
ନୂଆଦିଲ୍ଲୀ, 08 ଜାନୁଆରି (ହି.ସ.)- ପ୍ରଖ୍ୟାତ
ପରିବେଶବିଦ୍ ମାଧବ ଗାଡଗିଲଙ୍କ ବୁଧବାର ବିଳମ୍ବିତରାତିରେ ମହାରାଷ୍ଟ୍ରର ପୁଣେ ସ୍ଥିତ ତାଙ୍କ ବାସଭବନରେ
ପରଲୋକ ଘଟିଛି। ସେ ୮୨ ବର୍ଷ ବୟସ୍କ ଥିଲେ। ତାଙ୍କ ପୁତ୍ର ସିଦ୍ଧାର୍ଥ ଗାଡଗିଲ ଗୁରୁବାର ‘ଏକ୍ସ’ରେ ଏକ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ତାଙ୍କର ଶେଷକୃତ୍ୟ
ଗୁରୁବାର ସନ୍ଧ୍ୟା ୪ଟାରେ ପୁଣେର ବୈକୁଣ୍ଠ ଶ୍ମଶାନ ଘାଟରେ କରାଯିବ।
କେନ୍ଦ୍ରୀୟ ସଡ଼କ ପରିବହନ
ଓ ରାଜମାର୍ଗ ମନ୍ତ୍ରୀ ନିତିନ୍ ଗଡକରୀ, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବୀସ ଏବଂ କଂଗ୍ରେସ ଅଧ୍ୟକ୍ଷ
ମଲ୍ଲିକାର୍ଜୁନ ଖରଗେ ସହ ଅନେକ ପ୍ରମୁଖ ବ୍ୟକ୍ତି ତାଙ୍କ ନିଧନରେ ଗଭୀର ଶୋକ ପ୍ରକାଶ କରିଛନ୍ତି।
ଗଡକରୀ କହିଛନ୍ତି ଯେ ଗାଡଗିଲ ତାଙ୍କ ସମଗ୍ର ଜୀବନ ପରିବେଶୀୟ ସଚେତନତାକୁ ସଜୀବ ରଖିବା ଏବଂ
ପଶ୍ଚିମ ଘାଟର ଜୈବ ବିବିଧତାର ସଂରକ୍ଷଣ ପାଇଁ ଉତ୍ସର୍ଗ କରିଥିଲେ। ଗାଡଗିଲଙ୍କ ଅବଦାନ କେବଳ
ଭାରତ ପର୍ଯ୍ୟନ୍ତ ସୀମିତ ରହିନଥିଲା, ବରଂ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ସ୍ୱୀକୃତି ପାଇଥିଲା। ସେ ଯେପରି
ପରିବେଶ ଓ ଜୈବ ବିବିଧତାର ବିଷୟଗୁଡ଼ିକୁ ସାଧାରଣ ଜନଚେତନା ସହ ଯୋଡ଼ିଥିଲେ, ତାହା ଆସନ୍ତା ପିଢ଼ିମାନଙ୍କ ପାଇଁ ପ୍ରେରଣାର ଉତ୍ସ ରହିବ। ତାଙ୍କ
ନିଧନ ଦେଶ ପାଇଁ ଅପୂରଣୀୟ କ୍ଷତି।
କଂଗ୍ରେସ ଅଧ୍ୟକ୍ଷ ଖରଗେ
କହିଛନ୍ତି ଯେ ଗାଡଗିଲଙ୍କ ବିୟୋଗ ସହ ଭାରତ ପାରିସ୍ଥିତିକ ଗବେଷଣାର ଏକ ପ୍ରମୁଖ ସ୍ୱରକୁ
ହରାଇଛି। ଗାଡଗିଲ ବୈଜ୍ଞାନିକ ପ୍ରମାଣକୁ ସଂରକ୍ଷଣମୂଳକ କାର୍ଯ୍ୟରେ ପରିଣତ କରିବାରେ
ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ। ପଦ୍ମଭୂଷଣ, ଶାନ୍ତି ସ୍ୱରୂପ ଭଟ୍ନାଗର ପୁରସ୍କାର ଏବଂ କର୍ଣ୍ଣାଟକର ରାଜ୍ୟୋତ୍ସବ
ପୁରସ୍କାରରେ ସମ୍ମାନିତ ଗାଡଗିଲ ଗବେଷଣା, ଶିକ୍ଷା ଓ ସଂରକ୍ଷଣ କ୍ଷେତ୍ରରେ ଅଲିଭା ଛାପ ଛାଡିଯାଇଛନ୍ତି। ତାଙ୍କ
ଜୀବନକାର୍ଯ୍ୟ ଆମକୁ ଏହା ଶିଖାଏ ଯେ ବିଜ୍ଞାନ ଓ ସମାଜ ମଧ୍ୟରେ ସେତୁ ସୃଷ୍ଟି କଲେ ମାତ୍ର ସ୍ଥାୟୀ
ବିକାଶ ସମ୍ଭବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା