
ଜୟପୁର, ୧୯ ଜାନୁଆରି (ହି.ସ.) - ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ଅଧ୍ୟୟନ କେନ୍ଦ୍ର ଆନୁକୁଲ୍ୟରେ ଶିକ୍ଷକ ଶିକ୍ଷା ବିଭାଗର ଅଧିଗ୍ରହଣ ଉତ୍ସବ ମାନବୀୟ ବିଭାଗର ତୃତୀୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଅଧିଗ୍ରହଣ ଉତ୍ସବରେ ମୁଖ୍ୟ ଅତିଥି ଭାବରେ କୋରାପୁଟସ୍ଥିତ ଇଗ୍ନୁ ଆଂଚଳିକ ନିର୍ଦ୍ଦେଶାଳୟର ଆଂଚଳିକ ନିର୍ଦ୍ଦେଶକ ଡ଼ଃ ଲତିକା ମିଶ୍ର ଉପସ୍ଥିତ ରହି ଦୁଇ ବର୍ଷିଆ ବି.ଏଡ୍ ପାଠ୍ୟକ୍ରମର ବିଭିନ୍ନ ଦିଗ ସମ୍ପର୍କରେ ବ୍ୟାପକ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ଭାବରେ ବିଶ୍ୱବିଦ୍ୟାଳୟର ଇଗ୍ନୁ ସଂଯୋଜକ ତଥା ସ୍ନାତକୋତର ପରିଷଦର ଅଧ୍ୟକ୍ଷ ଡ ପ୍ରଶାନ୍ତ କୁମାର ପାତ୍ର ଉପସ୍ଥିତ ରହି ପ୍ରଥମ ଥର ପାଇଁ ଇଗ୍ନୁ ବିଏଡ୍ ପାଠ୍ୟକ୍ରମର ନାମଲେଖା ହୋଇଥିବାରୁ ଆଂଚଳିକ ନିର୍ଦ୍ଦେଶକଙ୍କୁ ଧନ୍ୟବାଦ ଅର୍ପଣ କରିବା ବିଏଡ ବିଭାଗ ପାଇଁ ସହ ସହକାରୀ ସଂଯୋଜକ ଭାବେ ନୂତନ ଭାବେ ନିଯୁକ୍ତ ଡ଼ ମନୋରଞ୍ଜନ ପ୍ରଧାନଙ୍କୁ ସ୍ୱାଗତ କରିବା ସହ ନିୟମିତ ଶିକ୍ଷକ ଶିକ୍ଷା ପାଠ୍ୟକ୍ରମ ଭଳି ଇଗ୍ନୁ ବିଏଡ୍ ପ୍ରଶିକ୍ଷାର୍ଥୀଙ୍କୁ ପ୍ରଶିକ୍ଷଣ ଦେଇ ଯୋଗ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରସ୍ତୁତ କରିବା ପାଇଁ ପରାମର୍ଶ ଦେଇଥିଲେ। ଡ଼ ପ୍ରଧାନ ଉପସ୍ଥିତ ପ୍ରଶିକ୍ଷାର୍ଥୀଙ୍କୁ ବିଏଡର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିବା ସହ ଭବିଷ୍ୟତରେ ଦେଶପାଇଁ କିଭଳି ସମର୍ପିତ ଶିକ୍ଷକ ଶିକ୍ଷୟିତ୍ରୀ ଭାବରେ ସେବା ଦାନ କରିପାରିବେ ସେଥିପାଇଁ ଗୁରୁତ୍ୱ ଦେଇଥିଲେ। ସୂଚନାଯୋଗ୍ୟ କି ପ୍ରଥମ ଥର ପାଇଁ ବିଶ୍ୱବିଦ୍ୟାଳୟରେ ନିୟମିତ ଦୁଇ ବର୍ଷିଆ ବିଏଡ୍ ସହିତ ଇଗ୍ନୁ ବିଏଡ୍ ପାଠ୍ୟକ୍ରମର ପଂଚାବନ ଜଣ ପ୍ରଶିକ୍ଷାର୍ଥୀ ନାମ ଲେଖାଇଛନ୍ତି। ଅଧିଗ୍ରହଣ ଉତ୍ସବରେ ପ୍ରଶିକ୍ଷାର୍ଥୀଙ୍କ ସହ ସମସ୍ତ ସହକାରୀ ପ୍ରଫେସର ଓ କର୍ମଚାରୀ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି