
ନୂଆଦିଲ୍ଲୀ, ୮ ଜାନୁଆରୀ (ହିସ)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର କହିଛନ୍ତି ଯେ ଷ୍ଟାର୍ଟଅପ୍ସ ଏବଂ ଏଆଇ ଉଦ୍ୟୋଗୀମାନେ ଭାରତର ଭବିଷ୍ୟତ ସହ-ନିର୍ମାଣ କରୁଛନ୍ତି। ସେ ଗୁରୁତ୍ୱାରୋପ କରିଛନ୍ତି ଯେ ଭାରତୀୟ କୃତ୍ରିମ ବୁଦ୍ଧିମତା (ଏଆଇ) ମଡେଲଗୁଡ଼ିକୁ ସ୍ଥାନୀୟ ଏବଂ ସ୍ୱଦେଶୀ ବିଷୟବସ୍ତୁ ମାଧ୍ୟମରେ ଏବଂ ଆଂଚଳିକ ଭାଷାରେ ପ୍ରୋତ୍ସାହିତ କରାଯିବା ଉଚିତ।
ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀର ତାଙ୍କ ସରକାରୀ ବାସଭବନ, ୭, ଲୋକ କଲ୍ୟାଣ ମାର୍ଗରେ ୧୨ଟି ଭାରତୀୟ କୃତ୍ରିମ ବୁଦ୍ଧିମତା ଷ୍ଟାର୍ଟଅପ୍ ସହିତ ଏକ ଗୋଲଟେବୁଲ ବୈଠକର ଅଧ୍ୟକ୍ଷତା କରି ଏହି ମନ୍ତବ୍ୟ ଦେଇଛନ୍ତି। ଆଗାମୀ ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ ରେ ଅନୁଷ୍ଠିତ ହେବାକୁ ଥିବା ଏଆଇ ଫର ଅଲ୍ ଗ୍ଲୋବାଲ୍ ଇମ୍ପାକ୍ଟ ଚ୍ୟାଲେଞ୍ଜ ପାଇଁ ଏହି ଷ୍ଟାର୍ଟଅପ୍ ଗୁଡ଼ିକୁ ମନୋନୀତ କରାଯାଇଛି।
ବୈଠକ ସମୟରେ, ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ଭାରତରେ ନବସୃଜନ ଏବଂ ବଡ଼ ଧରଣର ପ୍ରଯୁକ୍ତିବିଦ୍ୟା କାର୍ଯ୍ୟାନ୍ୱୟନ ପାଇଁ ଅପାର ସମ୍ଭାବନା ରହିଛି। ସେ କହିଛନ୍ତି ଯେ ଭାରତ ବିଶ୍ୱ ସମ୍ମୁଖରେ ଏକ ଅନନ୍ୟ ଏଆଇ ମଡେଲ ଉପସ୍ଥାପନ କରିବା ଉଚିତ ଯାହା ମେଡ୍ ଇନ୍ ଇଣ୍ଡିଆ, ମେଡ୍ ଫର୍ ଦି ୱାର୍ଲ୍ଡ ଭାବନାକୁ ପ୍ରତିଫଳିତ କରେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମାଜରେ ଗଭୀର ପରିବର୍ତନ ଆଣିବାର ସମ୍ଭାବନା ଏଆଇର ଅଛି । ସେ ଏହା ମଧ୍ୟ ଗୁରୁତ୍ୱାରୋପ କରିଥିଲେ ଯେ ଭାରତ ଅଏଆଇର ପ୍ରଭାବଶାଳୀ ବ୍ୟବହାର ମାଧ୍ୟମରେ ପରିବର୍ତନ ଆଣିବା ପାଇଁ ନିରନ୍ତର ପ୍ରୟାସ କରୁଛି।
ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ଭାରତୀୟ ଆଏଇ ମଡେଲଗୁଡ଼ିକ ନୈତିକ, ନିରପେକ୍ଷ, ସ୍ୱଚ୍ଛ ଏବଂ ତଥ୍ୟ ଗୋପନୀୟତାର ନୀତି ଉପରେ ଆଧାରିତ ହେବା ଉଚିତ। ସେ ପରାମର୍ଶ ଦେଇଥିଲେ ଯେ ଭାରତୀୟ ଏଆଇ ମଡେଲଗୁଡ଼ିକ ସ୍ଥାନୀୟ ଏବଂ ସ୍ୱଦେଶୀ ବିଷୟବସ୍ତୁ ଏବଂ ଆଂଚଳିକ ଭାଷାକୁ ପ୍ରୋତ୍ସାହିତ କରିବା ଉଚିତ। ସେ ଷ୍ଟାର୍ଟ-ଅପ୍ଗୁଡ଼ିକୁ ବିଶ୍ୱ ନେତୃତ୍ୱ ଦିଗରେ କାମ କରିବାକୁ ଏବଂ ସୁଲଭ, ଅନ୍ତର୍ଭୁକ୍ତ ଏବଂ ମିତବ୍ୟୟୀ ନବସୃଜନକୁ ଆଗକୁ ବଢ଼ାଇବାକୁ ଆହ୍ୱାନ କରିଥିଲେ।
------------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ