
ଭୁବନେଶ୍ୱର , ୧୦ ଅକ୍ଟୋବର (ହି.ସ.)- ଓଡ଼ିଶା ସୂଚନା ସେବା ସଂଘ (ଓଆଇଏସ୍?ଏ) ପକ୍ଷରୁ ଏହାର ବାର୍ଷିକ ଉତ୍ସବ-୨୦୨୬ ଭୁବନେଶ୍ୱରସ୍ଥିତ ଭାରତୀୟ ବିଦ୍ୟା ଭବନ ପରିସରରେ ଅନୁଷ୍ଠିତ ହୋଇଛି। ଏହି ଅବସରରେ ‘ଡିଜିଟାଲ ଯୁଗରେ ଜନସମ୍ପର୍କ: ଲୋକସମ୍ପର୍କ ଅଧିକାରୀଙ୍କ ବଦଳୁଥିବା ଦାୟିତ୍ୱ, ଆହ୍ୱାନ ଓ ସମ୍ଭାବନା’ ଶୀର୍ଷକ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା।
କାର୍ୟ୍ୟକ୍ରମରେ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ସଞ୍ଜୟ କୁମାର ବିଶ୍ୱାଳ ମୁଖ୍ୟ ଅତିଥି ଏବଂ ଅତିରିକ୍ତ ଶାସନ ସଚିବ ଅଶୋକ କୁମାର ବେଉରିଆ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଭାରତୀୟ ଜନସଂଚାର ସଂସ୍ଥାନ, ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ଆନନ୍ଦ ପ୍ରଧାନ ମୁଖ୍ୟ ବକ୍ତା ଥିଲେ।
ନିଜ ଅଭିଭାଷଣରେ ନିର୍ଦ୍ଦେଶକ ଶ୍ରୀ ବିଶ୍ୱାଳ ଓଆଇଏସ୍? ଅଧିକାରୀଙ୍କ ବୃତ୍ତିଗତ ବିକାଶରେ ସଂଘର ଭୂମିକାକୁ ପ୍ରଶଂସା କରିବା ସହ ସୂଚନା ସେବା କ୍ୟାଡରର ସୁଦୃଢ଼ୀକରଣ ଏବଂ ଡିଜିଟାଲ ମାଧ୍ୟମରେ ସରକାରୀ ଯୋଜନାର ପ୍ରଭାବଶାଳୀ ପ୍ରଚାର ଉପରେ ଗୁରୁତ୍ୱ ଦେଇଥିଲେ।
ପ୍ରଫେସର ପ୍ରଧାନ ଡିଜିଟାଲ ଗଣମାଧ୍ୟମର ବର୍ଦ୍ଧିତ ଗୁରୁତ୍ୱ, ବିଶ୍ୱସନୀୟ ସୂଚନା ପ୍ରସାର, ଅପପ୍ରଚାରର ମୁକାବିଲା ଏବଂ ନୂତନ ଯୋଗାଯୋଗ କୌଶଳ ଆପଣାଇବା ଉପରେ ଆଲୋକପାତ କରିଥିଲେ। ଏହା ସରକାର ଓ ଜନସାଧାରଣଙ୍କ ମଧ୍ୟରେ ଯୋଗାଯୋଗ ଓ ବିଶ୍ୱାସ ବୃଦ୍ଧିରେ ସହାୟକ ହେବ ବୋଲି ସେ କହିଥିଲେ।
ଉତ୍ସବରେ ବିଭାଗର ଅବସରପ୍ରାପ୍ତ ସୂଚନା ସେବା ଅଧିକାରୀଙ୍କୁ ସେମାନଙ୍କ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ସେମାନେ ନିଜ କର୍ମମୟ ଜୀବନର ଅନୁଭୂତି ବାଣ୍ଟିବା ସହ କାର୍ୟ୍ୟରତ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।
ସଂଘର ସାଧାରଣ ପରିଷଦ ବୈଠକରେ କ୍ୟାଡର ସୁଦୃଢ଼ୀକରଣ, ପଦୋନ୍ନତି, ନିୟମିତ ପ୍ରଶିକ୍ଷଣ ଓ ଦକ୍ଷତା ବିକାଶ ଭଳି ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ସଂଘର ସଭାପତି ସୁଚେତା ପ୍ରିୟଦର୍ଶିନୀ, ସାଧାରଣ ସମ୍ପାଦକ ପଠାଣି ରାଉତଙ୍କ ସମେତ ଅନ୍ୟ କର୍ମକର୍ତ୍ତା ଓ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାର୍ୟ୍ୟରତ ଓଆଇଏସ୍? ଅଧିକାରୀମାନେ ଯୋଗ ଦେଇଥିଲେ।
ଏହା ପୂର୍ବରୁ ଅକ୍ଟୋବର ୯ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମ ସମ୍ପର୍କିତ ଏକ ଦିଗଦର୍ଶନ କାର୍ୟ୍ୟକ୍ରମରେ ଓଆଇଏସ୍?ଏର ସ୍ମରଣିକା ‘ଲୋକ ସମ୍ପର୍କ’ ଉନ୍ମୋଚନ କରିଥିବାରୁ ସଂଘ ପକ୍ଷରୁ ତାଙ୍କୁ କୃତଜ୍ଞତା ଜଣାଯାଇଥିଲା। ଉତ୍ସବରେ କବିତା ଆବୃତ୍ତି ଓ ସାଂସ୍କୃତିକ ପରିବେଷଣ ମଧ୍ୟ ଆୟୋଜିତ ହୋଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା