାଶ ଉପସ୍ଥିତ ରହି ଅନୁଷ୍ଠାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ବୁଝାଇଥିଲେ। ପୁରାତନ ଛାତ୍ରଛାତ୍ରୀଙ୍କ ଅବଦାନରେ ବିଦ୍ୟାଳୟରେ ଆସିଥିବା ପରିବର୍ତନ ବିଷୟରେ କହିଥିଲେ । ଏହାସହ ପଞ୍ଚସଖା ଶିକ୍ଷା ସେତୁ ଅଧୀନରେ କରାଯାଉଥିବା ସିଏସ୍ଆର୍ କାର୍ଯ୍ୟକ୍ରମ, ଐତିହ୍ୟ ବିଦ୍ୟାଳୟ, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ବିଦ୍ୟାଳୟ ସୁରକ୍ଷା ଓ ରକ୍ଷଣାବେକ୍ଷଣ, ଆକାଂକ୍ଷୀ ପାଠ୍ୟକ୍ରମ ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ବିଷୟରେ ସେମାନଙ୍କୁ ବିସ୍ତୃତ ଭାବରେ ବୁଝାଇଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ ବେଶ ପ୍ରଶଂସା କରିଥିଲେ ଶ୍ରୀମତୀ ଖାନ୍ । ମହାରାଷ୍ଟ୍ର ଓ ଓଡିଶାର ଶିକ୍ଷା ବ୍ୟବସ୍ଥା ମଧ୍ୟରେ ମଧ୍ୟ ବହୁ ଆଲୋଚନ କରିଥିଲେ ।
ଅପରାହ୍ଣରେ ପ୍ରତିନିଧି ଦଳ ବଡଗଡ ଉଚ୍ଚ ବିଦ୍ୟାଳୟ ଓ ବନମାଳୀପୁରସ୍ଥିତ କୁଶଭଦ୍ର ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ପୁରାତନ ଛାତ୍ରଛାତ୍ରୀଙ୍କ ଅବଦାନରେ ବିଦ୍ୟାଳୟରେ ଆସିଥିବା ବିଭିନ୍ନ ପ୍ରକାରର ବିକାଶକୁ ଦେଖିଥିଲେ । ପୁରାତନ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ମଧ୍ୟ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା