
ନୂଆଦିଲ୍ଲୀ, ୧୩ ଅକ୍ଟୋବର (ହି.ସ.)। ଜନ୍ତରମନ୍ତରକୁ ବିରୋଧ ପ୍ରଦର୍ଶନ ସ୍ଥଳ ତାଲିକାରୁ ହଟାଇବାର ଗୋଟିଏ ଦିନ ପରେ ବୁଧବାର ସକାଳେ କକରୋଚ ଜନତା ପାର୍ଟି (ସିଜେପି)ର କର୍ମୀମାନେ ପୁଣି ଥରେ ସେଠାରେ ପହଞ୍ଚିଥିଲେ। ସିଜେପିର ଜାତୀୟ ମୁଖପାତ୍ର ଆଶୁତୋଷ ରାଙ୍କା ଓ ସୌରଭ ଦାସଙ୍କ ନେତୃତ୍ୱରେ କର୍ମୀମାନେ ପୁଲିସକୁ ଚକମା ଦେଇ ଲୁହା ଗେଟ୍ ଓ ବ୍ୟାରିକେଡ୍ ଡେଇଁ ଜନ୍ତରମନ୍ତରରେ ପହଞ୍ଚିଥିଲେ। ସେଠାରେ ସେମାନେ ନାରାବାଜି କରିଥିଲେ।
ପୁଲିସ ପ୍ରଦର୍ଶନକାରୀଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ଏହି ସମୟରେ ସେଠାରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଉପୁଜିଥିଲା। ପୁଲିସ ପ୍ରଦର୍ଶନକାରୀମାନଙ୍କୁ ହେପାଜତକୁ ନେଇଥିଲା। ଏହାପରେ ସେଠାରେ ସୁରକ୍ଷା ବ୍ୟବସ୍ଥା ଆହୁରି କଡ଼ାକଡ଼ି କରାଯାଇଛି।
ଏହି ନେତାମାନେ ସେତେବେଳେ ଏପରି ପଦକ୍ଷେପ ନେଇଛନ୍ତି, ଯେତେବେଳେ ଦିଲ୍ଲୀର ସ୍ପେଶାଲ ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ଅଦାଲତ ସେମାନଙ୍କୁ ଏକ ବର୍ଷ ପର୍ଯ୍ୟନ୍ତ ଶାନ୍ତି ବଜାୟ ରଖିବା ଓ ଉତ୍ତମ ଆଚରଣ ପ୍ରଦର୍ଶନ କରିବା ସର୍ତ୍ତରେ ଜାମିନ ପ୍ରଦାନ କରିଥିଲେ। ଏଥିପାଇଁ ସେମାନଙ୍କଠାରୁ ୫୦ ହଜାର ଟଙ୍କାର ଜାମିନ ବଣ୍ଡ୍ ମଧ୍ୟ ଭରାଯାଇଥିଲା।
ସିଜେପି ମୁଖ୍ୟ ଅଭିଜିତ ଦୀପକେ ‘ଏକ୍ସ’ରେ ଏକ ଭିଡିଓ ଫୁଟେଜ୍ ସେୟାର କରିଛନ୍ତି। ଏଥିରେ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ କିଛି ଲୋକ ଗେଟ୍ ଉପରକୁ ଚଢ଼ୁଥିବା ଏବଂ ପତାକା ଧରି ଦୌଡ଼ୁଥିବା ଦେଖାଯାଉଛି। ପରେ ଦିଲ୍ଲୀ ପୁଲିସ ଅଧିକାରୀମାନେ ସେମାନଙ୍କୁ ନେଇଯାଉଥିବା ଦୃଶ୍ୟ ମଧ୍ୟ ରହିଛି। କର୍ମୀମାନେ ‘ଭାରତ ମାତା କୀ ଜୟ’ ଓ ‘ଇନ୍କଲାବ ଜିନ୍ଦାବାଦ’ ସ୍ଲୋଗାନ ଦେଉଥିଲେ। ଆଶୁତୋଷ ରାଙ୍କା ତ୍ରିରଙ୍ଗା ସହିତ ନିଜର ଏକ ଫଟୋ ସେୟାର କରି ଲେଖିଛନ୍ତି, “ଆମେ ଚେଷ୍ଟା କରୁନାହୁଁ, ଜନ୍ତରମନ୍ତରରେ ପହଞ୍ଚିସାରିଛୁ।”
ସୌରଭ ଦାସ ଏକ ଭିଡିଓ ପୋଷ୍ଟ କରି ଲେଖିଛନ୍ତି ଯେ ଜନ୍ତରମନ୍ତରକୁ ପୁଣି ଥରେ ଦଖଲ କରାଯାଇଛି। ତାଙ୍କ ଦାବି ଅନୁଯାୟୀ, କର୍ମୀମାନେ ସେଠାରେ ପହଞ୍ଚିସାରିଛନ୍ତି ଏବଂ ଏବେ ସେମାନଙ୍କୁ ହେପାଜତକୁ ନିଆଯାଉଛି। ଦାସ ଯୁବପିଢ଼ିଙ୍କୁ ବାର୍ତ୍ତା ଦେଇ ଲେଖିଛନ୍ତି ଯେ ସେମାନେ ମଧ୍ୟ ଏପରି କରିପାରିବେ। ଏହି ପୋଷ୍ଟରେ ସେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କୁ ମଧ୍ୟ ଟାର୍ଗେଟ୍ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ପୁଲିସ ଅକ୍ଟୋବର ୧୨ ତାରିଖରେ ଏକ ବିଜ୍ଞପ୍ତି ଜାରି କରି ଜନ୍ତରମନ୍ତରକୁ ବିରୋଧ ପ୍ରଦର୍ଶନ ସ୍ଥଳ ତାଲିକାରୁ ହଟାଯାଇଥିବା ସୂଚନା ଦେଇଥିଲା। କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଏକ କମିଟିର ସୁପାରିସ ଆଧାରରେ ରାଜଧାନୀରେ ଧାରଣା ଓ ବିରୋଧ ପ୍ରଦର୍ଶନ ପାଇଁ ତିନୋଟି ନୂଆ ସ୍ଥାନ ନିର୍ଦ୍ଧାରଣ କରାଯାଇଛି। ସେଗୁଡ଼ିକ ହେଲା—ରାମଲୀଳା ମୈଦାନ, ବୁରାଡ଼ି ମୈଦାନ ଏବଂ ପୂର୍ବ ଦିଲ୍ଲୀର ସିବିଡି ମୈଦାନ।
କେନ୍ଦ୍ରୀୟ ଦିଲ୍ଲୀର ଅତ୍ୟଧିକ ସୁରକ୍ଷାବଳୟ ମଧ୍ୟରେ ଥିବା ଜନ୍ତରମନ୍ତର ଦଶନ୍ଧି ଧରି ବିରୋଧ ପ୍ରଦର୍ଶନର ଏକ ପ୍ରମୁଖ କେନ୍ଦ୍ର ରହିଆସିଛି। ନିକଟ ଅତୀତରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ବିରୋଧରେ ଏସ୍ଆଇଆର୍ (ସ୍ପେଶାଲ ଇଣ୍ଟେନ୍ସିଭ୍ ରିଭିଜନ୍) ପ୍ରସଙ୍ଗକୁ ନେଇ ବିରୋଧୀ ଇଣ୍ଡି ମେଣ୍ଟ ଓ ସିଜେପି ଏଠାରେ ପ୍ରଦର୍ଶନ କରିଥିଲେ। ଏହି ପ୍ରଦର୍ଶନଗୁଡ଼ିକ ମଧ୍ୟରେ ଜନ୍ତରମନ୍ତରକୁ ପ୍ରଦର୍ଶନ ସ୍ଥଳ ତାଲିକାରୁ ହଟାଇବାର ନିଷ୍ପତ୍ତି ଆସିଛି।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା