ଟାଇମ୍ସ ଫ୍ୟାଶନ୍ ୱିକ୍ରେ ଓଡ଼ିଶାର ହସ୍ତତନ୍ତ ଓ ହସ୍ତଶିଳ୍ପର ଝଲକ ଦେଖାଇଲା ଓରମାସ୍
ଫ୍ୟାଶନ୍ ରାମ୍ପ୍‌ରେ ପେସାଦାର ମଡେଲ୍‌ଙ୍କ ସହ ଚାଲିଲେ ଖୋର୍ଦ୍ଧା ଓ କଟକର ୧୪ ମହିଳା ବୁଣାକାର ଭୁବନେଶ୍ଵର , 11 ଅକ୍ଟୋବର (ହି.ସ.)ଭୁବନେଶ୍ୱର ଟାଇମ୍ସ ଫ୍ୟାଶନ୍ ୱିକ୍‌ ୨୦୨୬ରେ ସହଯୋଗୀ ଅଂଶୀଦାର ଭାବେ ଯୋଗଦେଇ ଓରମାସ୍‌ ଓଡ଼ିଶାର ପାରମ୍ପରିକ ହସ୍ତତନ୍ତ ଓ ହସ୍ତଶିଳ୍ପକୁ ଫ୍ୟାଶନ୍ ରାମ୍ପ୍‌ରେ
ଟାଇମ୍ସ ଫ୍ୟାଶନ୍ ୱିକ୍ରେ ଓଡ଼ିଶାର ହସ୍ତତନ୍ତ ଓ ହସ୍ତଶିଳ୍ପର ଝଲକ ଦେଖାଇଲା ଓରମାସ୍


ଫ୍ୟାଶନ୍ ରାମ୍ପ୍‌ରେ ପେସାଦାର ମଡେଲ୍‌ଙ୍କ ସହ ଚାଲିଲେ ଖୋର୍ଦ୍ଧା ଓ କଟକର ୧୪ ମହିଳା ବୁଣାକାର

ଭୁବନେଶ୍ଵର , 11 ଅକ୍ଟୋବର (ହି.ସ.)ଭୁବନେଶ୍ୱର ଟାଇମ୍ସ ଫ୍ୟାଶନ୍ ୱିକ୍‌ ୨୦୨୬ରେ ସହଯୋଗୀ ଅଂଶୀଦାର ଭାବେ ଯୋଗଦେଇ ଓରମାସ୍‌ ଓଡ଼ିଶାର ପାରମ୍ପରିକ ହସ୍ତତନ୍ତ ଓ ହସ୍ତଶିଳ୍ପକୁ ଫ୍ୟାଶନ୍ ରାମ୍ପ୍‌ରେ ପ୍ରଦର୍ଶିତ କରିଛି। ଅକ୍ଟୋବର ୧୦ ଓ ୧୧ ତାରିଖରେ ହୋଟେଲ ମେଫେୟାର ସାଙ୍କଚୁଆରୀଠାରେ ଆୟୋଜିତ ଏହି ଦୁଇଦିନିଆ ଆୟୋଜନ ମାଧ୍ୟମରେ ରାଜ୍ୟର ବୁଣାକାର ଓ କାରିଗରଙ୍କ ସୃଜନଶୀଳତାକୁ ବ୍ୟାପକ ପରିଚୟ ଦେବା ସହ ସେମାନଙ୍କ ଉତ୍ପାଦ ପାଇଁ ନୂଆ ବଜାର ସୁଯୋଗ ସୃଷ୍ଟିର ପ୍ରୟାସ କରାଯାଇଛି।

ଓରମାସ୍‌ ପକ୍ଷରୁ ପ୍ରୋତ୍ସାହିତ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ପରିଧାନ କରି *୪୦ ଜଣ ମଡେଲ୍‌* ରାମ୍ପ୍‌ରେ ଚାଲିଥିଲେ। ସେମାନଙ୍କ ମଧ୍ୟରେ ଓଲିଉଡ୍‌ ଅଭିନେତ୍ରୀ ସଙ୍ଗୀତା ଶିବାନୀ ମଧ୍ୟ ଥିଲେ। ଏହି ପ୍ରଦର୍ଶନୀରେ ବିଭିନ୍ନ ଜିଲ୍ଲାର ବୁଣାକାର ଓ କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ସହ ଏକ ଜିଲ୍ଲା, ଏକ ଉତ୍ପାଦ ଅନ୍ତର୍ଗତ ପାରମ୍ପରିକ ଉତ୍ପାଦଗୁଡ଼ିକୁ ଫ୍ୟାଶନ୍ ରାମ୍ପ୍‌ରେ ପ୍ରଦର୍ଶିତ କରାଯାଇଥିଲା। ଏଥିରେ ସମ୍ବଲପୁରୀ ସିଲ୍କ ଶାଢ଼ି, କଟକ ଖଣ୍ଡୁଆ ସିଲ୍କ ଶାଢ଼ି, ମଣିଆବନ୍ଧ ଶାଢ଼ି, ପଟ୍ଟଚିତ୍ର ସିଲ୍କ ଶାଢ଼ି, ଜିଆଇ ମାନ୍ୟତାପ୍ରାପ୍ତ କୋଟପାଡ଼ ହସ୍ତତନ୍ତ, ଧଳାପଥରର ପାରମ୍ପରିକ ବୟନ ସାମଗ୍ରୀ, ଢୋକ୍ରା କଳାକୃତି ଓ ଫ୍ୟାବ୍ରିକ୍ ଗହଣା ସ୍ଥାନ ପାଇଥିଲା।

ଏହି ଫ୍ୟାଶନ୍ ସୋ’ର ଅନ୍ୟତମ ଆକର୍ଷଣ ଥିଲେ ଖୋର୍ଦ୍ଧା ଓ କଟକ ଜିଲ୍ଲାର ୧୪ ଜଣ ମହିଳା ବୁଣାକାର। ସେମାନେ ନିଜ ହାତରେ ବୁଣିଥିବା ପାରମ୍ପରିକ ହସ୍ତତନ୍ତ ପୋଷାକ ପିନ୍ଧି ପେସାଦାର ମଡେଲ୍‌ଙ୍କ ସହ ରାମ୍ପ୍‌ରେ ଚାଲିଥିଲେ। ଏଭଳି ଏକ ମଞ୍ଚରେ ସ୍ଥାନୀୟ ବୁଣାକାରଙ୍କ ପ୍ରତ୍ୟକ୍ଷ ଅଂଶଗ୍ରହଣ ସେମାନଙ୍କୁ ନିଜ କଳା ଓ ଦକ୍ଷତା ପ୍ରଦର୍ଶନ ସହ ବ୍ୟାପକ ପରିଚୟ ଓ ସ୍ୱୀକୃତି ପାଇବାର ସୁଯୋଗ ଦେଇଥିଲା। ଏହି ପ୍ରଦର୍ଶନୀକୁ ଦର୍ଶକମାନେ ପ୍ରଶଂସା କରିଥିଲେ।

ଏଥିସହ ଓରମାସ୍‌ ପକ୍ଷରୁ ଦୁଇଟି କିଓସ୍କ ଷ୍ଟଲ୍‌ ସ୍ଥାପନ କରାଯାଇ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ବିକ୍ରୟ ଓ ପ୍ରଦର୍ଶନ କରାଯାଇଥିଲା। ଦର୍ଶକମାନେ ସାମଗ୍ରୀ କିଣିବା ସହ ସେଗୁଡ଼ିକର ଡିଜାଇନ୍‌ ଓ କାରିଗରୀକୁ ପ୍ରଶଂସା କରିଥିଲେ।

ଏହି ସାମଗ୍ରୀଗୁଡ଼ିକ ସୁବର୍ଣ୍ଣଶ୍ରୀ ଓରମାସ୍‌ ରିଟେଲ ବିକ୍ରୟ କେନ୍ଦ୍ର ଏବଂ ସୁଭଦ୍ରା ଶକ୍ତି ବଜାରରେ ମଧ୍ୟ ଉପଲବ୍ଧ ହେବ। ଏହାଦ୍ୱାରା ଗ୍ରାହକମାନେ ଓଡ଼ିଶାର ପାରମ୍ପରିକ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ କିଣିବାର ସୁଯୋଗ ପାଇପାରିବେ।

ଏହି ପଦକ୍ଷେପକୁ ପ୍ରଶଂସା କରି ଗ୍ରାମ୍ୟ ଉନ୍ନୟନ ତଥା ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ କହିଛନ୍ତି, “ଏଭଳି ସୁଯୋଗ ବୁଣାକାର ଓ କାରିଗରଙ୍କୁ ନୂଆ ବଜାର ଓ ଗ୍ରାହକଙ୍କ ସହ ଯୋଡ଼ିବା ସହ ଓଡ଼ିଶାର କାରିଗରୀ ପରମ୍ପରାର ସୁରକ୍ଷା ଓ ଗ୍ରାମୀଣ ଜୀବିକାକୁ ସୁଦୃଢ଼ କରିବ।”

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande