
ଭୁବନେଶ୍ୱର, ୦୫ ଜାନୁୟାରୀ (ହି.ସ)- ବିଭିନ୍ନ ସାମାଜିକ ସଂଗଠନ ଓ ମିଟୁ ସେନା ପକ୍ଷରୁ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ତଥା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କର ୫୦ ତମ ଜନ୍ମଦିନ ନିଆରା ଢଙ୍ଗରେ ପାଳନ କରାଯାଇଛି । ରାଜ୍ୟର ନେତୃମଣ୍ଡଳୀ ଜନ୍ମଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ସହ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ସଦିଚ୍ଛା ଜଣାଇଛନ୍ତି । ଏହି ଅବସରରେ ଓଡ଼ିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ମନ୍ତ୍ରୀମଣ୍ଡଳର ସଦସ୍ୟଗଣ, ସାଂସଦ ଓ ବିଧାୟକବୃନ୍ଦ ଦୂରଭାଷ ଯୋଗେ, ସାମାଜିକ ଗଣମାଧ୍ୟମରେ ଶୁଭେଚ୍ଛା ଓ ସଦିଚ୍ଛା ଜଣାଇଛନ୍ତି ।
ଜନ୍ମଦିନକୁ ଅଧିକ ସ୍ମରଣୀୟ କରିବା ପାଇଁ ମନ୍ତ୍ରୀ ରକ୍ତଦାନ ଓ ଚାରା ବଂଟନ କରିଛନ୍ତି । ଏହା ସହ ନିଶୁକ୍ଳ ସ୍ୱାସ୍ଥ୍ୟ ଚକ୍ଷୁ ଓ ଦନ୍ତ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସେ କହିଛନ୍ତି, “ଜନସେବାରେ ତାଙ୍କୁ ଗଭୀର ଆତ୍ମସନ୍ତୋଷ ମିଳିଛି ଏବଂ ଲୋକଙ୍କ ସେବାରେ ଏ ଜୀବନର ସାର୍ଥକତା ରହିଛି । ଲୋକଙ୍କ ଭଲପାଇବା ଓ ଆଶୀର୍ବାଦ ତାଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି କହିଛନ୍ତି ।”
ସୋମବାର ସକାଳେ ମନ୍ତ୍ରୀ ପୋଲସରା ନିର୍ବାଚନ ମଣ୍ଡଳୀ ବୁଗୁଡ଼ା ବ୍ଲକର ଆରାଧ୍ୟ ଦେବ ପ୍ରଭୁ ଶ୍ରୀ ଶ୍ରୀ ବଳଦେବ ଜୀଉ ଓ ଶ୍ରୀ ଶ୍ରୀ ବିରଞ୍ଚି ନାରାୟଣଙ୍କ ଦର୍ଶନ କରି ଜନସେବାକୁ ବ୍ୟାପକ କରିବା ପାଇଁ ଅସୀମ ଶକ୍ତି ପ୍ରଦାନ କରିବାକୁ ପ୍ରାର୍ଥନା କରିଥିଲେ । ଦେବ ସେବା ଓ ଗୋ ସେବାରୁ ଦିବସର ଶୁଭାରମ୍ଭ କରି ଜନସେବାରେ ବ୍ରତୀ ହୋଇଥିଲେ । ଆୟୋଜକଙ୍କ ପକ୍ଷରୁ ନିଶୁଳ୍କ ସ୍ୱାସ୍ଥ୍ୟ, ଚକ୍ଷୁ ଓ ଦନ୍ତ ଚିକିତ୍ସା ଶିବିର ଆୟୋଜନ କରାଯାଇଥିଲା । ବ୍ରହ୍ମପୁର ଓ ଭଞ୍ଜନଗର ବ୍ଲଡ୍ ବ୍ୟାଙ୍କ ପକ୍ଷରୁ ମାଗଣା ରକ୍ତଦାନ ଶିବିର ଆୟୋଜିତ ହୋଇଥିବା ବେଳେ ୩୦୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ପୋଲସରା ଲୁଣିଘାଟି ପଡ଼ିଆଠାରେ ଆୟୋଜିତ ଏହି ଜନ୍ମଦିନ ସମାରୋହରେ ପ୍ରାୟ ୨୦୦୦୦ ରୁ ଅଧିକ ଶୁଭେଚ୍ଛୁ ମନ୍ତ୍ରୀଙ୍କୁ ଭେଟି ୫୦ ତମ ଜନ୍ମ ଦିବସର ଅଭିନନ୍ଦନ ଜଣାଇଥିଲେ । ଏହି ସମାରୋହରେ ସଡ଼କ ଓ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା; ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ ନାୟକ, କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ସୋରଡା ବିଧାୟକ ନୀଳମଣି ବିଷୋୟୀ, ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ୍ତସାମନ୍ତ, ଜିଲ୍ଲା ବିଜେପି ସଭାପତି, ବହୁ ବରିଷ୍ଠ ରାଜନେତା ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଅଭିନନ୍ଦନ ଜଣାଇଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା