
ଝାରସୁଗୁଡା, 10 ଅକ୍ଟୋବର (ହି.ସ.)- ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଝାରସୁଗୁଡା ଆନୁକୂଲ୍ୟରେ କୋଲାବିରା ବ୍ଲକ ଅନ୍ତର୍ଗତ କ୍ଷୀରୋଦ ଗୌନ୍ତିଆ ବାଳିକା ଉଚ୍ଚ ବିଦ୍ୟାଳୟ ସମାସିଂହାରେ ୨୦୨୬-୨୭ ଶିକ୍ଷାବର୍ଷରେ ମାଟ୍ରିକ ପରୀକ୍ଷା ଦେବାକୁ ଥିବା ଜିଲ୍ଲାର ବିଭିନ୍ନ ଉଚ୍ଚ ବିଦ୍ୟାଳୟର ଦୁଇଶହ ଜଣ ଏ୧ ଆକାଂକ୍ଷୀ ଛାତ୍ରଛାତ୍ରୀମାନଙ୍କୁ ନେଇ ଏ ବର୍ଷର ଦ୍ଵିତୀୟ ତ୍ରି-ଦିବସୀୟ ସହାୟକ ଶିକ୍ଷଣ କାର୍ଯ୍ୟକ୍ରମ 'ଉନ୍ମେଷ' ଶନିବାର ଉଦଘାଟିତ ହୋଇଯାଇଛି। ଏଥିରେ ଝାରସୁଗୁଡା ଜିଲ୍ଲା ଶିକ୍ଷା ଅଧିକାରୀ ଡ. ରାଧାକାନ୍ତ ଗଡ଼ତିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶିବିର କୁ ଉଦଘାଟନ କରିଥିଲେ। ଦୃଢ଼ ସଂକଳ୍ପ ଓ କଠିନ ପରିଶ୍ରମ ମାଧ୍ୟମରେ ସଫଳତା ପଥେ ଅଗ୍ରସର ହେବା ପାଇଁ ସେ ଛାତ୍ରଛାତ୍ରୀମାନଙ୍କୁ ମୂଳମନ୍ତ୍ର ପ୍ରଦାନ କରିଥିଲେ। ଜିଲ୍ଲା ବିଜ୍ଞାନ ନିରୀକ୍ଷକ ନିରୋଜ କୁମାର ପଟେଲ, ସ୍ଥାନୀୟ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନିର୍ମଳ ଚାନ୍ଦ, ସାଧନକର୍ମୀ ରଞ୍ଜନ ପଧାନ ପ୍ରମୁଖ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦାନ ପୂର୍ବକ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ଉଦଘାଟନୀ ସମାରୋହରେ ଗିରିଧରଲାଲ ଉଚ୍ଚ ବିଦ୍ୟାଳୟ ବେଲପାହାଡର ପ୍ରଧାନ ଶିକ୍ଷକ ସଚିନ୍ଦ୍ର ପଟେଲ ମଞ୍ଚ ସଂଚାଳନ କରିଥିବା ବେଳେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ନିରୋଜ କୁମାର ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ। ଝାରସୁଗୁଡା ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନଙ୍କ ମାର୍ଗଦର୍ଶନରେ ଝାରସୁଗୁଡା ଜିଲ୍ଲା ଶିକ୍ଷା ଅଧିକାରୀ ଡ. ରାଧାକାନ୍ତ ଗଡ଼ତିଆଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କର୍ମଶାଳା ଆୟୋଜନ କରାଯାଉଛି ଓ ଛାତ୍ରଛାତ୍ରୀମାନଙ୍କର ଶିକ୍ଷଣ ଆକାଂକ୍ଷାଗୁଡ଼ିକୁ ପୂରଣ କରିବା ଦିଗରେ ଅଗଷ୍ଟ ମାସରେ ପ୍ରଥମ ଶିବିର ଅନୁଷ୍ଠିତ ହୋଇଥିବା ବେଳେ ଆଗାମୀ ଦିନରେ ଆହୁରି ଦୁଇଟି ସହାୟକ ଶିକ୍ଷଣ ଶିବିର ଆୟୋଜନ କରାଯିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ଡ. ଗଡ଼ତିଆ ସୂଚନା ଦେଇଛନ୍ତି । ଏହାର ସଫଳ ରୂପାୟନ ପାଇଁ ଅଭିଜ୍ଞ ବିଷୟ ଶିକ୍ଷକ ସଚିନ୍ଦ୍ର ପଟେଲ, ଶିବଶଙ୍କର ମେହେର ,ଜୟଶଙ୍କର ନାଗ , ପ୍ରମୋଦ ପଟେଲ, ପୂର୍ଣଚନ୍ଦ୍ର ସାହୁ , ରଞ୍ଜନ ପଧାନ, ହରେଶ ସୁନାନୀ, ବିଜୟ ତ୍ରିପାଠୀ, ସାରିକା ତ୍ରିପାଠୀ, ଟୁନା ରଣା, ରମେଶ ପଶାୟତ, ଗୋବର୍ଦ୍ଧନ ସା, ଭାରତୀ ଭୋଇ, ଅରୁଣ ଭୋଇ, ବିଶ୍ଵାମିତ୍ର ପାଣ୍ଡେ ପ୍ରମୁଖଙ୍କୁ ସାଧନ କର୍ମୀ ଭାବେ ନିଯୁକ୍ତ କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ