
ବଲାଙ୍ଗୀର, ୧୦ ଅକ୍ଟୋବର(ହି.ସ.) – ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦ୍ଦେଶ ଅନୁସାରେ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବଲାଙ୍ଗୀର ଅଧ୍ୟକ୍ଷ ତଥା ଜିଲ୍ଲା ଜଜ୍ ହିରଣ୍ମୟ ବିଶୋଇଙ୍କ ଅନୁମତି କ୍ରମେ ବଲାଙ୍ଗୀର ଆଶ୍ରା ମାନସିକ ଭିନ୍ନକ୍ଷମ ସ୍କୁଲ ଠାରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇସାରିଛି। ଏହି କାର୍ଯ୍ୟକ୍ରମରେ ସ୍ପେସିଆଲ ଜଜ୍ ଭିଜିଲାନ୍ସ ବେଣୁଧର ପାତ୍ର, ବଲାଙ୍ଗୀର ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ପବିତ୍ରାନନ୍ଦ ପ୍ରଧାନ, ଜେ.ଏମ୍.ଏଫ୍.ସି. ସାଧକ କାରଜି, ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀମତୀ ପୁଷ୍ପାଞ୍ଜଳି ମିଶ୍ର, ବଲାଙ୍ଗୀର ଡିଏଚ୍ଏଚ୍ ମନୋଚିକିତ୍ସକ ଡ଼କ୍ଟର ଅନିଲ ନାୟକ ଏବଂ ସମ୍ପାଦକ ଆଶ୍ରା ଅନୁଷ୍ଠାନ ଆଦି ଯୋଗ ଦେଇଥିଲେ। ଏହି ଶିବିରରେ ଶ୍ରୀ ପାତ୍ର ମାନସିକ ସ୍ୱାସ୍ଥ୍ୟ ସମ୍ପର୍କରେ ଜନସଚେତନତା ସୃଷ୍ଟି ଓ ମାନସିକ ରୋଗ ପ୍ରତି ସମାଜରେ ରହିଥିବା ଭ୍ରାନ୍ତ ଧାରଣା ଦୂର କରିବା ପାଇଁ ଆହ୍ୱାନ କରିଥିଲେ। ସଚିବ ଶ୍ରୀ ପ୍ରଧାନ ମାନସିକ ସ୍ୱାସ୍ଥ୍ୟ ଶାରୀରିକ ସ୍ୱାସ୍ଥ୍ୟ ପରି ଗୁରୁତ୍ୱପୂର୍ଣ୍ଣ ବୋଲି ମତପ୍ରକାଶ କରିଥିଲେ। ଏଥିସହିତ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସହଯୋଗରେ କିଭଳି ମାଗଣା ଆଇନ ସେବା ପାଇବା ତାହା ଉପରେ ଗୁରୁତ୍ୱାରୋପ କରିଥିଲେ। ଶ୍ରୀ କାରଜି ମାନସିକ ଚାପ, ଅବସାଦ, ଚିନ୍ତା ଓ ଅନ୍ୟାନ୍ୟ ମାନସିକ ସମସ୍ୟାରେ ପୀଡ଼ିତ ବ୍ୟକ୍ତିଙ୍କୁ ଅବହେଳା ନକରି ସେମାନଙ୍କ ପ୍ରତି ସହାନୁଭୂତି, ସହଯୋଗ ଓ ସମର୍ଥନ ପ୍ରଦାନ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ଶ୍ରୀମତୀ ମିଶ୍ର ଆବଶ୍ୟକ ସ୍ଥଳେ ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନେବା, ନିୟମିତ ଯୋଗ ଓ ବ୍ୟାୟାମକରିବା ତଥା ସୁସ୍ଥ ଜୀବନଶୈଳୀ ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ। ମନୋଚିକିତ୍ସକ ଡ଼କ୍ଟର ନାୟକ ମାନସିକ ସ୍ୱାସ୍ଥ୍ୟ ସୁରକ୍ଷା ଏକ ସାମୂହିକ ଦାୟିତ୍ୱ ଏବଂ ପ୍ରତ୍ୟେକ ବ୍ୟକ୍ତି ସମ୍ମାନ, ସହାନୁଭୂତି ଓ ସହଯୋଗ ପାଇବାର ଅଧିକାରୀ ବୋଲି ମତ ପ୍ରକାଶ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ