
ଜୟପୁର, ୫ ଜାନୁଆରୀ (ହି.ସ.)- ହିନ୍ଦୁ ଧର୍ମରେ ମକର ସଂକ୍ରାନ୍ତିର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ଏହି ଦିନ ସୂର୍ଯ୍ୟ ଦେବ ଧନୁ ରାଶିରୁ ବାହାରି ମକର ରାଶିରେ ପ୍ରବେଶ କରନ୍ତି । ଏହି ପ୍ରକ୍ରିୟାକୁ 'ସଂକ୍ରାନ୍ତି କୁହାଯାଏ । ୨୦୨୬ ମସିହାରେ ମକର ସଂକ୍ରାନ୍ତି କେବେ ପାଳନ କରାଯିବ, ସେ ନେଇ କୋରାପୁଟ ଜିଲାବାସୀଙ୍କ ମନରେ ଦ୍ଵନ୍ଦ ରହିଛି । ୨୦୨୬ ମସିହାରେ ମକର
ସଂକ୍ରାନ୍ତିର ସଠିକ୍ ତାରିଖ, ସ୍ନାନ ଓ ଦାନର ଶୁଭ ମୁହୂର୍ତ୍ତ । ଜ୍ୟୋତିଷ ଶାସ୍ତ୍ର
ଏବଂ ପଞ୍ଚାଙ୍ଗ ଅନୁସାରେ, ୨୦୨୬ ମସିହା ଜାନୁଆରୀ ୧୪ ତାରିଖ ରାତି
ପ୍ରାୟ ୯ଟା ସମୟରେ ସୂର୍ଯ୍ୟ ଦେବ ମକର ରାଶିରେ ପ୍ରବେଶ କରିବେ ।
ଯେହେତୁ ସୂର୍ଯ୍ୟଙ୍କର ରାଶି ପରିବର୍ତ୍ତନ ୧୪ ତାରିଖ ରାତିରେ ହେଉଛି, ତେଣୁ
ଉଦୟ ତିଥି ଅନୁସାରେ ଜାନୁଆରୀ ୧୫, ୨୦୨୬ ଦିନ ମକର ସଂକ୍ରାନ୍ତି
ପର୍ବ ପାଳନ କରାଯିବ । ଶାସ୍ତ୍ର ଅନୁଯାୟୀ, ସୂର୍ଯ୍ୟାସ୍ତ ପରେ ସଂକ୍ରାନ୍ତି ହେଲେ ପରଦିନ ହିଁ ସ୍ନାନ ଓ ଦାନ ପାଇଁ ଶୁଭ ବୋଲି ବିବେଚନା କରାଯାଏ । ମକର ସଂକ୍ରାନ୍ତି ଦିନ ପୁଣ୍ୟକାଳରେ ସ୍ନାନ ଓ ଦାନ କରିବା ଅତ୍ୟନ୍ତ ଫଳପ୍ରଦ ହୋଇଥାଏ । ମକର ସଂକ୍ରାନ୍ତି ପୁଣ୍ୟକାଳ : ଜାନୁଆରୀ ୧୫, ସକାଳ ୭ଟା ୧୫ ରୁ ସନ୍ଧ୍ୟା ୫ଟା ୪୫ ପର୍ଯ୍ୟନ୍ତ । ମହା ପୁଣ୍ୟକାଳ : ଜାନୁଆରୀ ୧୫, ସକାଳ ୭ଟା ୧୫ ରୁ ସକାଳ ୯ଟା ପର୍ଯ୍ୟନ୍ତ । ଏହି ମହା ପୁଣ୍ୟକାଳ ସମୟରେ ଗଙ୍ଗା ବା କୌଣସି ପବିତ୍ର ନଦୀରେ ସ୍ନାନ କରି ଦାନ କଲେ ଅଶେଷ ପୁଣ୍ୟ ପ୍ରାପ୍ତି ହୁଏ । ମକର ସଂକ୍ରାନ୍ତିଠାରୁ ସୂର୍ଯ୍ୟଦେବଙ୍କ ‘ଉତ୍ତରାୟଣ' ଗତି ଆରମ୍ଭ ହୁଏ । ମାନ୍ୟତା ଅଛି ଯେ, ଉତ୍ତରାୟଣ ସମୟରେ ଦେବତାମାନଙ୍କର ଦିନ ଏବଂ ଦୈତ୍ୟମାନଙ୍କର ରାତି ହୋଇଥାଏ । ଏହି ଦିନଠାରୁ ଦିନ
ବଡ଼ ହୁଏ ଏବଂ ରାତି ଛୋଟ ହେବାକୁ ଲାଗେ । ଶୀତ ଋତୁର ପ୍ରଭାବ ଧୀରେ ଧୀରେ କମି ବସନ୍ତର ଆଗମନ ହୁଏ । ଶାସ୍ତ୍ର ଅନୁସାରେ, ଏହି ଦିନ ଯିଏ ପ୍ରାଣତ୍ୟାଗ କରେ, ସେ ମୋକ୍ଷ ପ୍ରାପ୍ତି କରିଥାଏ। ମକର ସଂକ୍ରାନ୍ତିରେ ଦାନର ବିଶେଷ ଗୁରୁତ୍ଵ ରହିଛି । ଏହି ଦିନ ବିଶେଷ କରି ରାଶି, ଗୁଡ଼,
ଚାଉଳ, ଡାଲି ଏବଂ ଶୀତ ବସ୍ତ୍ର ଦାନ କରାଯାଏ । ଓଡ଼ିଶାରେ ଏହି ଦିନ ମକର ଚାଉଳ' ପ୍ରସ୍ତୁତ କରାଯାଇ ଭଗବାନଙ୍କୁ ଅର୍ପଣ କରାଯାଏ । ନୂଆ
ଚାଉଳ, ଗୁଡ଼, କଦଳୀ, ନଡ଼ିଆ ଏବଂ ଛେନା ମିଶ୍ରିତ ଏହି ପ୍ରସାଦ ଅତି ସ୍ଵାଦିଷ୍ଟ ହୋଇଥାଏ । ଓଡ଼ିଶାରେ ମକର ସଂକ୍ରାନ୍ତି ଏକ ବଡ଼ ପର୍ବ ।
ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କୁ ମକର ବେଶରେ ସଜ୍ଜିତ କରାଯାଏ ଏବଂ ମକର ଚଉରାଶି ଭୋଗ ଲାଗି ହୁଏ । ଜୟପୁର ଜଗନ୍ନାଥ ମନ୍ଦିରରେ ମଧ୍ୟ ସ୍ଵତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ ।
ଆଦିବାସୀ ସଂପ୍ରଦାୟରେ ମଧ୍ୟ ଏହି ପର୍ବକୁ ଅତି ଧୂମଧାମରେ ପାଳନ କରାଯାଏ । ଲୋକମାନେ ପରସ୍ପର ‘ମକର ବସନ୍ତି, ଯାହା ବନ୍ଧୁତାର ଏକ ନିଆରା ପରମ୍ପରା । ଏହାସହ ଗୁଡ଼ି ଉଡ଼ାଇବା ମଧ୍ୟ ଏହି ଦିନର ଏକ ମୁଖ୍ୟ ଆକର୍ଷଣ । ତେଣୁ କେବେ ମକର ସଂକ୍ରାନ୍ତି ପାଳନ ହେବ ପୁରୀ ଶ୍ରୀମନ୍ଦିର ତରଫରୁ ସ୍ପଷ୍ଟ କରିବାକୁ ଜିଲାବାସୀ ଦାବି କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି