
ପଟ୍ଟାମୁଣ୍ଡାଇ , 10 ଅକ୍ଟୋବର (ହି.ସ.)ଦୀର୍ଘ ୨୪ ବର୍ଷ ଧରି ଓଡ଼ିଶାରେ ଶାସନ କ୍ଷମତାରେ ରହିବା ପରେ ବି ଛାତ୍ର ରାଜନୀତିରେ ବିଜୁ ଜନତା ଦଳ (ବିଜେଡି)ର ବିକଳ ଚିତ୍ର ପଦାରେ ପଡ଼ିଛି। କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରସିଦ୍ଧ ବ୍ରାହ୍ମଣୀ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ଦଳ ନିଜର ଜଣେ ହେଲେ ବି ଅଫିସିଆଲ ପ୍ରାର୍ଥୀ ଛିଡ଼ା କରାଇବାରେ ବିଫଳ ହୋଇଥିବା ଦେଖା ଯାଇଛି । ଏହି ପରିପ୍ରେକ୍ଷୀରେ ଏକ ହାସ୍ୟାସ୍ପଦ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସ୍ଥାନୀୟ ରାଜନୀତି ସରଗରମ ହୋଇଉଠିଛି। ମିଳିଥିବା ସୂଚନା ଅନୁଯାୟୀ, ବ୍ରାହ୍ମଣୀ ମହାବିଦ୍ୟାଳୟରେ ସ୍ୱାଧୀନ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବା ଛାତ୍ର ନେତା ସୁରଜ ଦାସଙ୍କୁ ବିଜୁ ଜନତା ଦଳ ନିଜର ଦଳୀୟ ପ୍ରାର୍ଥୀ ବୋଲି ପ୍ରଚାର କରିବା ଆରମ୍ଭ କରିଥିଲା। ଏପରିକି ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବିଜେଡି ନେତା ଓ କର୍ମୀମାନେ ସୁରଜଙ୍କୁ ବିଜେଡିର ସମର୍ଥିତ ପ୍ରାର୍ଥୀ ବୋଲି ଘୋଷଣା କରି ପୋଷ୍ଟର ଓ ଶୁଭେଚ୍ଛା ବାର୍ତ୍ତା ଭାଇରାଲ କରିଥିଲେ। ଘଟଣା ଏତିକିରେ ଅଟକି ନଥିଲା; କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ମଧ୍ୟ ସୁରଜଙ୍କୁ ଦଳୀୟ ପ୍ରାର୍ଥୀ ଭାବେ ଗ୍ରହଣ କରି ସୋସିଆଲ ମିଡିଆରେ ଅଭିନନ୍ଦନ ଜଣାଇଥିଲେ। ତେବେ ଏହା ପରେ ଯେଉଁ ନାଟକୀୟ ମୋଡ଼ ଆସିଥିଲା, ତାହା ବିଜେଡି ଶିବିରକୁ ସମ୍ପୂର୍ଣ୍ଣ ସ୍ତବ୍ଧ କରିଦେଇଛି। ସ୍ୱାଧୀନ ପ୍ରାର୍ଥୀ ସୁରଜ ଦାସ ବିଜେଡିର ଏହି ଦାବିକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ ସ୍ପଷ୍ଟ ଭାବେ ଜଣାଇଛନ୍ତି ଯେ, ସେ କୌଣସି ରାଜନୈତିକ ଦଳର ପ୍ରାର୍ଥୀ ନୁହଁନ୍ତି, ବରଂ ସାଧାରଣ ଛାତ୍ରଛାତ୍ରୀଙ୍କ ସମର୍ଥନରେ ଜଣେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଛନ୍ତି। ବିଜେଡିର ଏହି ପ୍ରଚାରକୁ ସେ ଖଣ୍ଡନ କରିବା ସହ ଅସ୍ୱୀକାର କରିଛନ୍ତି। ୨୪ ବର୍ଷର ଶାସନ ପରେ ବି ଗୋଟିଏ ପ୍ରମୁଖ ମହାବିଦ୍ୟାଳୟରେ ନିଜସ୍ୱ ପ୍ରାର୍ଥୀ ନପାଇ ଅନ୍ୟ ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କୁ ନିଜର ବୋଲି ଦାବି କରିବା ଏବଂ ପରେ ସେହି ପ୍ରାର୍ଥୀଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହେବା ଘଟଣା ବିଜେଡି ପାଇଁ ଅତ୍ୟନ୍ତ ଅସହଜ ଓ ହାସ୍ୟାସ୍ପଦ ପରିସ୍ଥିତି ସୃଷ୍ଟି କରିଛି। ଏହାକୁ ନେଇ ଏବେ ବିରୋଧୀଙ୍କ ସମେତ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।
---------------
ହିନ୍ଦୁସ୍ଥାନ ସମାଚାର / ସୁଧାଂଶୁ