
ଭବାନୀପାଟଣା, ୫ ଜାନୁଆରୀ (ହି.ସ.)- କଳାହାଣ୍ଡି ଜିଲ୍ଲାସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନଶୁଣାଣୀ ଓ ସମାଧାନ ଶିବିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିରରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଏବଂ ଆରକ୍ଷୀ ଅଧିକ୍ଷକ ନାଗରାଜ ଦେବାରକୋଣ୍ଡା ଯୋଗଦେଇ ଲୋକଙ୍କର ଆପତ୍ତି ଅଭିଯୋଗର ଶୁଣାଣୀ କରିଥିଲେ । ଏହି ଶିବିରରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ୧୩୦ ଗୋଟି ଆପତ୍ତି ଅଭିଯୋଗର ପଞ୍ଜୀକରଣ କରାଯାଇଥିଲା। ସେଥି ମଧ୍ୟରୁ ବ୍ୟକ୍ତିଗତ ୧୦୫ ଗୋଟି ଓ ସାମୂହିକ ୧୫ ଗୋଟି ରହିଥିବା ବେଳେ ୨୪ ଗୋଟି ଆପତ୍ତି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୯ ଜଣଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ବେଳେ ଜଣଙ୍କୁ ରେଡ଼କ୍ରସ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ଏହି ଶିବିରରେ ଶିକ୍ଷା, ସ୍ଵାସ୍ଥ୍ୟ, କୃଷି, ବେସାମରିକ ଯୋଗାଣ, ଜଳସେଚନ, ସାମାଜିକ ସୁରକ୍ଷା, ଶିଶୁ ସୁରକ୍ଷା, ଗ୍ରାମ୍ୟ ଉନ୍ନୟନ, ସମାଜ କଲ୍ଯାଣ, ପୂର୍ତ୍ତ ବିଭାଗ, ବିଦ୍ୟୁତ୍, ସମବାୟ ସମିତି, ତହସିଲ, ବ୍ଲକ ଇତ୍ୟାଦି ବିଭାଗୀୟ ଅଧୀନରେ କାର୍ଯ୍ୟକାରୀ ହେବାକୁ ଥିବା ସମ୍ପର୍କିତ ଆପତ୍ତି ଅଭିଯୋଗର ଶୁଣାଣି କରି ଏହିସବୁ ସମସ୍ୟାର ତୁରନ୍ତ ସମାଧାନ କରିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଏଥି ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।
ଏହି ଶିବିରରେ ଉପ ଜିଲ୍ଲାପାଳ ଧର୍ମଗଡ଼ ପ୍ରେକ୍ଷା ଅଗ୍ରୱାଲ, ଭାରତୀୟ ପ୍ରଶାସନିକ ସେବା ଅଧିକାରୀ (ପ୍ରୋବେସନ) ଅନିମେସ ପ୍ରଧାନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା. ନିହାରେନ୍ଦ୍ର ପଣ୍ଡା, ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଦୁର୍ଯ୍ୟୋଧନ ଭୋଇ, ମୁଖ୍ୟ ଜିଲା ବେସାମରିକ ଯୋଗାଣ ଅଧିକାରୀ ସୁଜାତା ମିଶ୍ର, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରମୋଦ କୁମାର ବେହେରା, ପି ଡି ଜଳ ଛାୟା ପ୍ରଭାକର ନାୟକ, ପି ଏ ଆଇ ଟି ଡି ଏ ପ୍ରଦ୍ୟୁମ୍ନ କୁମାର ଦାସ, ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ, ଜିଲ୍ଲା ମଙ୍ଗଳ ଅଧିକାରୀ ଅନ୍ତର୍ଯ୍ୟାମୀ କହଁର, ଅବକାରୀ ଅଧିକ୍ଷକ ରଞ୍ଜନ କୁମାର ନାୟକ, ସହ ନିର୍ଦ୍ଦେଶକ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ମୁଜିବୁନ୍ ନିଶା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦୁ ଶେଖର ମହାପାତ୍ରଙ୍କ ସମେତ ବିଭିନ୍ନ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ଜୟକୃଷ୍ଣ