
ଭୁବନେଶ୍ୱର, ୧୯ ଜାନୁୟାରୀ (ହି.ସ)-ଅଖିଳ ଭାରତ କଂଗ୍ରେସ କମିଟି ତରଫରୁ ସମଗ୍ର ଭାରତ ବର୍ଷରେ ମନରେଗା ବଞ୍ଚାଓ ସଂଗ୍ରାମ ଆରମ୍ଭ କରାଯାଇଛି । ଏହି କ୍ରମରେ ରାଜୀବ ଗାନ୍ଧୀ ପଂଚାୟତିରାଜ ସଂଗଠନ ଓଡ଼ିଶା ତରଫରୁ ରାଜ୍ୟସ୍ତରୀୟ ମନରେଗା ବଂଚାଅ ସତ୍ୟାଗ୍ରହ ଲୋୟର ପିଏମଜି ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନର ଜାତୀୟ ଅଧ୍ୟକ୍ଷ ଡ. ସୁନିଲ ପନୱର ଏବଂ ଉପାଧ୍ୟକ୍ଷ କୁନାଲ ବାନାର୍ଜୀ ଯୋଗଦେଇ ମନରେଗାର ପରିବର୍ତିତ ରୂପ ରେଖ ବିଷୟରେ ବିସ୍ତୃତ ବିବରଣୀ ଦେଇଥିଲେ ଏବଂ ଜନସାଧାରଣଙ୍କୁ ଲୋକଙ୍କର ହକ୍ ପାଇଁ ପଞ୍ଚାୟତ ସ୍ତରକୁ ଯାଇ ଲଢ଼େଇ କରିବାର ଆହ୍ୱାନ ଦେଇଥିଲେ । ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନର ରାଜ୍ୟ ଅଧ୍ୟକ୍ଷ ସୁଦର୍ଶନ ଦାସଙ୍କ ଅଧ୍ୟକ୍ଷତାରେ ଏହି ସତ୍ୟାଗ୍ରହ ଅନୁଷ୍ଠିତ ହୋଇଥିଲା ଏବଂ ଅନୁଷ୍ଠାନର ରାଜ୍ୟ ସାଧାରଣ ସମ୍ପାଦକ ବିଜୟ କୁମାର ପ୍ରଧାନ ଏହାକୁ ପରିଚାଳନ କରିଥିଲେ । ସଂଗଠନ ତରଫରୁ ରାଜ୍ୟପାଳଙ୍କ କାର୍ଯ୍ୟଳାୟକୁ ସାକ୍ଷାତକାର ସହିତ ଦାବି ପତ୍ର ଦେବା ପାଇଁ ଏକ ଅନୁରୋଧ ପତ୍ର ଦିଆଯାଇଥିଲା । କିନ୍ତୁ ରାଜ୍ୟପାଳଙ୍କ କାର୍ଯ୍ୟାଳୟରୁ କୌଣସି ଉତର ମିଳିନଥିଲା। ଏହାକୁ ଆନ୍ଦୋଳନକାରୀମାନେ ଗ୍ରହଣ କରିପାରିନଥିଲେ । ରାଜ୍ୟପାଳଙ୍କର ଏତାଦୃଶ ଆଚରଣକୁ ଦୁର୍ଭାଗ୍ୟଜନକ ବୋଲି ବିଚାର କରି ଏକ ନିନ୍ଦା ପ୍ରସ୍ତାବ ଆଗତ କରାଯାଇ ଗ୍ରୁହିତ କରାଯାଇଥିଲା । ଆସନ୍ତାକାଲି ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସଂଗୃହିତ ଦସ୍ତଖତ ସମ୍ବଳିତ ଦାବିପତ୍ରକୁ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦ୍ୟେଶରେ ପଠାଇବାକୁ ନିଷ୍ପତି ନିଆଯାଇଥିଲା । ଏହି ସଭାରେ କଂଗ୍ରେସର ବରିଷ୍ଠ ନେତୃଗଣ ଶ୍ରୀକାନ୍ତ ଜେନା, ଡ. ରାମଚନ୍ଦ୍ର ଖୁଣ୍ଟିଆ, ଅନନ୍ତ ପ୍ରସାଦ ସେଠୀ, ଜଗନ୍ନାଥ ପଟ୍ଟନାୟକ, ଜୟଦେବ ଜେନା, ଶରତ ରାଉତ, ଦେବାଶିଷ ନାୟକ, ଭୂଜବଳ ମାଝୀ, ନଗେନ୍ଦ୍ର ପ୍ରଧାନ ପ୍ରମୁଖ ପରିବର୍ତିତ ମନରେଗା ଯୋଜନାର ରୂପରେଖ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ଏବଂ ସରକାର କିପରି ଜନତା ମାରଣ ନୀତି ଆପଣେଇଛନ୍ତି ସେ ବିଷୟରେ ସବିଶେଷ ତଥ୍ୟ ରଖିଥିଲେ। ଉକ୍ତ ସତ୍ୟାଗ୍ରହରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ଶିବାନନ୍ଦ ରାୟ, ଅମୀୟ ପଟ୍ଟନାୟକ, ପ୍ରକାଶ ଜେନା, ବଳରାମ ବଗର୍ତୀ, ବାସନ୍ତୀ ସାମଲ ଓ ସିଲି ସେଠୀ ପ୍ରମୁଖ ଏହି ଆଲୋଚନାରେ ଉପସ୍ଥିତ ଥିଲେ ।ସତ୍ୟାଗ୍ରହ ପରେ ସଂଗଠନର ବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇ ଆଗାମୀ କାର୍ଯ୍ୟସୂଚୀ ଉପରେ ଆଲୋଚନା କରାଯାଇଥିଲା । ଆଗାମୀ ଦିନରେ ମନରେଗା ବଞ୍ଚାଓ ସଂଗ୍ରାମକୁ ଓଡ଼ିଶାର ପ୍ରତ୍ୟେକଟି ପଞ୍ଚାୟତରେ ପହଂଚାଇବା ସହିତ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଏହି ବୈଠକରେ ରଣନୀତି ପ୍ରସ୍ତୁତ କରାଯାଇଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା