
ରୋହତକ, ୪ ଜାନୁଆରୀ (ହି.ସ.)- ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମଙ୍କୁ ପୁଣି ଥରେ ୪୦ ଦିନର ପାରୋଲ ମିଳିଛି । ଏହା ଜେଲରୁ ତାଙ୍କର ୧୫ତମ ମୁକ୍ତି । କୁହାଯାଉଛି ଯେ, ୪୦ ଦିନର ଅବଧି ମଧ୍ୟରେ ରାମ ରହିମ ସିରସା ସ୍ଥିତ ଡେରାରେ ରହିବେ ।
ରବିବାର ଡେରା ମୁଖ୍ୟ ରାମ ରହିମଙ୍କୁ ପ୍ରଶାସନ ପକ୍ଷରୁ ୪୦ ଦିନର ପାରୋଲ ଦିଆଯାଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ଜେଲ୍ ପରିସରରେ ଅତିରିକ୍ତ ବ୍ୟବସ୍ଥା କରାଯାଇଛି । ବିଗତ ଦିନରେ ରାମ ରହିମଙ୍କ ପାରୋଲକୁ ନେଇ ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତିଙ୍କ ପୁଅ ଅଂଶୁଲ ମଧ୍ୟ ପ୍ରଶ୍ନ ଉଠାଇଥିଲେ । ଅଂଶୁଲ ପ୍ରଶ୍ନ କରିଥିଲେ ଯେ, ରାମ ରହିମ ଜଣେ ସାଧାରଣ କଏଦୀ ନୁହଁନ୍ତି ବରଂ ଜଣେ କୁଖ୍ୟାତ ଅପରାଧୀ । ସରକାର ହାଇକୋର୍ଟକୁ ଅବଗତ କରାଇଛନ୍ତି ଯେ, ରାମ ରହିମଙ୍କୁ ଜେଲ୍ ନିୟମ ଅନୁଯାୟୀ ପାରୋଲ ଦିଆଯାଉଛି । ଡେରା ସଚ୍ଚା ସୌଦା ମୁଖ୍ୟଙ୍କ ପାରୋଲ ଖବର ପାଇବା ପରେ ଡେରା ଅନୁଗାମୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ଜାନୁଆରୀ ହେଉଛି ଡେରାର ଦ୍ୱିତୀୟ ଗୁରୁ ଶାହ ସତନାମ ଜୀ ମହାରାଜଙ୍କ ଜନ୍ମବାର୍ଷିକୀ । ପ୍ରତିବର୍ଷ ଜାନୁଆରୀ ୨୫ ତାରିଖରେ ଏହି ଅବସରରେ ଡେରାରେ ଏକ ଭବ୍ୟ ଆୟୋଜନ ହୋଇଥାଏ । ଡେରା ମୁଖ୍ୟଙ୍କ ପାରୋଲ ପରେ, ସିରସାରେ ତାଙ୍କର ଆଗମନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ