ବେହେରାପାଲି ଛକରୁ ୯ କେଜିରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ, ଜଣେ ଗିରଫ
Ganja with one arrest at jharsuguda
ବେହେରାପାଲି ଛକରୁ ୯ କେଜିରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ, ଜଣେ


ଝାରସୁଗୁଡ଼ା, ୧୧ ଅକ୍ଟୋବର (ହି.ସ.) ନିଶା କାରବାର ବିରୋଧରେ ଚାଲିଥିବା ସ୍ୱତନ୍ତ୍ର ଅଭିଯାନ ‘ନେତ୍ର’ ଏବଂ ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’ ଅନ୍ତର୍ଗତ ଝାରସୁଗୁଡ଼ା ପୁଲିସକୁ ସଫଳତା ମିଳିଛି। ବଡ଼ମାଳ ଥାନା ଅନ୍ତର୍ଗତ ବେହେରାପାଲି ଛକ ନିକଟରୁ ୯ କିଲୋ ୬୯ ଗ୍ରାମ ସନ୍ଦିଗ୍ଧ ଗଞ୍ଜେଇ ଜବତ କରିବା ସହ ଜଣେ ଯୁବକଙ୍କୁ ଗିରଫ କରିଛି ପୁଲିସ।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ରବିବାର (୧୧ ଅକ୍ଟୋବର) ପାଟ୍ରୋଲିଂ ସମୟରେ ବିଶ୍ୱସନୀୟ ସୂଚନା ଆଧାରରେ ବଡ଼ମାଳ ଥାନା ପୁଲିସ ଟିମ୍ ନିରୀକ୍ଷକ ରୁଦ୍ର ନାରାୟଣ ପ୍ରଧାନଙ୍କ ନେତୃତ୍ୱରେ ବେହେରାପାଲି ଛକ ନିକଟରେ ଏକ ବ୍ୟାକ୍ପ୍ୟାକ୍ ଧରି ଯାଉଥିବା ଜଣେ ଯୁବକଙ୍କୁ ଅଟକାଇଥିଲା। ଏହାପରେ ଜଣେ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ ଓ ସ୍ୱାଧୀନ ସାକ୍ଷୀଙ୍କ ଉପସ୍ଥିତିରେ ଏନ୍ଡିପିଏସ୍ ଆଇନର ନିର୍ଦ୍ଧାରିତ ବ୍ୟବସ୍ଥା ଅନୁସାରେ ତଲାସୀ କରାଯାଇଥିଲା। ତଲାସୀ ସମୟରେ ବ୍ୟାଗ୍ରୁ ୯ କିଲୋ ୬୯ ଗ୍ରାମ ସନ୍ଦିଗ୍ଧ ଗଞ୍ଜେଇ ମିଳିଥିଲା।

ଗିରଫ ଯୁବକ ଜଣକ ହେଲେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ତୁଳୁଣ୍ଡୁପାଲି ଗ୍ରାମର ସନତ ଛତ୍ରୀ (୨୯)।

ପୁଲିସ ତାଙ୍କ ନିକଟରୁ ୯ କିଲୋ ୬୯ ଗ୍ରାମ ସନ୍ଦିଗ୍ଧ ଗଞ୍ଜେଇ ସହ ଗୋଟିଏ ଭିଭୋ ୱାଇ-୨୨ ମୋବାଇଲ୍ ଫୋନ୍ ଏବଂ ୧,୮୦୦ ଟଙ୍କା ନଗଦ ଜବତ କରିଛି। ଏ ସଂକ୍ରାନ୍ତରେ ବଡ଼ମାଳ ଥାନାରେ କେସ୍ ନମ୍ବର ୩୫୩, ତାରିଖ ୧୧.୧୦.୨୦୨୬, ଏନ୍ଡିପିଏସ୍ ଆଇନ, ୧୯୮୫ର ଧାରା ୨୦(ବି)(ii)(ବି) ଅନୁଯାୟୀ ମାମଲା ରୁଜୁ ହୋଇଛି। ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।ଗଞ୍ଜେଇର ଉତ୍ସ ଓ ଏହା ପଛରେ ଥିବା ନିଶା କାରବାର ନେଟ୍ୱର୍କ ସମ୍ପର୍କରେ ଜାଣିବା ପାଇଁ ପୁଲିସର ତଦନ୍ତ ଜାରି ରହିଛି।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande