
କାଲି ମାଷ୍ଟର୍ କ୍ୟାଂଟିନ ଠାରେ ଇଣ୍ଡିଆ ମେଂଟର ବିକ୍ଷୋଭ
ଭୁବନେଶ୍ୱର , ୧୦ ଅକ୍ଟୋବର (ହି.ସ.)- କଂଗ୍ରେସ ଦଳର ସର୍ବମାନ୍ୟ ନେତା ରାହୁଲ ଗାନ୍ଧିଙ୍କ ସମେତ ବରିଷ୍ଠ କଂଗ୍ରେସ ନେତାମାନଙ୍କୁ ଯେପରି ବଳପ୍ରୟୋଗ କରି ଶାନ୍ତିପୂର୍ଣ୍ଣ ଧାରଣାସ୍ଥଳରୁ ଉଠାଇନେବାକୁ ମୋଦୀ-ଶାହ ଇସାରା କରୁଛନ୍ତି, ତାହା କସ୍ମିନ କାଳେ ଗ୍ରହଣୀୟ ନୁହେଁ। ଜନସାଧାରଣ ଏହାର ଜବାବ ଦେବା ନିଶ୍ଚିତ ବୋଲି ଓଡ଼ିଶା ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି। ଏହାର ପ୍ରତିବାଦରେ ଆସନ୍ତାକାଲି (ରବିବାର) ମାଷ୍ଟର କ୍ୟାଂଟିନ୍ ଠାରେ ଇଣ୍ଡିଆ ମେଂଟ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ପିସିସି ସଭାପତି ସୂଚନା ଦେଇଛନ୍ତି।
ଶ୍ରୀ ଦାସ ଆହୁରି କହିଛନ୍ତି, ୧୦ ଅକ୍ଟୋବର ଯନ୍ତରମନ୍ତରରେ ଧାରଣା ଦେବାପାଇଁ ଜେନ୍-ଜି ଗୋଷ୍ଠୀ ବହୁ ପୂର୍ବରୁ ଘୋଷଣା କରିଥିଲେ। ମୋଦୀ ସରକାର ଏହି ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ଯେଭଳି ହୀନ ପଦକ୍ଷେପମାନ ନେଲେ ତାହା ଅତ୍ୟନ୍ତ ନିନ୍ଦନୀୟ। ରାହୁଲ ଗାନ୍ଧି ଓ ଜେନ୍-ଜି ଉପରେ ପୁଲିସର ଅତ୍ୟାଚାରରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ମୋଦୀ ସରକାର ଡରିଯାଇଛନ୍ତି। ଏକଛତ୍ରବାଦୀ ଶାସକମାନଙ୍କର ଚରିତ୍ର ହେଲା ସେମାନେ ଜନମତକୁ ଦବାଇବାକୁ ଚେଷ୍ଟା କରନ୍ତି। ଉପରେ ସାହସୀ ଦେଖେଇହୁଅନ୍ତି; କିନ୍ତୁ ଆଚରଣରୁ ସେମାନେ ଭୀରୁ ବୋଲି ସ୍ପଷ୍ଟ ଜଣାପଡେ। ଯେଉଁ ସାମାଜିକ ଗଣମାଧ୍ୟକୁ ଆୟୁଧ କରି ଦେଶରେ ମିଛ ଓ ଘୃଣାର ବାତାବରଣ ମୋଦୀ ସରକାର ପ୍ରସାର କରିଆସୁଛନ୍ତି, ଏବେ ତା’ଜାଲରେ ବିଜେପି ନିଜେ ପଡ଼ିବ। ମୋଦୀଙ୍କ ମିଛ ଧରାପଡ଼ିଗଲାଣି। କିଛିଦିନ ହେଲା ସାମାଜିକ ଗଣମାଧ୍ୟମରେ କୋଟିକୋଟି ନିରପେକ୍ଷ ଜନତା ମୋଦୀ ଓ ତାଙ୍କ ଦଳ ବିଜେପିକୁ ଯେଭଳି କଡ଼ା ସମାଲୋଚନା କରୁଛନ୍ତି, ସେଥିରୁ ସେମାନେ ଦେଶ କ’ଣ ଚାହୁଛି ବୁଝିଯିବା ଉଚିତ। ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ କହିସାରିଲେଣି, ଛୋଟ କଥାଟି ପାଇଁ ହାତୁଡ଼ି ବ୍ୟବହାର ଜରୁରି ନହେଁ। ଜେନ୍-ଜି ରାଲିକୁ ଭଣ୍ଡୁର କରିବା ପାଇଁ ଟ୍ରେନ୍-ମେଟ୍ରୋ ଆଦି ବାତିଲ କରିବା ଅତ୍ୟନ୍ତ ହାସ୍ୟାସ୍ପଦ। କ୍ଷମତା ଗର୍ବରେ ଅନ୍ଧ ହୋଇଯାଇଥିବା ମୋଦୀ-ଶାହ ଯେତେ ଶିଘ୍ର ପ୍ରକୃତିସ୍ଥ ହେବେ ଦେଶ ପାଇଁ ସେତେ ଭଲ ବୋଲି ଶ୍ରୀ ଦାସ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା