
ଓଡ଼ିଶା ଓ ବିହାର ମଧ୍ୟରେ ଯୁବ ପ୍ରଥମ ଶ୍ରେଣୀ କ୍ରିକେଟ୍ ମ୍ୟାଚ୍ ଗାନ୍ଧୀ ଷ୍ଟାଡିୟମ୍ରେ ହେବ ଆୟୋଜନ
ବଲାଙ୍ଗୀର, ୧୦ ଅକ୍ଟୋବର(ହି.ସ.) – ବଲାଙ୍ଗୀର ଜିଲ୍ଲାର କ୍ରୀଡ଼ାପ୍ରେମୀଙ୍କ ପାଇଁ ଏକ ଖୁସି ଖବର। ଆସନ୍ତା ଅକ୍ଟୋବର ୧୨ରୁ ୧୫ ତାରିଖ ପର୍ଯ୍ୟନ୍ତ ବଲାଙ୍ଗିରର ଗାନ୍ଧୀ ଷ୍ଟାଡିୟମ୍ରେ କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ଓଡ଼ିଶା ଓ ବିହାର ମଧ୍ୟରେ ଏକ ପ୍ରଥମ ଶ୍ରେଣୀ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଏହି ମ୍ୟାଚ୍ ପ୍ରତିଦିନ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ।
ଓଡ଼ିଶା କ୍ରିକେଟ୍ ଆସୋସିଏସନ୍, କଟକ ପକ୍ଷରୁ ଏହି ମ୍ୟାଚ୍ ଆୟୋଜିତ ହେଉଥିବାବେଳେ ବଲାଙ୍ଗିର ଜିଲ୍ଲା ଆଥଲେଟିକ୍ ଆସୋସିଏସନ୍ ଏହାର ଆୟୋଜନ ଦାୟିତ୍ୱ ତୁଲାଉଛି। ଅକ୍ଟୋବର ୧୨ ତାରିଖ ସକାଳ ୮ଟା ୩୦ ମିନିଟ୍ରେ ଉଦ୍ଘାଟନୀ ସମାରୋହ ଅନୁଷ୍ଠିତ ହେବ।
ଏହି ମ୍ୟାଚ୍ ମାଧ୍ୟମରେ ଓଡ଼ିଶା ଓ ବିହାରର ଯୁବ କ୍ରିକେଟର୍ମାନେ ନିଜର ଖେଳ ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ପାଇବେ। ଏଥିସହ ବଲାଙ୍ଗିର ଜିଲ୍ଲାରେ କ୍ରିକେଟ୍ ପ୍ରତି ଆଗ୍ରହ ବୃଦ୍ଧି ପାଇବା ସହ ସ୍ଥାନୀୟ କ୍ରୀଡ଼ାପ୍ରେମୀମାନେ ଉଚ୍ଚସ୍ତରୀୟ କ୍ରିକେଟ୍ ମ୍ୟାଚ୍ ଦେଖିବାର ସୁଯୋଗ ପାଇବେ।
ବଲାଙ୍ଗୀରରେ ଏଭଳି ଏକ ରାଜ୍ୟସ୍ତରୀୟ କ୍ରିକେଟ୍ ମ୍ୟାଚ୍ ଆୟୋଜନ ଜିଲ୍ଲାର କ୍ରୀଡ଼ା କ୍ଷେତ୍ର ପାଇଁ ଏକ ଉଲ୍ଲେଖନୀୟ ସୁଯୋଗ। ଏହି ମ୍ୟାଚ୍କୁୁ ଉପଭୋଗ କରିବା ପାଇଁ ଜିଲ୍ଲାର କ୍ରିକେଟ୍ ପ୍ରେମୀମାନଙ୍କୁ ଗାନ୍ଧୀ ଷ୍ଟାଡିୟମ୍କୁୁ ଆସିବାକୁ ଆହ୍ୱାନ କରାଯାଇଛି।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ