
ବାରଣାସୀ, 04 ଜାନୁଆରି (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ନିଜ ସାଂସଦୀୟ
ମଣ୍ଡଳୀ ବାରାଣସୀରେ ଆୟୋଜିତ ୭୨ତମ ଜାତୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟର ଭର୍ଚୁଆଲ୍ ଉଦଘାଟନ କରିଛନ୍ତି।
ଭାରତର ଆର୍ଥିକ ପ୍ରଗତିର ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜିକାଲି ସାରା ପୃଥିବୀରେ
ଭାରତର ବୃଦ୍ଧିକୁ ଭୂରିଭୂରି ପ୍ରଶଂସା କରାଯାଉଛି। ସେ ଭଲିବଲ୍କୁ ସାଧାରଣ ଖେଳ ନୁହେଁ, ବରଂ ସମତୁଳନ ଓ
ସହଯୋଗର ଖେଳ ବୋଲି ଉଲ୍ଲେଖ କରିଛନ୍ତି।
ଡା. ସମ୍ପୂର୍ଣ୍ଣାନନ୍ଦ ସ୍ପୋର୍ଟ୍ସ ଷ୍ଟାଡିୟମରେ ରବିବାର ଏକ ହଜାରରୁ
ଅଧିକ ଖେଳାଳି ଏବଂ ତାଙ୍କ କୋଚମାନଙ୍କୁ ଭର୍ଚୁଆଲ୍ ଭାବେ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ
ନରେନ୍ଦ୍ର ମୋଦୀ ବାରାଣସୀର ସାଂସଦ ଭାବେ ସେମାନଙ୍କୁ ସ୍ୱାଗତ କରିଥିଲେ ଏବଂ ଉତ୍କୃଷ୍ଟ ଖେଳ ଓ
ପ୍ରଦର୍ଶନ ପାଇଁ ଶୁଭେଚ୍ଛା ଜଣାଇଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏବେ ଆପଣମାନେ ସମସ୍ତେ
ବନାରସରେ ପହଞ୍ଚିଗଲେ, ତେଣୁ ଏଠାର
ସଂସ୍କୃତିକୁ ମଧ୍ୟ ଭଲଭାବେ ବୁଝିପାରିବେ। ଏଠାରେ ଆପଣମାନେ ଉତ୍ସାହ ବଢ଼ାଇବାକୁ ଖେଳପ୍ରେମୀ
ଦର୍ଶକମାନଙ୍କୁ ଭେଟିବେ।
ଭଲିବଲ୍ ଖେଳ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି
ଯେ ଭଲିବଲ୍ କେବଳ ସାଧାରଣ ଖେଳ ନୁହେଁ। ଏହା ସମତୁଳନ ଓ ସହଯୋଗର ଖେଳ, ଯେଉଁଥିରେ
ସଂକଳ୍ପଶକ୍ତି ମଧ୍ୟ ପ୍ରତିଫଳିତ ହୁଏ। ଭଲିବଲ୍ ଆମକୁ ଟିମ୍ ସ୍ପିରିଟ୍ ସହ ଯୋଡ଼େ। ପ୍ରତ୍ୟେକ
ଖେଳାଳିଙ୍କର ମନ୍ତ୍ର ହେଉଛି ‘ଟିମ୍ ଫର୍ଷ୍ଟ’। ସମସ୍ତ ଖେଳାଳି ନିଜ ଟିମ୍ର ବିଜୟ ପାଇଁ
ଖେଳନ୍ତି। ଆମର ବିଜୟ ଆମର ସମନ୍ୱୟ, ବିଶ୍ୱାସ ଓ ଟିମ୍ର ତତ୍ପରତା ଉପରେ ନିର୍ଭର କରେ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମ ଦେଶ ମଧ୍ୟ ଏହିପରି ଭାବେ ଆଗକୁ
ବଢ଼ୁଛି। ସ୍ୱଚ୍ଛତାରୁ ଆରମ୍ଭ କରି ଡିଜିଟାଲ୍ ପେମେଣ୍ଟ ପର୍ଯ୍ୟନ୍ତ, ଏବଂ ‘ଏକ ଗଛ
ମାଆଙ୍କ ନାମରେ’ ଅଭିଯାନରୁ ‘ବିକଶିତ ଭାରତ’ ଅଭିଯାନ ପର୍ଯ୍ୟନ୍ତ, ଆମେ ପ୍ରଗତି କରୁଛୁ
କାରଣ ଦେଶର ପ୍ରତ୍ୟେକ ନାଗରିକ ସାମୂହିକ ଚେତନା ସହ ‘ଇଣ୍ଡିଆ ଫର୍ଷ୍ଟ’ ଭାବନାରେ କାମ
କରୁଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ ଭାରତର ଆର୍ଥିକ ପ୍ରଗତିର ଉଲ୍ଲେଖ କରି
କହିଛନ୍ତି, “ଆଜିକାଲି ସାରା
ପୃଥିବୀରେ ଭାରତର ବୃଦ୍ଧିକୁ ଭୂରିଭୂରି ପ୍ରଶଂସା କରାଯାଉଛି, କିନ୍ତୁ ଯେତେବେଳେ ଦେଶ ବିକାଶ କରେ, ସେହି ପ୍ରଗତି କେବଳ
ଆର୍ଥିକ ମାନକୁ ସୀମିତ ରହିନଥାଏ। ଏହାର ଆତ୍ମବିଶ୍ୱାସ ଖେଳ ମାଇଦାନରେ ମଧ୍ୟ ପ୍ରତିଫଳିତ ହୁଏ।
ପଛଲା କିଛି ବର୍ଷରେ ବିଭିନ୍ନ ଖେଳରେ ଭାରତର ପ୍ରଦର୍ଶନ ଲଗାତାର ଉନ୍ନତି ପାଇଛି। ଖେଳ ମୈଦାନରେ
ତ୍ରିରଙ୍ଗା ଉଡାଉଥିବା ଦେଖିଲେ ଆମକୁ ଗର୍ବ ଅନୁଭବ ହୁଏ।”
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା