
ଧର୍ମଶାଳା,୧୯ଜାନୁଆରୀ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ କୁମାରୀ ଗ୍ରାମର ବିଏସପି ବିଧାୟକ ପ୍ରାର୍ଥୀ ଗୋବିନ୍ଦ ସାହୁଙ୍କ (୬୫)ଙ୍କ ଆଜି ପରଲୋକ ହୋଇଯାଇଛି। ସେ ଦୀର୍ଘ ଦିନ ହେବ ଅସୁସ୍ଥ ହୋଇ କଟକ ଏସସିବି ମେଡିକାଲରେ ଚିକିତ୍ସିତ ହେଉଥିଲେ। ଆଜି ସକାଳେ ଚିକିତ୍ସିତ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି। ତାଙ୍କ ମରଶରୀର ନିକଟରେ ପତ୍ନୀ କଲ୍ୟାଣୀ , ଝିଅ ଟିକି, ଟିଟି, ଜିକେ ଓ ବନ୍ଧୁ ପରିବାର ଉପସ୍ଥିତ ଥିଲେ। ସେ ଶାନ୍ତ, ସରଳ, ମେଳାପୀ, ଧର୍ମପରାୟଣ ବ୍ୟକ୍ତି ଓ ଜଣେ ସଫଳ ବ୍ୟବସାୟୀ ଭାବରେ ଜଣାଶୁଣା। ମୃତ୍ୟୁ ଖବର ଜଣାପଡିବା ପରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, କଂଗ୍ରେସ ନେତା କିଶାନ ପଣ୍ଡା ସମେତ ବହୁ ମାନଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଁଚି ଶେଷ ଦର୍ଶନ କରିବା ସହିତ ତାଙ୍କ ପରିବାରକୁ ସମବେଦନା ଜଣାଇଥିଲେ। ପରେ ମରଶରୀରକୁ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ପୁରୀ ସ୍ୱର୍ଗଦ୍ୱାରକୁ ନିଆଯାଉଥିବା ବେଳେ ରାସ୍ତାରେ କଂଗ୍ରେସ ନେତା ମାନସ ରଞ୍ଜନ କର ତାଙ୍କୁ ଶେଷ ଦର୍ଶନ କରିଥିଲେ । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ ସମ୍ପନ୍ନ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ