
କୋଲକାତା, ୧୩ ଅକ୍ଟୋବର (ହି.ସ.)- ପୋଲିସ ନୋଟିସ ବିରୋଧରେ ଅଭିଷେକ ବାନାର୍ଜୀଙ୍କ ଦ୍ୱାରା ଦାଖଲ ହୋଇଥିବା ମାମଲାର ତୁରନ୍ତ ଶୁଣାଣି ପାଇଁ ଏକ ଆବେଦନକୁ କଲିକତା ହାଇକୋର୍ଟ ଖାରଜ କରିଛନ୍ତି । ମଙ୍ଗଳବାର ଦିନ, ଜଷ୍ଟିସ୍ ସୌଗତ ଭଟ୍ଟାଚାର୍ଯ୍ୟ ତାଙ୍କ ମନ୍ତବ୍ୟରେ ସ୍ପଷ୍ଟ କରିଛନ୍ତି ଯେ, ଏହି ସମୟରେ ମାମଲାର ତ୍ୱରିତ ଶୁଣାଣି ସମ୍ଭବ ନୁହେଁ ।
ଏହା ପୂର୍ବରୁ ଜଷ୍ଟିସ୍ କ୍ରିଷ୍ଣା ରାଓ ଏହି ମାମଲାରୁ ନିଜକୁ ଅଲଗା କରିବା ପରେ ଅଭିଷେକ ବାନାର୍ଜୀ ପ୍ରଧାନ ବିଚାରପତିଙ୍କ ଖଣ୍ଡପୀଠଙ୍କ ଦ୍ୱାରସ୍ଥ ହୋଇଥିଲେ । କେବଳ ପ୍ରଧାନ ବିଚାରପତିଙ୍କ ନିର୍ଦ୍ଦେଶରେ ବିଚାରପତି ସୌଗତ ଭଟ୍ଟାଚାର୍ଯ୍ୟଙ୍କ କୋର୍ଟରେ ଏହି ମାମଲା ଦାୟର କରିବାକୁ ଅନୁମତି ଦିଆଯାଇଥିଲା ।
ଶୁଣାଣି ସମୟରେ ଅଭିଷେକ ଅଭିଯୋଗ କରିଥିଲେ ଯେ, ତଦନ୍ତକାରୀ ଅଧିକାରୀଙ୍କ ଦ୍ୱାରା କରାଯାଉଥିବା ପଚରାଉଚରା ସମ୍ବନ୍ଧୀୟ ଗୋପନୀୟ ସୂଚନା ଏବଂ ପୋଲିସ୍ ଅନୁସନ୍ଧାନର ବିଭିନ୍ନ ଦିଗ ବାରମ୍ବାର ଗଣମାଧ୍ୟମକୁ ଲିକ୍' କରାଯାଉଛି । ଏଭଳି ମିଡିଆ ଟ୍ରାଏଲ' ଉପରେ ପ୍ରଶ୍ନ ଉଠାଇ ସେ ତୁରନ୍ତ ଆଇନଗତ ସୁରକ୍ଷା ମାଗିଥିଲେ, କିନ୍ତୁ କୋର୍ଟ ତତ୍କାଳ ଶୁଣାଣି ପାଇଁ ତାଙ୍କ ଅନୁରୋଧକୁ ସ୍ୱୀକାର କରିନଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ