
ଭଦ୍ରକ, ୫ ଜାନୁଆରୀ (ହି.ସ.) - ଭଦ୍ରକ ଜିଲ୍ଲାର ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନରେନ୍ଦ୍ରପୁର ପଂଚାୟତ ଛତ୍ରପଦା ଗ୍ରାମରେ ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ଅଗ୍ନି କାଣ୍ଡ। ଏହି ଅଗ୍ନି କାଣ୍ଡରେ ଜଳିଗଲା ୧୦ରୁ ଉର୍ଦ୍ଧ ଘର ସାଙ୍ଗକୁ ୨୦ ଗୋରୁ,ଶତାଧିକ ଛେଳି ଜିଅନ୍ତା ଦଗ୍ଧ ହେବା ସହିତ ୪ଶହରୁ ଉର୍ଦ୍ଧ ଧାନ ବସ୍ତା ଓ ସମସ୍ତ ଆସବା ପତ୍ର ସମ୍ପୂର୍ଣ ପୋଡି ପାଉଁସ ହୋଇ ଯାଇ ଥିବା ସୂଚନା ମିଳୁଛି। ଏହି ଅଗ୍ନି କାଣ୍ଡରେ ସନାତନ ନାୟକ, ଜଡ଼ା ନାୟକ, ମାନସ ନାୟକ,ସୁଧାକର ନାୟକ,ଦାଶରଥି ନାୟକ,ଚକ୍ରଧର ନାୟକ ଓ ଗୁଣନିଧି ନାୟକ ୭ ପରିବାର ସମ୍ପୂର୍ଣ ସର୍ବହରା ହୋଯାଇଛନ୍ତି। ଅଗ୍ନିକାଣ୍ଡ ପରେ ସାରା ଅଂଚଳରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି।ଗ୍ରାମବାସୀମାନେ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ମଧ୍ୟ୍ୟ ଅଗ୍ନିସମ ବାହିନୀ ଆସି ପହଂଚି ବା ବେଳକୁ ଘର ସମ୍ପୂର୍ଣ ପୋଡି ଯାଇଥିଲା,ଅଗ୍ନିକାଣ୍ଡ ପରେ ପୀଡ଼ିତ ପରିବାରମାନେ ଖୋଲା ଆକାଶ ତଳେ ରହିବାକୁ ବାଧ୍ୟ ହୋଇଛନ୍ତି। ସରକାରୀ ପ୍ରଶାସନ ପକ୍ଷରୁ ତୁରନ୍ତ ରିଲିଫ୍ ଯୋଗାଇବା ସହ ପୀଡ଼ିତ ପରିବାରମାନଙ୍କୁ ଖାଦ୍ୟ ଓ ଅସ୍ଥାୟୀ ଆଶ୍ରୟ ବ୍ୟବସ୍ଥା କରିବାକୁ ଦାବି ଉଠିଛି। ଘଟଣାସ୍ଥଳକୁ ପ୍ରଶାସନିକ ଅଧିକାରୀ ଓ ସ୍ଥାନୀୟ ଜନପ୍ରତିନିଧିମାନେ ପହଂଚି କ୍ଷୟକ୍ଷତିର ଆକଳନ କରୁଥିବା ସୂଚନା ମିଳିଛି। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ବିଦ୍ୟୁତ ସର୍କିଟ୍ ସର୍କିଟ୍ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ପୋଲିସ ଓ ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ସାରା ଘଟଣା ପରେ ଛତ୍ରପଦା ଗ୍ରାମରେ ଶୋକ ଓ ଆତଙ୍କର ପରିବେଶ ରହିଛି। ପୀଡ଼ିତ ପରିବାରଙ୍କୁ ସରକାରଙ୍କ ତରଫରୁ ଶୀଘ୍ର ସହାୟତା ଓ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି କରିଛନ୍ତି ଅଚଳବାସୀ। ତେବେ ଏହି ଘଟଣା ପରେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ତିହିଡି ବ୍ଲକ୍ ଅଧ୍ୟକ୍ଷା ଅବନ୍ତୀ ଦାସ, ପୂର୍ବତନ ଅଧ୍ୟକ୍ଷା ବିଦ୍ୟୁତ୍ଲତା ନାୟକ ପ୍ରମୁଖ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଏହି ପରିଦର୍ଶନ କାଳରେ ସାଂସଦ ଶ୍ରୀ ସେଠୀ ତିହିଡି ତହସିଲଦାର, ବିଡିଓ ଓ ଉପସ୍ଥିତ ଅନ୍ୟ ଅଧିକାରୀମାନଙ୍କୁ ତୁରନ୍ତ ବିପନ୍ନ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ