
ମହିଳା ବିଡ଼ିଓଙ୍କ ଉପରେ ବିଜେପି ନେତା କର୍ମୀଙ୍କ ଆକ୍ରମଣ ଘଟଣା
ଭୁବନେଶ୍ୱର, ୦୫ ଜାନୁୟାରୀ (ହି.ସ)- ରାଜ୍ୟରେ ବିଜେପି ନେତା ଓ କର୍ମୀମାନେ ଆଇନ ଶୃଙ୍ଖଳାକୁ ହାତକୁ ନେବା ଏବଂ ଗୁଣ୍ଡାରାଜ ଚଳାଇବା ଭଳି ଘଟଣାମାନ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । କେନ୍ଦ୍ରାପଡା ଜିଲ୍ଲାରେ ରାଜନଗର ବ୍ଲକର ମହିଳା ବିଡ଼ିଓଙ୍କ ଉପରେ ବିଜେପି ନେତା କର୍ମୀଙ୍କ ଅମାନବୀୟ ଆକ୍ରମଣ ଏହାର ସଦ୍ୟତମ ଉଦାହରଣ ବୋଲି ବିଜୁ ଜନତା ଦଳ କହିଛି ।
ସୋମବାର ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ବରିଷ୍ଠ ସାଧାରଣ ସମ୍ପାଦକ ଡ଼ ଲେଖାଶ୍ରୀ ସାମନ୍ତସିଂହାର ଓ ରାଜନଗର ବିଧାୟକ ଶ୍ରୀ ଧ୍ରୁବ ଚରଣ ସାହୁ, ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ସ୍ଥିତି, ମହିଳାଙ୍କ ବିରୋଧରେ ଅପରାଧ ଓ ବିଜେପି ନେତା ଓ କର୍ମୀଙ୍କ ଦୌରାତ୍ମ୍ୟ ଉପରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ।ଡ଼ ସାମନ୍ତସିଂହାର କହିଥିଲେ, ବିଜେପି କ୍ଷମତାସୀନ ହେବାପରେ ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି । ଡ଼ ସାମନ୍ତସିଂହାର କହିଥିଲେ, ରାଜନଗର ମହିଳା ବିଡ଼ିଓଙ୍କ ଉପରେ ବିଜେପି ନେତା କର୍ମୀଙ୍କ ଆକ୍ରମଣ ଘଟଣାକୁ ୩ ଦିନରୁ ଊର୍ଦ୍ଧ୍ୱ ସମୟ ବିତି ଯାଇଥିବା ବେଳେ, ଏହି ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ରାଜନଗରରେ ଏହା ପ୍ରଥମ ଘଟଣା ନୁହେଁ। ପ୍ରାୟ ବର୍ଷେ ତଳେ ସେବେକାର ବିଡ଼ିଓ ଶୋଭନ ପଣ୍ଡା ପରେ ରବି ଆଚାର୍ଯ୍ୟଙ୍କ ଉପରେ ମଧ୍ୟ ବିଜେପି ରାଜନଗର ବିଧାୟକ ପ୍ରାର୍ଥୀ ଓ ତାଙ୍କ ସହଯୋଗୀଙ୍କ ଦ୍ୱାରା ଏପରି ଆକ୍ରମଣ କରାଯାଇଥିଲା। ୨୦ ଦିନ ତଳେ ବିଡ଼ିଓ ଭାବେ ଯୋଗ ଦେଇଥିବା ତିଳୋତ୍ତମା ପୃଷ୍ଟିଙ୍କ ଉପରେ ଆଉଥରେ ଆକ୍ରମଣ କରାଯାଇଛି ।
ଡ଼ ସାମନ୍ତସିଂହାର କହିଥିଲେ, ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଯିଏକି ରାଜନଗର ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ହୋଇଥିଲେ, ସେ ମନମୋହନ ସାମଲଙ୍କ ଚିଙ୍ଗୁଡ଼ି ବ୍ୟବସାୟରେ ପାର୍ଟନର ଅଛନ୍ତି। ମନମୋହନଙ୍କ ଇଙ୍ଗିତରେ ତାଙ୍କୁ ବିଜେପି ସରକାର ସୁରକ୍ଷା ଦେଉଛନ୍ତି । ବିଜେପି ହିଂସାରେ ବିଶ୍ୱାସ କରେ, ଯାହାକୁ ସେମାନେ ରାଜ୍ୟରେ ସରକାରକୁ ଆସିବା ପରେ ବାରମ୍ବାର ପ୍ରମାଣିତ କରୁଛନ୍ତି । ପ୍ରଶାସନିକ ବିଧୂ ବ୍ୟବସ୍ଥା ବିଜେପିର ପୈତୃକ ସମ୍ପରି ନୁହେଁ । ବିଧ ବ୍ୟବସ୍ଥା ଲୋକଙ୍କ କାମ କରିବା ପାଇଁ ଅଛି । ଚବିଶ ଘଣ୍ଟା ଭିତରେ ଅପରାଧୀ ମାନଙ୍କୁ ଗିରଫ କରାନଗଲେ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ।
ଶ୍ରୀ ଧ୍ରୁବ ସାହୁ କହିଥିଲେ, ଏହି ଘଟଣାକୁ ଯେତେ କଡା ଭାଷାରେ ନିନ୍ଦା କଲେ ମଧ୍ୟ କମ୍ ହେବ। ଅହଙ୍କାରର ବଶବର୍ତୀ ହୋଇ ବିଜେପିର କର୍ମୀ ମାନେ ବ୍ଲକ ପଞ୍ଚାୟତକୁ ନିଜ କଚୂଜାରେ ରଖିବାକୁ ଚାହୁଁଛନ୍ତି । ଗତକାଲି ଏହି ଘଟଣାର ଅଭିଯୁକ୍ତ ମାନେ ଥାନାରେ ପହଞ୍ଚି ମିଥ୍ୟା ଆରୋପ ଦେଇ ପାଲଟା ଅଭିଯୋଗ କରିଛନ୍ତି । ପୋଲିସ ଅପରାଧୀଙ୍କୁ ଗିରଫ କରିବା ପରିବର୍ତ୍ତେ ସେମାନଙ୍କ ଠାରୁ ପାଲଟା ଏଫଆଇଆର ରଖିବାରୁ ରାଜ୍ୟରେ ପୋଲିସ ଶାସକ ଦଳର ହାତବାରିସୀ ସାଜିଛି ବୋଲି ସ୍ପଷ୍ଟ ହେଉଛି । ତେଣୁ ରାଜ୍ୟରେ ଶାସନ ବ୍ୟବସ୍ଥା ଭୁଶୁଡ଼ି ପଡିଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ରାଜ୍ୟ ସରକାରଙ୍କୁ ଆମେ ଚେତାବନୀ ଦେଉଛୁ, ଅପରାଧୀ ମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନନେଲେ, ବିଜୁ ଜନତା ଦଳ ରାଜରାସ୍ତାକୁ ଓହ୍ଲାଇବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା