
ନୂଆପଡ଼ା, ୧୯ ଜାନୁଆରୀ(ହି.ସ.) – ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକରେ ଅଭିଯୋଗ ଶୁଣାଣୀ ଶିବିର ପରେ ଅପରାହ୍ନରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଭୋଜପୁର ଗ୍ରାମ ପଂଚାୟତରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଓ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ଜିଲ୍ଲାପାଳଙ୍କ ସହିତ ବନଖଣ୍ଡ ଅଧିକାରୀ ଖଡ଼ିଆଳ, ଅଜିଜ ଖାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ସିଡିଏମ୍ ଓ ଡଃ ଦ୍ୱାରିକାନାଥ ଶତପଥୀ, ବିଡ଼ିଓ ମିଲନ କୁମାର ଝାଙ୍କର, ତହସିଲଦାର ନରସିଂହ ଗଡ଼ବା, ସ୍ଥାନୀୟ ସରପଂଚ କୁଳମଣି ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଏହି ପଂଚାୟତରେ ଝିଅ ପାଇଁ ଗଛଟିଏ ଏବଂ ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସମାରୋହରେ ଜିଲ୍ଲାପାଳ ଶିଶୁ କନ୍ୟାକୁ ଆଶିର୍ବାଦ ସହିତ ଉପହାର ପ୍ରଦାନ କରି ଥିଲେ। ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମରେ ଗାଁର ଛଅ ଜଣ ଗର୍ଭବତୀ ମହିଳାଙ୍କୁ ଏହି ସମାରୋହରେ ଫଳମୂଳ, ପନିପରିବା, ପୃଷ୍ଟିକର ଖାଦ୍ୟ ଏବଂ ବିଭିନ୍ନ ଉପହାର ଅତିଥିମାନେ ଭେଟି ଦେଇଥିଲେ। ଏହାପରେ ଜିଲ୍ଲାରୁ ପ୍ରବାସୀ ଶ୍ରମିକ ସମସ୍ୟା ଦୂର କରିବା ପାଇଁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା। ବିଡ଼ିଓ ମିଲନ ଝାଙ୍କର ସ୍ୱାଗତ ସମ୍ଭାଷଣ ଦେଇଥିଲେ। ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଧରୁଆ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସଭାରେ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଜନ ସାଧାରଣଙ୍କୁ ନିଜ ନିଜ ବିଭାଗର ଜନ କଲ୍ୟାଣକାରୀ ଯୋଜନା ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ। ପ୍ରବାସୀ ଶ୍ରମିକ ପ୍ରଥାର ଅପକାରୀତା ଓ ଏହାକୁ କିଭଳି ଭାବେ ନିରାକରଣ କରାଯାଇ ପାରିବ ସେ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ। ଏହାସହିତ ନୂଆପଡ଼ା ଥରେ ମାତ୍ର ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ମୁକ୍ତ ଜିଲ୍ଳା ଘୋଷିତ ହୋଇଥିବାରୁ ଏସବୁର ବ୍ୟବହାର ନକରିବାକୁ ସମସ୍ତଙ୍କୁ ସଚେତନ କରାଯାଇଥିଲା। ଏହା ସହିତ ବିବାହ ତଥା ପର୍ବ ପର୍ବାଣୀରେ ପ୍ଲାଷ୍ଟିକ ଖଲି ଦନା ଗ୍ଲାସ୍ ଇତ୍ୟାଦିର ବ୍ୟବହାର ସଂପୂର୍ଣ୍ଣ ବନ୍ଦ କରିବା ପାଇଁ ଜିଲ୍ଲାପାଳ ଏକ ବର୍ତନ ବ୍ୟାଙ୍କର ଉଦ୍ଘାଟନ କରିଥିଲେ। ଜିଲ୍ଲାପାଳ ସମସ୍ତଙ୍କୁ ସମ୍ବୋଧନ କରି କହିଲେ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ସୁବିଧା ସୁଯୋଗ ମିଳୁଥିବାରୁ ପ୍ରବାସୀ ଶ୍ରମିକ ହିସାବରେ ଅନ୍ୟ ରାଜ୍ୟକୁ ନଯିବା ପାଇଁ ସମସ୍ତେ ପଣ କରନ୍ତୁ। ଜିଲ୍ଲା ପ୍ରଶାସନ ସମସ୍ତ ଶ୍ରମିକମାନଙ୍କୁ ଖାଦ୍ୟ, ଉତମ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଜଳସେଚନ ସୁବିଧା ସହିତ ଜୀବନ ଜୀବିକା ନିର୍ବାହ ପାଇଁ ବିଭିନ୍ନ ଯୋଜନାରେ ସାମିଲ କରିବା ପାଇଁ ପଦକ୍ଷେପ ନେଉଛନ୍ତି। ସମସ୍ତେ ମିଶି ନୂଆପଡ଼ାକୁ ପ୍ରବାସୀ ଶ୍ରମିକ ଏବଂ ପ୍ଲାଷ୍ଟିକ ମୁକ୍ତ ଜିଲ୍ଲାରେ ପରିଣତ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ। ସଭାରେ ଶ୍ରେଷ୍ଠ ଶ୍ରୋତା, ସଫେଇ କର୍ମଚାରୀ, ମନରେଗା ଯୋଜନାରେ ଅଧିକ ଦିନ କାମ କରିଥିବା ଶ୍ରମିକ, ଶ୍ରେଷ୍ଠ ଛାତ୍ରୀ, ଖେଳାଳୀ, କଳାକାର ଇତ୍ୟାଦିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସାମ୍ବାଦିକ ତଥା କଳାକାର କୁନାଲ ଚରଣ ବେହେରା ଓ ସାଥୀ ପରିବେଶ ସୁରକ୍ଷା ତଥା ପ୍ରବାସୀ ଶ୍ରମିକ ସଚେତନତା ପାଇଁ ପାଲା ପରିବେଷଣ କରିଥିଲେ। ସ୍ଥାନୀୟ ବିଦ୍ୟାଳୟର ଛାତ୍ରୀମାନେ ସୁନ୍ଦର ନୃତ୍ୟଗୀତ ପରିବେଷଣ କରିଥିଲେ। ଶେଷରେ ପକ୍ଷୀ ପାଇଁ ଦିନଟିଏ କାର୍ଯ୍ୟକ୍ରମରେ ଅତିଥିମାନେ ପକ୍ଷୀମାନଙ୍କ ପାଇଁ ଖାଦ୍ୟ ଜଳ ଯୋଗାଇ ଦେଇଥିଲେ। ଏହି ଶିବିରକୁ ଖଡ଼ିଆଳ ବିଡ଼ିଓ, ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପ୍ରୋଗ୍ରାମ ଅଫିସର୍ ନମିତା ପାଢ଼ୀ, ଖଡ଼ିଆଳ ସିଡିପିଓ ଲତା ଦିଗାଲ, ସ୍ଥାନୀୟ ସରପଂଚ, ପଂଚାୟତିରାଜ ବିଭାଗ, ଜଙ୍ଗଲ ବିଭାଗ ପ୍ରମୁଖ ଆୟୋଜନ କରିଥିଲେ। ଶିବିର ପରେ ଜିଲ୍ଲାପାଳ ଝିତ୍ରିଧୋଡ଼ା ଗାଁକୁ ଯାଇ ଫେରନ୍ତା ପ୍ରବାସୀ ଶ୍ରମିକ ତୁଳସୀରାମ ଭୋଇ ଓ ଶଙ୍କର ଲାଲ୍ ଭୋଇଙ୍କୁ ଭେଟିଥିଲେ। ସେମାନଙ୍କୁ ବିଭିନ୍ନ ସରକାରୀ ଯୋଜନାରେ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେବାସହିତ ଗାଆଁରୁ ଆଉ କେହି ପ୍ରବାସୀ ଶ୍ରମିକ ହିସାବରେ ନଯିବା ପାଇଁ ପରାମର୍ଶ ଦେଇଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ହେମନ୍ତ