
ଧର୍ମଶାଳା,୧୯ଜାନୁଆରୀ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଳକ କାର୍ଯ୍ୟାଳୟ ପରିସର ସମ୍ମିଳନୀ କକ୍ଷରେ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଶୁଣାଣୀ ଅଭିଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶିବିରରେ ଜିଲ୍ଲାପାଳ ଅମ୍ବର କୁମାର କର ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ଆପତି ଅଭିଯୋଗର ଶୁଣାଣି କରିଥିଲେ । ବିଭାଗୀୟ ଅଧିକାରୀ ମାନେ ଏହି ଅଭିଯୋଗ ଗୁଡିକ ଯାଂଚ କରି ଉପଯୁକ୍ତ ଅଭିଯୋଗକାରୀଙ୍କ ଅଭିଯୋଗକୁ ଯଥାସମ୍ଭବ ସମାଧାନ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ଆଜି ମୋଟ ୧୦୨ ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା । ସେଥିମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ସମ୍ପର୍କୀୟ ୬୨ ଗୋଟି, ଗୋଷ୍ଠୀଗତ ସମସ୍ୟା ସମ୍ପର୍କୀୟ /ଗ୍ରାମ୍ୟ ସମସ୍ୟା ସମ୍ପର୍କୀୟ ୦୫ ଗୋଟି, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ନିମନ୍ତେ ୩୫ ଗୋଟି ଅଭିଯୋଗର ଶୁଣାଣି କରାଯାଇଥିଲା । ୩୭ ଟି ଅଭିଯୋଗର ତତ୍କାଳ ଫଇସଲା କରାଯାଇଥିଲା । ଏହି ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧିକ୍ଷକ ୟଶପ୍ରତାପ ଶ୍ରୀମାଲ, ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା ଜିଲ୍ଲାପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବୀପ୍ରସାଦ ମହାନ୍ତି, ଉପ ଜିଲ୍ଲାପାଳ ତାପସ ରଞ୍ଜନ ଦେହୁରୀ, ଧର୍ମଶାଳା ବିଡିଓ ଜ୍ୟୋତିର୍ମୟ କର, ତହସିଲଦାର ସମୀର ରଞ୍ଜନ ଦାସ ଓ ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ, କ୍ଷେତ୍ରୀୟ ଅଧିକାରୀ, ବ୍ଲକ ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କର ଆପତିି ଅଭିଯୋଗର ଶୁଣାଣି କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ